ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ମନୁଷ୍ୟ କ୍ଷେତ୍ରରେ ଏହା କେବେ କେବେ ଯନ୍ତ୍ରଣାଦାୟକ ହୋଇପାରେ । ସି ଅନିମୋନେ କେଉଁ ପଥର ବା ଆଉ କିଛି କଠିନ ପଦାର୍ଥକୁ ନିଜର ଏକ ବିଶେଷ ଅଙ୍ଗ ଦ୍ୱାରା ଧରି ରଖିଥାନ୍ତି । ଏମାନେ ଧୀରେ ଜାଗା ବଦଳାନ୍ତି । ବବଲ ସି ଆନିମୋନେ ଏକ ବଡ ଆନିମୋନେ ଯାହାକୁ ଦେଖିଲେ ଲାଗେ ଯେମିତି ଅନେକ ଛୋଟ ଛୋଟ ଲିଚୁ ବଲ୍ବ ପାଣିରେ ହଲୁଛି । କେତେ ଆନିମୋନେକୁ ଦେଖିଲେ ଲାଗେ ଯେମିତି ସୁନ୍ଦର ମିନିଏଚର ଚା ପିଆଲା ସବୁକୁ ସଜାଇ ରଖିଦିଆଯାଇଛି । ସ୍ୟାଣ୍ଡ ଆନିମୋନେ ସମୁଦ୍ର ବାଲିରେ ପୋତି ହୋଇ ହଲୁଥାଏ । ଜୁଏଲ ସି ଆନିମୋନେ ଦେଖିବାକୁ ଅତି ସୁନ୍ଦର । ଯେମିତି ନୀଳ ରଙ୍ଗର ମଣି କିଏ ସମ୍ରାଟର ମୁକୁଟରେ ଲଗାଇ ଦେଇଛି । ସେମିତି ଅଛି ବହୁ ପ୍ରକାରର ଆନିମୋନେ ଯଥା ମଶରୁମ ଆନିମୋନେ, ଟ୍ୟୁବ ଆନିମୋନେ, ରକ ଆନିମୋନେ ଇତ୍ୟାଦି । କିଛି ଆନିମୋନେକୁ ଦେଖିଲେ ଲାଗେ ଯେମିତି କିଏ ଏକ ଧଳା ପାତ୍ରରେ ଛୋଟ ଛୋଟ ସୁନ୍ଦର ଦେଖାଯାଉଥିବା ଘିଅ ରଙ୍ଗର ହଲୁଥିବା ସାଉଁଳିଆ ସଳିତାକୁ ସଜାଇ ରଖିଛି । କିଏ କେତେକେତେ ପ୍ରକାର ଛାପ ଭଳି ଲାଗୁଥାନ୍ତି ।
ସମୁଦ୍ର ଭିତରେ ଅଛି ସି ଫ୍ୟାନ୍ସ ବା ଜାପାନୀ ହାତ ପଂଖା ଭଳି ଦ୍ରୁମ । ସତେ ଯେମିତି ବଡ ବଡ ଫର୍ଣ୍ଣ ଭଳିଆ ଗଛ ପବନରେ ହଲୁଛି । ପାଣି ଭିତରେ ଅଛି କେତେ କେତେ ପ୍ରକାରର ସି ଓର୍ମ । ଫ୍ୟାଟ ଓର୍ମ, ଟ୍ୟୁବ ଓର୍ମ, ସ୍କେଲ ଓର୍ମ, ବ୍ରିଷ୍ଟିଲ ଓର୍ମ ଆଦି କେତେ ଯେ କେତେ ପ୍ରକାରର ଓର୍ମ । ରିବନ ଓର୍ମ ତ ଗୋଟାଏ ଲମ୍ବା ରିବନ ଭଳି ଲମ୍ବିଯାଇଥିବ ଆଉ ସେଥିରେ ରିବନରେ ଖୋସା କଲାଭଳି ଫୁଲ ତିଆରି ହୋଇଯାଇଥିବ ।
