ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ : ରାଜ୍ୟକୁ ବିକଶିତ ରାଜ୍ୟ ଭାବେ ପରିଗଣିତ କରିବା ଲକ୍ଷ୍ୟ
ଢେଙ୍କାନାଳ : ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେଷଣ ୟୁନିଟ, ଢେଙ୍କାନାଳ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଯେତେ ବେଳେ କଙ୍କଡ଼ା ହାଡ଼ ବ୍ଲକ୍ ଭଳି ଅଂଚଳର ସାମଗ୍ରିକ ବିକାଶ ହେବ ସେତେ ବେଳେ ଯାଇ ଜିଲ୍ଲା ତଥା ରାଜ୍ୟ ବିକଶିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି । ୨୦୩୬ ସୁଦ୍ଧା ରାଜ୍ୟକୁ ଏକ ବିକଶିତ ରାଜ୍ୟ ଭାବେ ପରିଗଣିତ କରିବାକୁ ଲକ୍ଷ୍ୟ ରଖାଯାଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଧାନ୍ୟ ଦିଆଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି । ସମ୍ମାନିତ ଅତିଥି ଭାବେ ଜିଲ୍ଲାର ପ୍ରଭାରୀ ତଥା ଶିଳ୍ପ, ଦକ୍ଷତା ବିକାଶ ଓ କାରିଗରୀ ବିଦ୍ୟା ବିଭାଗର ମନ୍ତ୍ରୀ ସଂପଦ ସ୍ୱାଇଁ ଯୋଗ ଦେଇ, ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମରେ ୬ଟି ସୂଚକ ମଧ୍ୟରୁ ୪ଟି ସୂଚକରେ ସଫଳତା ହାସଲ କରି ବ୍ରୋଞ୍ଜ ମେଡ଼ାଲ ପାଇଥିବା ବେଳେ କଙ୍କଡ଼ା ହାଡ଼ ବ୍ଳକ୍ ୬ଟିରୁ ୩ଟି ସୂଚକରେ ସଫଳହୋଇଥିବାରୁ କପର ମେଡ଼ାଲ ପାଇଥିବାରୁ ସେ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଳକ୍ ସ୍ତରୀୟ ଅଧିକାରୀ ଓ କର୍ମୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଅତିଥି ଭାବେ ଜିଲ୍ଲା ପରିଷଦର ଶ୍ରୀମତୀ ଅର୍ଚ୍ଚନା ପୁହାଣ, କାମାକ୍ଷା ନଗର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଏବଂ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଯୋଗ ଦେଇଥିଲେ ।
ନବରଙ୍ଗପୁର : ସ୍ଥାନୀୟ ପୁଲିସ ପଡିଆ ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେବା ସଙ୍ଗେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ୱଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆକାଂକ୍ଷା ଜିଲ୍ଲା ଭାବେ ନବରଙ୍ଗପୁରକୁ ଏବଂ ଆକାଂକ୍ଷୀ ବ୍ଲକ ଡ଼ାବୁଗାଁକୁ ସ୍ୱର୍ଣ୍ଣ ପଦକ ଏବଂ ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟିକୁ ତାମ୍ର ପଦକ ପ୍ରଦାନ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ୨୧ଜଣ ଅଙ୍ଗନବାଡି କର୍ମୀ ଓ ସହାୟକ, ୧୦ ଜଣ ଏଏନ୍ଏମ, ୧୧ଜଣ ଆଶା କର୍ମୀ,୯ ଜଣ କୃଷକ ସାଥୀ, ୫ ଜଣ ଏମବିକେ, ୪ଜଣ ସିଆର୍ପି, ୧ଟି ଏସଏଚଜି,୧୦ ଜଣ ଶିକ୍ଷକ, ସିଡିପିଓ ଡ଼ାବୁଗାଁ ମିନତୀ ଦାସ, ସିଡିପିଓ ତେନ୍ତୁଳିଖୁଣ୍ଟି ବିନିତା ଜେଠୀ, କୃଷି ବିଭାଗର ସହକାରୀ କୃଷି ଅଧିକାରୀ ରାମଚନ୍ଦ୍ର ମୁଦୁଲି, କୃଷି ଓଭରସିଅର୍ ଧିରେନ୍ ବେନିଆ, ପ୍ରୋଗ୍ରାମ ମ୍ୟାନେଜର, ପିରାମଲ୍ ଫାଉଣ୍ଡେସନ ବିକ୍ରମ କିଶୋର ରଣା, ଡିପିସି (ମମତା) ବିଶ୍ୱଜିତ୍ ମହାନ୍ତିଙ୍କୁ ମୁଖ୍ୟଅତିଥି, ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିମାନେ ଉପଢ଼ୌକନ, ମାନପତ୍ର ସହ ସଦିଚ୍ଛା ଉପହାର ପ୍ରଦାନ କରିଥିଲେ । ସେହିଭଳି ଆକାଂକ୍ଷା ବ୍ଲକ୍ସ୍ତରୀୟ ନେତୃତ୍ୱ ଯୋଗୁଁ ସିଡିଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କୁ, ଆକାଂକ୍ଷା ସ୍ୱାସ୍ଥ୍ୟ କାର୍ଯ୍ୟ ପାଇଁ ସିଡିଏମଓ ଡ ସନ୍ତୋଷ ପଣ୍ଡା, ଶିକ୍ଷା ପାଇଁ ଡିଇଓ ଛତ୍ରପତି ସାହୁ, କୃଷି ପାଇଁ ସିଡିଏଓ ସୁଧୀର ରଂଜନ ବେହେରା ଏବଂ ଏଡିଓ ଅନିଲ ପ୍ରହରାଜ, ଯୋଜନା ଓ ସ୍ୱମନୟ ବିଭାଗ ଉପ ନିଦେ୍ର୍ଦଶକ ଏଶ୍ଚର୍ଯ୍ୟ ଭଞ୍ଜ,ଏସଏଚଜି ପାଇଁ ଡିପିଏମ ସୁସ୍ମିତା ସାମନ୍ତରାୟ, ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଡିଏସଡବ୍ଲୁ ଓ ଦ୍ରୌପଦୀ କହଁରଙ୍କୁ ମାନପତ୍ର, ଉପଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା । ଦୁଇଟି ଆକାଂକ୍ଷା ବ୍ଲକର ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ ଏବଂ ଡ଼ାବୁଗାଁ ବିଡିଓ ଶରତ ମାଝୀଙ୍କ ସମେତ ଟିମ୍କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସମ୍ମାନିତ କରିଥିଲେ । ସଭା କାର୍ଯ୍ୟକ୍ରମ ପରେ ମୁଖ୍ୟଅତିଥି ଆକାଂକ୍ଷା ହାଟର ୨୫ଟି ଷ୍ଟଲ୍କୁ ଉଦ୍ଘାଟନ କରିଥିଲେ ।