ବଢୁଛି ଜୁଆ ଆଡ୍ଡାର ଆସର, ନିରବ ପ୍ରଶାସନ


ବୁଗୁଡ଼ାରୁ ଶିବ ଦୋରା: ବୁଗୁଡ଼ା ଥାନା ଅନ୍ତର୍ଗତ  ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି । ପୁଲିସ ମଧ୍ୟ ଏହି ବେଆଇନ ଜୁଆଖେଳ ରୋକିବାକୁ କୌଣସି ଉଦ୍ୟମ କରୁନଥିବା ଦେଖିବାକୁ ମିଳିଛି । ବିଶେଷ କରି ପାର୍ବଣଋତୁ ବା ଦଶହରା ଆସିଲେ ବୁଗୁଡ଼ା ଅଞ୍ଚଳ ହୁଏ ଚଳଚଞ୍ଚଳ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ଚାଲେ ଜୁଆଖେଳର ଆସର । ମା’ ଦୁର୍ଗାଙ୍କ ଆଗମନ କିମ୍ବା କୁମାର ପୂର୍ଣ୍ଣିମା ଉସôବକୁ ନେଇ ଲୋକମାନେ ଯେତିକି ଉସôାହିତ ହୋଇଥାନ୍ତି, ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା'ଠାରୁ ଢେର ଅଧିକ ଉସôାହିତ ହୋଇ ପଡ଼ିଥାନ୍ତି । କାଳକ୍ରମେ ଏହି ତାସଖେଳ କିଛି ଲୋକଙ୍କ ପାଇଁ ଜୁଆଖେଳର ପରମ୍ପରାରେ ପରିଣତ ହୋଇ ନିଶା ପାଲଟି ଯାଇଥିବାର ଦେଖିବାକୁ ମିଳୁଛି । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତି ଜୁଆଖେଳ ପ୍ରତି ଆଶକ୍ତ ହୋଇ ପଡୁଛନ୍ତି । ଏପରିକି ଅନେକ ସମୟରେ ବହୁ ଜୁଆଡ଼ି ନିଜର ସର୍ବସ୍ୱ ହରାଇ ରାସ୍ତାର ଭିକାରି ପାଲଟି ଯାଇଥିବାର ନଜିର ରହିଛି । ଅଧିକନ୍ତୁ, ଏହାକୁ ନେଇ ଭୟଙ୍କର ପାରିବାରିକ କଳହର ସୁତ୍ରପାତ ହେଉଥିବା ବେଳେ ଅନ୍ୟକିଛି ବ୍ୟକ୍ତି ଆତ୍ମହତ୍ୟା କରୁଥିବାର ମଧ୍ୟ ନଜିର ରହିଛି । କେବଳ ଯେ ଦଶହରା ବା କୁମାର ପୂର୍ଣ୍ଣିମା ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲୁଥିବାର ନଜିର ରହିଛି । ପ୍ରତି ବର୍ଷ ଆଶ୍ୱିନ ମାସ ଆରମ୍ଭରୁ ହିଁ ବୁଗୁଡ଼ା ଥାନାର କିଛି ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ପୁଳାପୁଳା ଟଙ୍କା ଜବତ ସହ ବହୁ ଜୁଆଡ଼ିଙ୍କୁ କାବୁ କରିଥିବା ଦେଖିବାକୁ ମିଳୁଥିଲା ବେଳେ ଏ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି । ଭଦ୍ରମୁଖା ତଳେ ରହିଥିବା କିଛ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜୁଆଖେଳ ଆୟୋଜନ କରୁଥିବାର ଜଣାପଡ଼ିଛି । ପରିତ୍ୟକ୍ତ ସ୍ଥାନରେ, ନିଛାଟିଆ ଘର ମଧ୍ୟରେ, ଗାଁ ନିକଟ ତୋଟା କିମ୍ବା ଜଙ୍ଗଲ ମଧ୍ୟରେ ଜୁଆଖେଳ ଜୋରସୋରରେ ଚାଲିଛି । ବିଭିନ୍ନ ସ୍ଥାନରେ ଚାଲିଥିବା ଏହି ବେଆଇନ ଜୁଆଖେଳ ଆଖପାଖର ଲୋକଙ୍କ ନଜରକୁ ଆସୁଥିବା ବେଳେ ପୁଲିସ୍ କିପରି ଜାଣିପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ସ୍ଥାନୀୟ ପୁଲିସ ଜୁଆଆଡ୍ଡା ମୁଣ୍ଡିଆଳଙ୍କଠାରୁ କୁଆଡେ ବଟି ନେଇ ଆଖିରେ ପଟି ବାନ୍ଧିଥିବା କଥା ବାଟରେ ପଡି ହାଟରେ ଗଡୁଛି । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।