ଭୋଟ ପ୍ରକି୍ରୟାରେ ‘ନୋଟା’ର ମହତ୍ତ୍ୱ
ଓଡ଼ିଶା ଭୋଟ ୨୪ ପାଇଁ ପୁରା ପ୍ରସ୍ତୁତ । ତିନି ତିନଟି ବଡ଼ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ବିଜେପି ନିଜର ପ୍ରଭାବୀ ଢ଼ଙ୍ଗରେ ପ୍ରଚାର କରି ଲୋକମାନଙ୍କ ପାଖକୁ ଯାଉଛନ୍ତି । ଦଳର ଇସ୍ତାହାର ଅଛି, ମଜଭୁତ ସଂଗଠନ ଅଛି, ଅର୍ଥ ପ୍ରତିପତ୍ତି ସବୁକିଛି ଅଛି ହେଲେ ପ୍ରତିବର୍ଷ ନୋଟାରେ ଭୋଟ ପରିମାଣ ବଢ଼ୁଛି କାହିଁକି? ଏହାର ସିଧାସଳଖ ଉତ୍ତର ହେଉଛି ନିର୍ବାଚନରେ ଛିଡ଼ା ହେଉଥିବା ଆମର ଲୋକପ୍ରତିନିଧିମାନେ ଜନତା ଜନାର୍ଦ୍ଦନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହାଁନ୍ତି । ଓଡ଼ିଶାର ଅସ୍ମିତା, ସ୍ୱାଭିମାନ ନିଜ ଅଞ୍ଚଳର ବିକାଶ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱ ସର୍ବୋପରି ଲୋକମାନଙ୍କ ସହ ବେଶ ଭଲ ଭାବେ ମିଶି ପାରୁଥିବା ପ୍ରତିନିଧି ନିର୍ବାଚନକୁ ଆସିଲେ ବିଜୟ ସମ୍ଭାବନା ସୁନିଶ୍ଚତ । ତେବେ ସର୍ବାଧିକାର ହେଉ ଓଡ଼ିଶାର ବିକାଶ, ଏ ଜାତିର ପ୍ରଗତି ଆଉ ଆମ ମାଟି ମୂଲକର ସର୍ବାଙ୍ଗୀନ ଉନ୍ନତି । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଫଳ ଶାସନ ବ୍ୟବସ୍ଥା ପାଇଁ ନିର୍ବାଚିତ ଉତ୍ତରଦାୟୀ ସରକାରର ଆବଶ୍ୟକତା ରହିଛି । କିନ୍ତୁ ଦିନକୁ ଦିନ ପ୍ରାର୍ଥୀ ମାନଙ୍କ ଛବି କେତେକ କ୍ଷେତ୍ରରେ ମଳିନ ହେଉଥିବାବେଳେ ଆଉ କେତେକ କ୍ଷେତ୍ରରେ ସେମାନେ ନିର୍ବିବାଦୀୟ ଓ ଗ୍ରହଣୀୟ ହୋଇପାରୁନାହାଁନ୍ତି । ଆଜିର ନିର୍ବାଚନ ପ୍ରସଙ୍ଗରେ ନୋଟା ସମ୍ବନ୍ଧରେ ଆଲୋକପାତ କରୁଛୁ । ସାଧାରଣ ନିର୍ବାଚନରେ ନୋଟା (ନନ୍ ଅଫ୍ ଦି ଏବଭ୍)ର ଗୁରୁତ୍ୱ ବଢ଼ିବାରେ ଲାଗିଛି । ଭାରତୀୟ ନିର୍ବାଚନ ଆୟୋଗ (ଇସିଆର)ଙ୍କ ତଥ୍ୟ ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ଦେଶରେ ୬୦ ଲକ୍ଷରୁ ଅଧିକ ଭୋଟ୍ ନୋଟାରେ ପଡ଼ିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଥିଲାା ୩,୩୨,୭୬୬ । ଯାହାକି ଓଡ଼ିଶାରେ ଥିଲା ମୋଟ ଭୋଟ୍ ଦାନର ୧.