କିଛି ଯାଗାରେ କୋରାଲର ରଙ୍ଗ ଟିକେ ଫିକା ପଡିଯାଇଥାଏ, ଲାଗେ ଯେମିତି ରଙ୍ଗ ଛାଡିଯାଇଛି । ଅନେକ ସ୍ଥାନରେ ଷ୍ଟାର ଫିସ (ଯେମିତି କି କ୍ରାଉନ ଅଫ ଥର୍ଣ୍ଣ ଷ୍ଟାରଫିସ) ଆଙ୍ଗୁଠି ଆଙ୍ଗୁଠି ହୋଇ ଡାଳ ଭଳି ମେଲାଇଥିବା ଆକ୍ରୋପୋରା କୋରାଲକୁ ଖାଇଦେଇଥାନ୍ତିି ।ଯଦି କେଉଁଠି କୋରାଲର ଉପର ମୁଣ୍ଡ ଧଳା ଦେଖାଯାଉଛି, ତେବେ ସେଠାରେ ଏହି ଷ୍ଟାର ଫିସର ଉପସ୍ଥିତି ଜଣା ପଡିଯାଏ । ଅଧିକାଂଶ ଷ୍ଟାର ଫିସଙ୍କର ପାଞ୍ଚୋଟି ବାହୁ ଥାଏ ।
ତା’ ଛଡା ଯଦି ସମୁଦ୍ର ପାଣିର ତାପମାନ ବଢିଯାଏ, ତେବେ କୋରାଲ ବ୍ଲିଚିଙ୍ଗ ହେବାର ଦେଖାଯାଏ ।ଏହି ବ୍ଲିଚିଙ୍ଗ ବା ହଠାତ୍ ଧଳା ପଡିଯିବା ସାଧାରଣତଃ କ୍ଷଣସ୍ଥାୟୀ । କିନ୍ତୁ ଏମିତି ଉତ୍ତାପର ବୃଦ୍ଧି ଯଦି କ୍ରମାଗତ ଲାଗି ରହିଲା ତେବେ ଏହି ବ୍ଲିଚିଙ୍ଗ ସ୍ଥାୟୀ ହୋଇଥାଏ । କୋରାଲ ପଲିପରେ ବାସ କରୁଥିବାଏକ ପ୍ରକାର ବ୍ଲୁ ଗ୍ରୀନ ଅଲଗାଇ କୋରାଲରୁ ଅଲଗା ହୋଇଯାଏ । ଫଳରେ କୋରାଲ ପଲିପ ଆଉ ଖାଦ୍ୟ ସଂଗ୍ରହ କରିପାରେନା । ଫଳତଃ କୋରାଲ ପଲିପର ମୃତ୍ୟୁ ଘଟେ । ଥରେ କୋରାଲର ମୃତ୍ୟୁ ହେଲେ ଧଳା ଅସ୍ଥି ଦେଖାଯାଏ । ଆଉ କୋରାଲର ରଙ୍ଗ ରହିବନି । ସମୁଦ୍ରର ତାପମାନ ବଢିଲେ କୋରାଲର ରଙ୍ଗହାନି ଘଟିବ ।
“ଅବିଶ୍ୱସନୀୟ ଲାଗୁଛି । ସେମିତି ନହେଉ ଅସୀମ ।”
“ରଙ୍ଗହୀନ ଶ୍ୱେତ ଆବରଣ ହେବା ଉଚିତ ନୁହେଁ । ଧଳା ମାର୍ବଲର ଫୁଲ ଥରେ ସିନା ସୁନ୍ଦର ଦିଶିବ କିନ୍ତୁ ବାରବାର ମନକୁ ଆକର୍ଷଣ କରିପାରିବ ନାହିଁ । ମୁଁ ମନେକରୁଛି ସେମିତି ନହେଉ ଶୋଭନା ।”
“ଅସୀମ, କୋରାଲର ରଙ୍ଗ ନରହିଲେ ସମୁଦ୍ର ତଳ ସୁନ୍ଦର ଦିଶିବନି । ରଙ୍ଗ ତ ସୁନ୍ଦରତା ଆଣେ ।”-ଶୋଭନା କହି ଟିକିଏ ଅଟକିଗଲେ । ତାଙ୍କ ଆଖି ନୀଳ ସମୁଦ୍ର ତଙ୍କରେ ପାଣି ତଳେ ଲୁଚିରହିଥିବା କୋରାଲ ଉଦ୍ୟାନରେ ଯେମିତି ଘୂରିବୁଲୁଥିଲା ।
