ମିର୍ଜାପୁରରେ ପହଞ୍ଚିଲେ ଜିଲ୍ଲାପାଳ
ଧର୍ମଶାଳା: ଧର୍ମଶାଳା ବ୍ଲକରେ ଡାଇରିଆ କମିଥିଲେ ବି ସ୍ଥିତି ଗମ୍ଭିର ରହିଛି । ଝଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଗତକାଲି ରାତିରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୨୧ଜଣ ନୁଆ ଅକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭର୍ତ୍ତି ହୋଇଥିବା ସମସ୍ତଙ୍କ ଠାରେ ମାଇଲ୍ଡ ଝାଡାବାନ୍ତି ଦେଖାଦେଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଛନ୍ତି । ଧର୍ମଶାଳା ବ୍ଲକରେ ସର୍ବପ୍ରଥମ ଏହି ଝାଡାବାନ୍ତି ରୋଗ ବ୍ୟାପିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାଯାଇଛି । ଗତକାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣଙ୍କୁ ଡିସଚର୍ଜ କରାଯଇଥିବା ବେଳେ ଏବେ ଡାକ୍ତରଖନାରେ ୪୧ଜଣ ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜଣାପଡିଛି । ତେବେ ପାଣି ଯୋଗୁଁ ଏହି ରୋଗ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆଗ ଅପେକ୍ଷା ସ୍ଥିତିରେ କିଛିଟା ସୁଧାର ଆସୁଥିବା ଜଣାଯାଇଛି । ଡାକ୍ତରଖାନାକୁ ଆସୁଥିବା ରୋଗୀ ମାଇଲ୍ଡ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆସୁଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ମେଡିକାଲରେ ଆଡମିଟ କରାଯାଇ ଅବଜର୍ଭବେସନରେ ରଖାଯାଉଥିବା ଡାକ୍ତର ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳ ପି.ଅନ୍ୱେଷା ରେଡୀ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ସ୍ଥିତି ପରଖିବା ସହିତ ଏହି ବ୍ଲକର ମିର୍ଜାପୁର ଗ୍ରାମରେ ଝାଡାବାନ୍ତି ରୋଗ ବ୍ୟାପିଥିବାରୁ ବିଡିଓ ଓ ଡାକ୍ତରି ଟିମ ସହିତ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।