୫୫ ପ୍ରତିଶତ । ସର୍ବାଧିକ ନୋଟା ଭୋଟ ପଡ଼ିଥିବା ଦେଶର ୧୦ ସଂସଦୀୟ କ୍ଷେତ୍ର ମଧ୍ୟରେ ଓଡ଼ିଶାରୁ ଥିଲା ୨ । ନବରଙ୍ଗପୁରରେ ନୋଟାରେ ୪୪.୪୦୮ ଭୋଟ ପଡ଼ିଥିଲା । ଏହା ମୋଟ୍ ଭୋଟଦାନର ଥିଲା ୪.୩୪ ପ୍ରତିଶତ । ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ନୋଟାକୁ ଯାଇଥିଲା ୩୩,୨୩୨ ଭୋଟ୍ ଏହା ମୋଟ୍ ଭୋଟ ଦାନର ୩.୩୫ ପ୍ରତିଶତ ଥିଲା ।
୨୦୧୯ ସାଧାରଣ ନିର୍ବାଚନରେ ଦେଶରେ ୬୫,୨୨,୭୭୨ ମତଦାତା ନୋଟା ବଟନ୍ ବ୍ୟବହାର କରିଥିଲେ । ବିହାରରେ ସର୍ବାଧିକ ଦୁଇ ପ୍ରତିଶତ, ନାଗାଲ୍ୟାଣ୍ଡରେ ସର୍ବନିମ୍ନ ୦.୧୯ ପ୍ରତିଶତ ନୋଟାକୁ ଭୋଟ୍ ଯାଇଥିଲା । ତଥ୍ୟ ଅନୁସାରେ ଲୋକସଭାର ୮୦ ପ୍ରତିଶତ ଆସନରେ ନୋଟା ଭୋଟ୍ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିଥିଲା । ଅନେକ ଆସନରେ ବିଜୟ ଓ ପରାଜୟର ନୋଟାର ପ୍ରଭାବ ଦେଖିବାକୁ ମିଳିଥିଲା । ଗତ ନିର୍ବାଚନରେ ଓଡ଼ିଶାରେ ନୋଟାକୁ ୩,୧୦,୮୨୪ ଭୋଟ୍ ମିଳିଥିଲା । ଏହା ମୋଟ ଭୋଟ ଦାନର ୧.୩୧ ପ୍ରତିଶତ ଥିଲା । ନୋଟା ବ୍ୟବହାରରେ ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ଥିଲା । ଓଡ଼ିଶାର ୨୦ଟି ସଂସଦୀୟ କ୍ଷେତ୍ରରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପରେ ନୋଟାକୁ ସର୍ବାଧିକ ଭୋଟ ଯାଇଥିଲା । ସୁନ୍ଦରଗଡ଼ରେ ନୋଟା ଭୋଟ ସଂଖ୍ୟା ପଞ୍ଚମ ସ୍ଥାନରେ ଥିଲା ଓ ୧୩ଟି ସଂସଦୀୟ କ୍ଷେତ୍ରରେ ନୋଟାକୁ ୧୦ ହଜାରରୁ ଅଧିକ ଭୋଟ ମିଳିଥିଲା । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନୋଟାକୁ ସର୍ବାଧିକ ୪୪.୫୮୨ ଭୋଟ ମିଳିଥିଲା । ବିଜେଡ଼ିର ରମେଶ ଚନ୍ଦ୍ର ମାଝୀ କଂଗ୍ରେସର ପ୍ରଦୀପ ମାଝୀଙ୍କୁ ୪୧.