୬ ବର୍ଷରେ ୯୬ ହାତୀଙ୍କ ମୃତ୍ୟୁ

୬ ବର୍ଷରେ ୯୬ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢି ଚାଲିଥିବାବେଳେ ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁ ଓ ଅସୁସ୍ଥ ଖବର ମିଳୁଛି। କେତେବେଳେ ଶିକାରୀଙ୍କ ଗୁଳି ତ ଆଉ କେତେବେଳେ ଟ୍ରେନ୍‌ ଦୁର୍ଘଟଣା ଏବଂ ବିଦ୍ୟୁତ୍‌ ଆଘାତ ସେମାନଙ୍କ ପାଇଁ କାଳ ସାଜୁଛି। ତେବେ ବିଦ୍ୟୁତ୍‌ ଆଘାତରେ ଅଧିକାଂଶ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୬ବର୍ଷରେ ରାଜ୍ୟରେ ବିଦ୍ୟୁତ୍‌ ଆଘାତରେ ୯୬ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି। ୨୦୧୯ରେ ବିଦ୍ୟୁତ୍‌ ଆଘାତରେ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ ୨ଟି ହାତୀଙ୍କର ଆକ୍ସିଡେଣ୍ଟାଲ୍‌ ଅର୍ଥାତ୍‌ ଝୁଲି ରହିଥିବା ବିଦ୍ୟୁତ୍‌ ତାର କିମ୍ବା ଟ୍ରାନ୍ସଫର୍ମରରେ ଶୁଣ୍ଢ ଗଳାଇ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଛି। ବାକି ୭ଟି ହାତୀଙ୍କ ଡେଲିବରେଟ୍‌ ଅର୍ଥାତ୍‌ ବିଦ୍ୟୁତ୍‌ ଫାଶ କିମ୍ବା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍‌ ତାର ଆଘାତରେ ମୃତ୍ୟୁ ହୋଇଛି। ସେହିପରି ୨୦୨୦ରେ ୮ ହାତୀ, ୨୦୨୧ରେ ୧୧ ହାତୀ, ୨୦୨୨ରେ ୨୧ ହାତୀ, ୨୦୨୩ରେ ୨୨ ହାତୀ ଏବଂ ୨୦୨୪ ନଭେମ୍ବର ୨୦ ସୁଦ୍ଧା ୨୫ ହାତୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଏହିପରି ୬ବର୍ଷରେ ଆଖି ବୁଜିଥିବା ୯୬ଟି ହାତୀଙ୍କ ମଧ୍ୟରୁ ୭୯ଟି ହାତୀଙ୍କର ଡେଲିବରେଟ୍‌ ଏବଂ ୧୭ଟି ହାତୀଙ୍କ ଦୁର୍ଘଟଣାବଶତଃ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସେହିପରି ଚଳିତବର୍ଷ ଜାନୁଆରୀରୁ ଏଯାଏ ୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ୫୦ଟି ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। କେଉଁ କାରଣ ପାଇଁ ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁ ହେଉଛି, ତାହାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏତେ ପରେ ବି ହାତୀମୃତ୍ୟୁରେ ରୋକ୍‌ ଲାଗିପାରୁ ନାହିଁ। ତେଣୁ ଏହାକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡିର ତଥ୍ୟ ଅନୁଯାୟୀ, ରାଜ୍ୟରେ ଯେତିକି ହାତୀ ରହିବା କଥା, ଏବେ ତା’ଠାରୁ ୪ଶହ ଅଧିକ ହାତୀ ଅର୍ଥାତ୍‌ ମୋଟ୍‌ ୨୦୯୮ ହାତୀ ଅଛନ୍ତି। ମାତ୍ର ଯେଉଁ ମାତ୍ରାରେ ହାତୀଙ୍କ ମୃତ୍ୟୁ ହେଉଛି ତାକୁ ଆକଳନ କଲେ, ଆଉ କିଛିବର୍ଷ ପରେ ରାଜ୍ୟ ହାତୀଶୂନ୍ୟ ହେବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ କହିଛନ୍ତି, ବିଦ୍ୟୁତ୍‌ ଆଘାତରେ ହାତୀଙ୍କ ସମେତ ଅନେକ ସମୟରେ ଲୋକଙ୍କର ମଧ୍ୟ ଜୀବନ ଯାଉଛି। ତେଣୁ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ମିଳିତ ଭାବେ କାମ କଲେ, ନିଶ୍ଚିତ ଭାବେ ହାତୀ ମୃତ୍ୟୁରେ ରୋକ ଲାଗିପାରିବ। ଏବେ ବନ ବିଭାଗ ମଧ୍ୟ ଓ୍ବାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ୍‌ ଆକ୍ଟ ଅନୁଯାୟୀ ନିଜଆଡୁ ମାମଲା ଦାୟର କରୁଛି ଏବଂ ଦୋଷୀଙ୍କୁ ଧରାଯାଉଛି। ବିଦ୍ୟୁତ୍‌ ବିଭାଗ ପାଓ୍ବାର ସପ୍ଲାଏ କରୁଛି। ତେଣୁ କୌଣସି ସ୍ଥାନରେ ହୁକିଂ ଦ୍ୱାରା ବିଦ୍ୟୁତ୍‌ ଚୋରି ହେଲେ ସେମାନେ ମାମଲା ଦାଏର କରିବା ଆବଶ୍ୟକ ବୋଲି ପିସିସିଏଫ୍‌ କହିଛନ୍ତି।