ଶୋଚନୀୟ ରାସ୍ତା, ମରାମତି ଦାବି

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଳଜୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡରାମାଲ ଓ ନିଲଜୀ ଗ୍ରାମକୁ ସଂଯୋଗ କରୁଥିବା ବହୁ ପୁରାତନ ଆରଡି ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଲୋକମାନେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ପ୍ରକାଶ ଯେ, ଦୀର୍ଘବର୍ଷ ପୁରୁଣା ଏହି ଆରଡି ରାସ୍ତା ଉଦନ୍ତୀ ନଦୀରେ ପୋଲ ନଥିବା ସମୟରେ ଗ୍ରୀଷ୍ମକାଳରେ ଉଦନ୍ତୀ ନଦୀରେ ନିର୍ମାଣ ହେଉଥିବା ଅସ୍ଥାୟୀ ରାସ୍ତା ସାହାଯ୍ୟରେ ସିନାପାଲି ସହିତ ସଂଯୋଗ କରୁଥିଲା ବୋଡେନ ଓ ରାଜା ଖଡିଆଳକୁ  । ସେ ସମୟରେ ଏହି ଆରଡି ରାସ୍ତା ସିନାପାଲି ଠାରୁ ବାହାରି ଚଟିଆଗୁଡା ବସ୍ତି, ଗଡରାମାଲ ବସ୍ତି, ନିଳଜୀ ବସ୍ତି, ଡଙ୍ଗରିଗୁଡ଼ା ବସ୍ତି, ଟିମନପୁର ବସ୍ତି ଭିତରଦେଇ ରାଜା ଖଡିଆଳକୁ ଯୋଡୁଥିଲା । ପରବର୍ତ୍ତୀ କାଳରେ ଏହି ରାସ୍ତାର ମୋଡ ବଦଲାଇ ଗଡରାମାଲ ବସ୍ତିକୁ ନ ଯାଇ ଚଟିଆଗୁଡାରୁ ସିଧାସଳଖ ନିଳଜୀ ଗ୍ରାମକୁ ସଂଯୋଗ କରାଯାଇଥିଲା । ସେହି ଦିନଠାରୁ ଅଭିଶପ୍ତ ପାଲଟିଛି  ଗଡରାମାଲ ବସ୍ତି ଓ ନିଲଜୀ ବସ୍ତିକୁ ସଂଯୋଗ କରୁଥିବା ଏହି ରାସ୍ତା । ସୂଚନା ମୁତାବକ ଦୀର୍ଘ ଏଗାର ବର୍ଷ ହେବ ଏହି ରାସ୍ତାର ଉନ୍ନତିକରଣ କରାଯାଇ ନାହିଁ । ସ୍ଥାନୀୟ ବାସିନ୍ଦା କହିବା ଅନୁସାରେ ହିତେଶ କୁମାର ବଗର୍ତ୍ତି ଖଡିଆଳ ବିଧାୟକ ଥିବା ସମୟରେ ୨୦୧୧-୨୦୧୨ବିଧାୟକ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପାଇ ଗଡରାମାଲ ଗ୍ରାମର କମଳ ସା ଶେଷଥର ଏହି ରାସ୍ତାର ଉନ୍ନତିକରଣ କରିଥିଲେ  । ସେହିଦିନ ଠାରୁ ଏହି ରାସ୍ତାର କୌଣସି ପ୍ରକାର ଉନ୍ନତିକରଣ ହୋଇ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରୁଛନ୍ତି । ଏହି ରାସ୍ତାରେ ବାରମ୍ବାର କାମ ହୋଇ ଠିକାଦାର ଯନ୍ତ୍ରୀ ଟଙ୍କା ହଡପ କଥାକୁ ଖଣ୍ଡନ କରିଛନ୍ତି ନିଲଜୀ ସରପଞ୍ଚ ଲକ୍ଷ୍ମଣ ପ୍ରଧାନ । ଯେତେବେଳେ ଗଣମାଧ୍ୟମରେ ଏହି ରାସ୍ତାକୁ ନେଇ ଦୁର୍ନୀତି କଥା ଉଠିଛି, ତା ହେଲେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା କଥା ବୋଲି ବୁଦ୍ଧିଜୀବୀ ମହଲରେ କଥା ଜୋର ଧରିଛି । ତେଣୁ ଆରଡି ବିଭାଗ ଏହି ରାସ୍ତାର ଖରାପ ଅବସ୍ଥାକୁ ଦୃଷ୍ଟିଗୋଚର କରି ତୁରନ୍ତ ରାସ୍ତାର ଉନ୍ନତିକରଣ  କରିବା ପାଇଁ  ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି । ଯଦି ଏହି ଦାବି ଯଥାଶୀଘ୍ର ପୂରଣ ନ ହେଲେ ନିଳଜୀ ଗ୍ରାମ ପଞ୍ଚାୟତବାସୀ ଆଗାମୀ ଦିନରେ ନିଲଜୀ ଠାରେ ବିଜୁ ଏସ୍କପ୍ରେସ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।