୬୩୪ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ଏଠାରେ ଏହାଠାରୁ ଅଧିକ ଭୋଟ୍ ନୋଟାରେ ପଡ଼ିଥିଲା କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜେଡ଼ି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୩,୬୧୩ ଭୋଟ ବ୍ୟବଧାନରେ ପରାସ୍ତ କରିଥିବାବେଳେ ନୋଟାକୁ ମିଳିଥିଲା ୩୬,୫୬୧ ଭୋଟ । ସେହିଭଳି ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜେଡ଼ିର ନଳୀନିକାନ୍ତ ପ୍ରଧାନଙ୍କୁ ୯,୧୬୨ ଭୋଟରେ ପରାସ୍ତ କରିଥିବା ବେଳେ ନୋଟାକୁ ମିଳିଥିଲା ୧୩,୪୫୬ ।
୨୦୧୩ ମସିହାରେ ସୁପି୍ରମକୋର୍ଟ ପିୟୁସିଏଲ୍ ବନାବ ନିର୍ବାଚନ କମିଶନ ମାମଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଜନପ୍ରତିନିଧି ଆଇନର ତର୍ଜମା କରିଥିଲେ । ଯେହେତୁ ନାଗରିକମାନଙ୍କର ଭୋଟ ଦେବାର ଅଧିକାର ଅଛି, ସେହେତୁ ସେମାନଙ୍କର ଭୋଟ ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବାର ମଧ୍ୟ ଆଇନଗତ ଅଧିକାର ଅଛି । ଏହାପରେ ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶରେ ଜନପ୍ରତିନିଧି ଆଇନରେ ସଂଶୋଧନ ହେଲା ଏବଂ ତା’ପରଠାରୁ ଲୋକସଭା, ବିଧାନସଭା, ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ନିର୍ବାଚନରେ ‘ନୋଟା’ର ବ୍ୟବସ୍ଥା କରାଗଲା । ଏହାର ଅର୍ଥ ହେଲା ଯେ ମତଦାତା ଯଦି ସମସ୍ତ ପ୍ରାର୍ଥୀଙ୍କୁ ପସନ୍ଦ ନ କରନ୍ତି ସେଥିପାଇଁ ମଧ୍ୟ ବଟନ୍ ଟିପି ନିଜର ବିରୋଧ ପଞ୍ଜୀକୃତ କରିପାରିବେ । ‘ନନ୍ ଅଫ୍ ଦି ଏବୋଭ’ (ସଂକ୍ଷିପ୍ତରେ ନୋଟା) ସେହିଦିନଠାରୁ ଭାରତର ନିର୍ବାଚନରେ ଏକ ଉଲ୍ଲେଖନୀୟ ବ୍ୟବସ୍ଥା ହୋଇ ଉଭା ହୋଇଛି । ନିକଟରେ ଏହି ‘ନୋଟା’ ବ୍ୟବସ୍ଥା ସମ୍ପର୍କୀୟ ମାମଲା ପୁଣି ସୁପି୍ରମକୋର୍ଟରେ ଦାୟର କରାଯାଇଛି । ଗତ ପ୍ରାୟ ଦଶବର୍ଷରେ ବିଭିନ୍ନ ନିର୍ବାଚନରେ ‘ନୋଟା’ ବ୍ୟବସ୍ଥାକୁ ନେଇ ଯେଉଁ କେତେକ ବିବାଦୀୟ ସ୍ଥିତି ସାମ୍ନାକୁ ଆସିଛି ତାହାର ତର୍ଜମା କରି ସମାଧାନ କରିବା ପାଇଁ ଖ୍ୟାତନାମା ବାଗ୍ମୀ ଶିବ ଖେରା ଉଚ୍ଚତମ ଅଦାଲତରେ ଏହି ପ୍ରାର୍ଥନା କରିଛନ୍ତି । ଗତ କିଛି ବିର୍ଷ ମଧ୍ୟରେ ଭାରତରେ ବିଭିନ୍ନ ନିର୍ବାଚନରେ ‘ନୋଟା’ ଅନ୍ତର୍ଗତ କେତେକ ବିଲକ୍ଷଣ ସ୍ଥିତି ତଥା ବ୍ୟତିକ୍ରମ ସାମ୍ନାକୁ ଆସିଛି । ସୁରାଟର ଘଟଣା ଏ ଶୃଙ୍ଖଳାରେ ଏକ ସଦ୍ୟତମ କଡ଼ି । ସେହିଭଳି ରାଜ୍ୟସଭା ନିର୍ବାଚନରେ ମଧ୍ୟ ‘ନୋଟା’ ବ୍ୟବସ୍ଥା ରଖାଯାଇଥିଲା, କିନ୍ତୁ ପରେ ବାତିଲ କରାଗଲା । ମହାରାଷ୍ଟ୍ର, ହରିଆଣା, ଦିଲ୍ଲୀ, ପୁଦୁଚେରୀ ବିଧାନସଭା ନିର୍ବାଚନରେ ଦେଖାଯାଇଥିଲା ଯେ ବିଜୟୀ ପ୍ରାର୍ଥୀ ଯେତିକି ଭୋଟ୍ ବ୍ୟବଧାନରେ ଜିଣିଥିଲେ, ‘ନୋଟା’ରେ ତା’ଠାରୁ ଅଧିକ ଭୋଟ ପଡ଼ିଥିଲା । ତା’ମାନେ ‘ନୋଟା’ରେ ପଡ଼ିଥିବା ଭୋଟ ଯେହେତୁ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ବୋଲି ଗଣାଯିବ ତେଣୁ ସେ କ୍ଷେତ୍ରରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବିଜୟୀ ବୋଲି କିପରି ଘୋଷଣା କରାଯିବ? ଏମିତି ବି ସ୍ଥିତି ଆସିଛି ଯେ ‘ନୋଟା’ ପଡ଼ିଥିବା ମୋଟ ଭୋଟ୍ ସଂଖ୍ୟା ସବୁ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟାରୁ ଅଧିକ । ଏଭଳି ପରିସ୍ଥିତିରେ ନିର୍ବାଚନ ବାତିଲ କରାଯାଇ ସାନି ମତଦାନର ଆୟୋଜନ କରାଯାଇଛି ଏବଂ ପୂର୍ବର ପ୍ରାର୍ଥୀଙ୍କୁ ନିର୍ବାଚନରେ ଭାଗ ନେବା ପାଇଁ ଅନୁମତି ମିଳିନାହିଁ । ତେଣୁ ଯଦିବା ଆଦର୍ଶଗତ ଦୃଷ୍ଟିରୁ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ମତଦାନର ପବିତ୍ରତା ବଜାୟ ରଖିବା ପାଇଁ ‘ନୋଟା’ ଅତି ଆବଶ୍ୟକ । ତେବେ ବାସ୍ତବିକ କ୍ଷେତ୍ରରେ ‘ନୋଟା’ ଜଣେ ବ୍ୟକ୍ତିବିଶେଷ ହୋଇନଥିବାରୁ ଯେଉଁଭଳି ବିସଙ୍ଗତି ଦେଖାଯାଉଛି ତାହାର ସମାଧାନ ତ ଖୋଜିବାକୁ ପଡ଼ିବ । ନଚେତ୍ ‘ନୋଟା’ ଏକ ଅର୍ଥହୀନ ପ୍ରତୀକାତ୍ମକ ବ୍ୟବସ୍ଥା ହୋଇ ରହିଯିବ । କାରଣ ‘ନୋଟା’ ପ୍ରଚଳନର ପ୍ରଧାନ ଉଦେ୍ଦଶ୍ୟ ଥିଲା, ମତଦାତାମାନଙ୍କର ପ୍ରାର୍ଥୀ ଓ ଦଳୀୟ ବ୍ୟବସ୍ଥାକୁ ବିରୋଧ କରିବାର ମୌଳିକ ଅଧିକାର ସ୍ୱୀକୃତି । ଯଦି ସବୁବେଳେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଥାଏ କିମ୍ବା ସ୍ଥାନୀୟ ସମସ୍ୟାର ସମାଧାନ ପ୍ରତି କାହାରି ନିଷ୍ଠା ଓ ଆନ୍ତରିକତା ନଥାଏ ତେବେ ମତଦାତାମାନଙ୍କର ଅସହମତି ପ୍ରକାଶ କରିବାର ଏକ ନିଶ୍ଚିତ ମାର୍ଗ ହେଲା ‘ନୋଟା’ । ଏଠାରେ ଉଲ୍ଲେଖନୀୟ ଯେ ଭୋଟକେନ୍ଦ୍ରକୁ ନ ଯିବା ତଥା ଭୋଟ ଦେବାରୁ ବିରତ ରହିବା ଏବଂ ଭୋଟ କେନ୍ଦ୍ରକୁ ଯାଇ ‘ନୋଟା’ରେ ମତଦାନ ଦେଇ ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଅସନ୍ତୋଷ ଜାହିର କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ଅବଶ୍ୟ ଭୋଟଦାନ ତଥ୍ୟରୁ ଯାହା ଦେଖାଯାଉଛି ଯେ ମୋଟ ମତଦାତା ସଂଖ୍ୟାରେ ପ୍ରାୟ ଏକ-ତୃତୀୟାଂଶ ମତଦାତା ଭୋଟ ଦେବାକୁ ଯାଉନାହାନ୍ତି । ସହରାଞ୍ଚଳରେ ଏହା ବେଶି ଦେଖାଯାଉଛି ।
ସମ୍ପ୍ରତି ନିର୍ବାଚନ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ପ୍ରଥମ ଦୁଇ ଭୋଟଦାନ ପର୍ଯ୍ୟାୟରେ ମତଦାନ ଗତ ଲୋକସଭା ନିର୍ବାଚନଠାରୁ କମିଛି । ପର୍ଯ୍ୟବେକ୍ଷକଙ୍କ ମତ ଯେ ଶିକ୍ଷିତ ଓ ସମ୍ପନ୍ନ ବର୍ଗଙ୍କ ଉଦାସୀନତା, ଅସହ୍ୟ ଗ୍ରୀଷ୍ମ ତାତି, ଦଳୀୟ ସଂକଳ୍ପ ପତ୍ରରେ ସ୍ଥାନୀୟ ସମସ୍ୟାକୁ ଉପେକ୍ଷା ଏବଂ ପ୍ରାର୍ଥୀ ମନୋନୟନ ଅଭିଜ୍ଞତା ଓ ଦକ୍ଷତା ଆଦିର ଅଭାବ ଆଦି ମତଦାତାଙ୍କ ଅନୁପସ୍ଥିତିର କାରଣ । ଯଦି ଶତପ୍ରତିଶତ ମତଦାନ ବାଧ୍ୟତାମୂଳକ ହୋଇଥା’ନ୍ତା ଏହି ଅନୁପସ୍ଥିତ ଭୋଟରମାନେ ନିଶ୍ଚୟ ‘ନୋଟା’ରେ ଭୋଟ ଦେଇଥା’ନ୍ତେ । ଏ ପର୍ଯ୍ୟନ୍ତ ‘ନୋଟା’ ଭୋଟର ପରିମାଣ ଦେଢ଼ରୁ ଦୁଇ ପ୍ରତିଶତ ଭିତରେ ରହିଛି । ବାଧ୍ୟତାମୂଳକ ଭୋଟ ହେଲେ ଏହା କେତେ ପ୍ରତିଶତ ହେବ ତାହା ସହଜରେ ଅନୁମେୟ । ତେଣୁ ‘ନୋଟା’ ବ୍ୟାବହାରିକ ପକ୍ଷରୁ ଆଇନତଃ ସୁରକ୍ଷିତ କଲେ ପ୍ରତିନିଧିମୂଳକ ଗଣତନ୍ତ୍ର ଯେ ଆହୁରି ସୁଦୃଢ଼ ହେବ ଏଥିରେ ସନେ୍ଦହ ନାହିଁ ।
