ସଂକଟରେ କମାର ଶାଳ ବ୍ୟବସାୟ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଆଧୁନିକ ଯୁଗରେ ଲୁହା ଉପକରଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବେଶ ଚାହିଦା ରହିଛି । ପନିକୀ, କଟୁରୀ, ଦା, କୁରାଢ଼ୀ, ଟାଙ୍ଗିଆ, ନଡ଼ିଆ କୋରଣା, କଇଞ୍ଚô, ଫାଉଡ଼ା, ହାତକୋଡ଼ି ଆଦି ବହୁଳ ବ୍ୟବହାର ହେଉଛି । ମାତ୍ର ଏ ସବୁକୁ ନିର୍ମାଣ କରୁଥିବା କମାରମାନେ ଏବେ ଉପେକ୍ଷିତ । ସରକାରୀ ପ୍ରୋସôାହନ ଅଭାବରୁ କମାର ପରିବାର ତାର କୁଳ ବେଉସାକୁ ବନ୍ଦ କରି ଅନ୍ୟ ସଂସ୍ଥାରେ ମନ ଦେବାକୁ ଲାଗିଲେଣି । ଚାଷୀ ପରିବାରକୁ ବିଭିନ୍ନ ଚାଷ ସାମଗ୍ରୀ ଓ ଜନ ସାଧାରଣଙ୍କୁ ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ, ରୋଷେଇ ସାମଗ୍ରୀ ଯୋଗାଉଥିବା କମାର ଆଜି ଅଲୋଡ଼ା ହୋଇପଡ଼ିଛି । ରାଜ୍ୟ ବାହାରୁ ଆସି ଶସ୍ତାରେ ଲୁହା ଉପକରଣ ଯୋଗାଉଥିବା ପରିବାର ପାଇଁ ମଧ୍ୟ ସ୍ଥାନୀୟ କମାର ପରିବାର ଅବହେଳିତ ହୋଇପଡ଼ିଛି । ଆଧୁନିକ ଛାପରେ ଏବେ ବିଭିନ୍ନ କଳ କାରଖାନାରେ ତିଆରି ଜିନିଷ ବଜାରକୁ ଆସିବା ପରେ କମାର ନିର୍ମିତ ଜିନିଷର ଚାହିଦା କମିବାରେ ଲାଗିଛି । ଫଳରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା କମାର ପରିବାର ଆଜି ଅନ୍ୟ ବେଉସାକୁ ଆପଣେଇ ନେଲେଣି । କମାରଶାଳ ଚଳେଇବା ପାଇଁ କଞ୍ଚାମାଲ କୋଇଲା ମଧ୍ୟ ଆଉ ମିଳୁନାହିଁ । ଫଳରେ ସେମାନଙ୍କର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ କଷ୍ଟକର ହୋଇ ପଡୁଛି ବୋଲି ସେମାନେ କହିଛନ୍ତି । ଆଧୁନିକ ଯନ୍ତ୍ରପାତି ପାଇଁ ଏହି କୁଳ ବେଉସା ଏବେ ବୁଡିବାକୁ ଆସିଥିବା ବେଳେ ନୂତନ ପିଢ଼ି ଏହି ବ୍ୟବସାୟ ପ୍ରତି ମନ ବଳାଉ ନଥିବା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲା ହାଟବସ୍ତ ଅଞ୍ଚଳର ଶତ୍ରୁଘନ ମହାରଣା ପିଲାବେଳୁ କମାର ଶାଳ କରି ନିଜ ପରିବାର ପୋଷୁଥିବା ବେଳେ ଏବେ ଆଉ ଏହି ଶାଳରୁ ପରିବାର ପୋଷି ହେଉନଥିବା କହିଛନ୍ତି । ତାଙ୍କ କହିବା ଅନୁଯାଇ ପୂର୍ବରୁ ହଳ ଲଙ୍ଗଳରେ ଚାଷ ହେଉଥିଲା ଏବଂ ଦା’, କୋଦାଳ, ଗଇଁଚି ଭଳି କ୍ଷେତ କାମରେ ଲାଗୁଥିଲା କିନ୍ତୁ ତାହା ଏବେ ମେସିନ କରୁଛି ଫଳରେ ଆମ ଶାଳକୁ ଆଉ ସେ ସାମଗ୍ରୀ ଆସୁନି । ସେହିପରି କେତେବେଳେ କିଏ କଟୁରୀ ଟିଏ କି ଟାଙ୍ଗିଆ ଟିଏ ଆଣୁଛନ୍ତି । ଏବେ ଆମେ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବାପ ଅଜା ଅମଳରୁ ଏହି କୌଳିକ ବୃତ୍ତିକୁ ଜାବୁଡି ଧରି ଏପର୍ଯ୍ୟନ୍ତ କମାର ଶାଳ କରି ସେବା ଯୋଗାଉଥିବା ଗୋବର୍ଦ୍ଧନ ମହାରଣା କହିଛନ୍ତି ଆଧୁନିକ ଯନ୍ତ୍ରପାତି ଓ ମେସିନ ଦ୍ୱାରା ଶାଳ ବନ୍ଦ ହେବାକୁ ବସିଲାଣି । ସେହିଭଳି ସରକାର ଘରେ ଘରେ ଗ୍ୟାସ ଯୋଗାଇ ଦେବାରୁ ଶାଳ ପାଇଁ ଆବଶ୍ୟକ ଅଙ୍ଗାର ମିଳୁନଥିବା କହିଛନ୍ତି । ସରକାର ମଧ୍ୟ ଆମ କମାର ସମୁଦାୟ ପ୍ରତି ସେମିତି କିଛି ଆଖିଦୃଶିଆ ପଦକ୍ଷେପ କି ସହଯୋଗ ନକରିବା ପାଇଁ ଏବେ ଏହି କୁଳ ବେଉସା ଉଡିବାକୁ ବସିଥିବା ସେ କହିଛନ୍ତି ।