“ଅସୀମ, କୋରାଲର ଉଦ୍ୟାନକୁ କେହି ଭାଙ୍ଗିଦେଇପାରିବେନି । ଆମେ ଚେଷ୍ଟା କରିଚାଲିବା । ଏ ଉଦ୍ୟାନରେ ବାତ୍ୟା ବୋହିଯିବା ଆଗରୁ ଆମେ ପବନକୁ ଅଟକାଇଦେବା ।”- ଶୋଭନା ଅତି ଆବେଗର ସହ କହୁଥିଲେ ।
ସେମାନେ ପଶ୍ଚିମ ଉପକୂଳକୁ ଆସିଲେ । ସେଇଠି କୋରାଲର ରଙ୍ଗ ଥିଲା ଅତି ସୁନ୍ଦର, ଅପୂର୍ବ, ଅବର୍ଣ୍ଣନୀୟ ।
ଗୋଟାଏ ଯାଗାରେ ପଥରକୁ ଘେରିଯାଇଥିଲା ସବୁଜ ରଙ୍ଗର ମୋଟା ଭେଲଭେଟ ଶିଉଳି । ଏଇଟା ଶିଉଳି କି କୋରାଲ ସେଇଟା ଅସୀମ ଜାଣିପାରିଲେ ନାହିଁ । ବୋଧହୁଏ କିଛି ସଫ୍ଟ କୋରାଲ ହୋଇଥିବ । କୋରାଲ ବିଚମାନ କୂଳଆଡକୁ ଥିଲା । ସମୁଦ୍ରପାଣି ଏଗୁଡିକୁ ଅଧିକାଂଶ ସମୟରେ ବୁଡାଇ କିଛି ସମୟପାଇଁ ଟିକେ ଖୋଲା ଛାଡିଦିଏ । ଅନ୍ୟ ଜାଗା ଭଳି ଏଠି କୋରାଲ ବଗିଚାରେ ଫୁଲର ଚାଙ୍ଗୁୁଡି ଥିଲା ସବୁଆଡେ । ତଳଆଡକୁ କୋରାଲ ଟିକେ କାଳିଚିଆ ଥିଲା କିନ୍ତୁ ଉପର ଆଡକୁ ଥିଲା ହଳଦିଆ ଧଳା, ତା’ଛଡା ଥିଲା ସେ ଭିତରେ କେତେ ରଙ୍ଗର କୋରାଲ । ହାର୍ଡ କୋରାଲ ଖଣ୍ଡମାନଙ୍କ ମଝିରେ ମଝିରେ ଥିଲା କିଛି ସଫ୍ଟ କୋରାଲ । କିଛି କିଛି ବଡ ଆକାରର ଥିଲା । ରଙ୍ଗ ଥିଲା ଉଜ୍ଜ୍ୱଳ ନୀଳ ଧଳା, କିଛି ଜାଗାରେ ସବୁଜିଆ ଧାର ବୁଲିଯାଇଛି । ଏପଟେ ବେଶି ମାସିଭ କୋରାଲ ଦେଖାଯାଉଥିଲା ।ବୋଧହୁଏ ସଫାଷ୍ଟ୍ରିୟା ବା ଲେପ୍ଟାଷ୍ଟି୍ରୟା ଶ୍ରେଣୀର କୋରାଲ ।ଲାଗୁଥିଲା ଯେମିତି ଏକ ଏକ ଆସ୍ତରଣ । ଏକ କୋରାଲ ଶ୍ରେଣୀର ତଳ ଆଡକୁ ଥିଲା ଗୋଲାପୀରଙ୍ଗର ଫୁଲ କଢି ଭଳି ଦେଖାଯାଉଥିବା ସୁନ୍ଦର କୋରାଲ । ବୋଧହୁଏ ମେରୁଲିନା ପ୍ରଜାତିର । ଏମାନଙ୍କୁ କ’ଣ ରେଡ କୋରାଲ କୁହାଯାଏ କି? ସେଇଟା ଅସୀମ ଜାଣି ନଥିଲେ । ପାଣି ଭିତରେ କିନ୍ତୁ ଗୋଲାପୀ ରଙ୍ଗ ଚମକୁଥିଲା । କେଉଁଠି କେଉଁଠ ପଥର ଛତୁ ଭଳି ବୋଧହୁଏ ମୋଣ୍ଟିପୋରା କୋରାଲମାନ ପଥର ଉପରେ ଫୁଟିଯାଇଥିଲା । ଅନେକ ଅନେକ ମୋଣ୍ଟିପୋରା କୋରାଲ ଥିଲା ଚାରିଆଡେ ।
“ପଥରର ଫୁଲ ।”- ଶୋଭନା କହିଉଠିଲେ ।
“ପଥରର ମଶରୁମ ।”- ଅସୀମ କହିଲେ ।
ଯାଗାଏ ଯାଗାଏ ମେରୁଲିନା ପ୍ରଜାତିର ବା ପୋସିଲିଓପୋରା ପ୍ରଜାତିର କୋରାଲ ଲାଗୁଥିଲା ମାଣିକ୍ୟ ବା ରୁବିର ତିଆରି ଛୋଟ ଗଛମାନ ।ସମୁଦ୍ରର ମାଲିକ କୁବେରଙ୍କ ରତ୍ନ ପେଡି ସେମାନଙ୍କ ଆଗରେ ଖୋଲିଥିଲା । ସମୁଦ୍ର ତ ରତ୍ନର ଗନ୍ତାଘର । ଯେତେ ଦେଖ, ଦେଖା ସରିବନି । ସବୁ ରଙ୍ଗର ରତ୍ନ ଅଛି ସମୁଦ୍ରର ରତ୍ନ ଭଣ୍ଡାରରେ ।
ବୋଧହୁଏ ଟର୍ବିନାରିଆ ପ୍ରଜାତିର କୋରାଲ ବାହାରି ଆସିଥିଲା ପାଣିର ଉପରକୁ । ସେ କୋରାଲ ଦିଶୁଥିଲା ଅସାମାନ୍ୟ । ସମୁଦ୍ର ଭିତରୁ ଫୁଲର ମୋଟ ପାଖୁଡାମାନ ବାହାରିଆସିଛି । ଫୁଲର ଗାଢ ବାଦାମୀ ରଙ୍ଗ, ପାଖୁଡାର ଉପର ଧାର ଧଳା । ସମୁଦ୍ର ଫୁଲରେ ଅଛି କେତେ କେତେ ପାଖୁଡା । କେଉଁ ପାଖୁଡା ଟିକେ ମଉଳି ଯାଇନି । କୋରାଲ ପଥର ମଝିରେ ମଝିରେ ବୋଧହୁଏ ପୋରିଟେସ ପ୍ରଜାତିର ସାମାନ୍ୟ ଧଳା ରଙ୍ଗର କୋରାଲ ଥିଲା । ଏକ ଏକ ଧଳା ଗୋଲାପୀ ଅଣ୍ଡା ପରି ବାହାରି ଆସିଥିଲା । ଏକ ମରିଯାଇଥିବା କୋରାଲ ପଥରକୁ ଏହି ସଫ୍ଟ କୋରାଲ ଘୋଡାଇ ପକାଉଥିଲା । ରଙ୍ଗ ଦୂରରୁ ଦିଶୁଥିଲା ଉଜ୍ଜ୍ୱଳ । କିଛି ଫୁଟ ଦୂରରେ ଥିଲା ସବୁଜ ରଙ୍ଗର ଛୋଡ ଛୋଟ ପାହାଡର ଢାଞ୍ଚା । କେହି ଯେମିତି ଏକ ମଡେଲ ଗଢି ସେଥିରେ ସବୁଜ ରଙ୍ଗ ଚଢାଇ ଦେଇଛି । ହୋଇପାରେ ବୋଧେ ପୋରିଟେସ ପ୍ରଜାତିର କୋରାଲ । ତା’ ତଳେ ଥିଲା ପାଣି ମନ୍ଦାଏ ଆଉ ସେଠି ଛପିଥିଲା ଏକ କଳା ରଙ୍ଗର ବଡ କମନ ଲଙ୍ଗ ସ୍ପାଇନ ସି ଅର୍ଚ୍ଚିନ । ତାହେରେ ଥିଲା ଅସଂଖ୍ୟ ଲମ୍ବା ଛୁଞ୍ଚୀ ଭଳିଆ କଳା କଳା କଣ୍ଟାମାନ । ଲାଗୁଥିଲା ଯେମିିତି ଝିଙ୍କଟିଏ କେଉଁ ଖୋଲରେ ଛପିଛି, ଜାଗା ଯଥେଷ୍ଟ ନହେବାରୁ ଦେହର କଣ୍ଟାମାନ ଟିକେ ଟିକେ ଦେଖାଯାଉଛି ।(କ୍ରମଶଃ)
ଭୁବନେଶ୍ୱର