‘ନୋଟା’ ବ୍ୟବସ୍ଥା ଯେତେବେଳେ ଲାଗୁ ହେଲା, ସେତେବେଳେ କେହି ଭାବିନଥିଲେ ଯେ ‘ନୋଟା’କୁ ଆଇନତଃ, ଏକ ଭୋଟ ପ୍ରାର୍ଥୀ ବୋଲି ଧରାଯିବ ଆବଶ୍ୟକ ହେବ । ସତରେ ଯଦି ‘ନୋଟା’ର ଭୋଟ ପ୍ରାର୍ଥୀଙ୍କ ସବୁ ପ୍ରାର୍ଥୀଙ୍କ ଭୋଟରୁ ଅଧିକ ହୁଏ, ଏହା କଣ ସେହି ନିର୍ବାଚନ ମଣ୍ଡଳୀର ସାମୂହିକ ଜନାଦେଶ ନୁହେଁ? ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ଯେ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ନାକଚ କଲା, ତେଣୁ ଏହାପରେ ‘ପରାଜିତ’ ପ୍ରାର୍ଥୀମାନଙ୍କୁ ସାନି ନିର୍ବାଚନରେ ପ୍ରାର୍ଥୀ ରୂପେ ପୁଣି ଥରେ ଭାଗ ନେବା ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ନୁହେଁ କି? ଏହାଛଡ଼ା ସାନି ନିର୍ବାଚନରେ ମଧ୍ୟ ଯଦି ‘ନୋଟା’ ସର୍ବାଧିକ ଭୋଟ ପାଇଲା, ତେବେ ଏହିଭଳି ନିର୍ବାଚନ କେତେଥର ପର୍ଯ୍ୟନ୍ତ କରାଯିବ? ବିଜୟୀ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନରୁ ‘ନୋଟା’କୁ ଯଦି ସର୍ବାଧିକ ଭୋଟ ମିଳେ ତେବେ ତା’ ପଛକୁ ଯେଉଁ ପ୍ରାର୍ଥୀ ରହିବେ ତାଙ୍କୁ ବିଜୟୀ ଘୋଷଣା କରାଯିବା କେତେଦୂର ଆଇନସଙ୍ଗତ? ପଞ୍ଚାୟତ ସ୍ତରର ନିର୍ବାଚନରେ ଭୋଟଦାତାଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହୁଥିବାରୁ ଏଭଳି ଅନେକ ପରିସ୍ଥିତି ସାମ୍ନାକୁ ଆସିଛି ଏବଂ ସମ୍ପୃକ୍ତ ନିର୍ବାଚନ ଅଧିକାରୀ ଆଇନ ପରିଧିରେ ରହି ବିବେକାନୁମୋଦିତ ପଦକ୍ଷେପ ନେଇଛନ୍ତି । ତେବେ ଏ ବ୍ୟବସ୍ଥାକୁ ସ୍ପଷ୍ଟ ଭାବେ ଆଇନସମ୍ମତ କରିବା ଉଚିତ ନୁହେଁ କି? ଏହିଭଳି ଅନେକ ଯୁକ୍ତିଯୁକ୍ତ ପ୍ରଶ୍ନ ଓ ପ୍ରସଙ୍ଗରେ ଉଚ୍ଚତମ ଅଦାଲତ ଦ୍ୱାରା ଶିବ ଖେରା ମାମଲାରେ ସ୍ପଷ୍ଟ ନିର୍ଣ୍ଣୟ ମିଳିବ ବୋଲି ଆମେ ଆଶା କରୁ । ତେବେ ନୋଟା ପ୍ରସଙ୍ଗ ଯାହାହେଉନା କାହିଁକି ପ୍ରାର୍ଥୀମାନେ ଗ୍ରହଣୀୟ ହୁଅନ୍ତୁ, ନିଜର ବିକାଶ ବା ଉନ୍ନତି ପରିବର୍ତ୍ତେ ରାଜ୍ୟର ବିକାଶକୁ ପ୍ରାଧାନ୍ୟ ଦେଲେ ସେମାନଙ୍କ ବିଜୟ ସୁନିଶ୍ଚିତ ।
ମୋ : ୯୪୩୭୨୨୫୬୮୯