ଶ୍ରୀ-ଅନ୍ନ ମୂଲ୍ୟଶୃଙ୍ଖଳକୁ ସୁଦୃଢ କରିବା ନେଇ  ୟୁକେ-ଭାରତ ରଣନୀତିକ ବ୍ୟାପାର ଶୀର୍ଷକ କର୍ମଶାଳା

ଭୁବନେଶ୍ୱର : ୟର୍କ ବିଶ୍ୱବିଦ୍ୟାଳୟ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ କୃଷି ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଶ୍ରୀ-ଅନ୍ନର ମୂଲ୍ୟଶୃଙ୍ଖଳକୁ ସୁଦୃଢ କରିବା ନେଇ ୟୁକେ-ଭାରତ ରଣନୀତିକ ବ୍ୟାପାର ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଯାଇଛି । ରାଜ୍ୟ, ଜାତୀୟ ଏବଂ ବିଶ୍ୱସ୍ତରରେ ଶ୍ରୀ-ଅନ୍ନ ମୂଲ୍ୟଶୃଙ୍ଖଳର ଗବେଷଣା ଏବଂ ଏହାକୁ ବ୍ୟାପକ କରିବା ହେଉଛି ଏହି କର୍ମଶାଳାର ମୂଳ ଲକ୍ଷ୍ୟ । 
ଏହି ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ ଶ୍ରୀ-ଅନ୍ନର ବ୍ୟବହାରକୁ ବ୍ୟାପକ କରିବା ଦିଗରେ ଭାରତ ଏବଂ ୟୁକେ(ବ୍ରିଟେନ) ମଧ୍ୟରେ ସହଭାଗିତାକୁ ସୁଦୃଢ କରିବା ପାଇଁ ଏହି କର୍ମଶାଳା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । ଉନ୍ନତ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା ଏବଂ ଅତ୍ୟାଧୁନିକ ପଦ୍ଧତି ସମ୍ପର୍କରେ ଆଲୋଚନା କରି ଆମେ ଶ୍ରୀ-ଅନ୍ନର ମୂଲ୍ୟଶୃଙ୍ଖଳକୁ ଯଥେଷ୍ଟ ବୃଦ୍ଧି କରିପାରିବା । ଯାହା ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ଶ୍ରୀ-ଅନ୍ନର ପ୍ରଚାରପ୍ରସାର ମାଧ୍ୟମରେ ଶ୍ରୀ-ଅନ୍ନ ଅଭିଯାନର ବିକାଶ ଏବଂ ଦେଶରେ ଓଡ଼ିଶାକୁ ଶ୍ରୀ-ଅନ୍ନର ହବ୍‌ କରିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କର୍ମଶାଳାରେ ଆଲୋଚିତ ବହୁମୂଲ୍ୟ ମତାମତ ଆଗାମୀ ଦିନରେ ବିଭିନ୍ନ ହିତାଧିକାରୀଙ୍କ ସହ ସହଭାଗିତା କରିବାରେ ସହାୟକ ହେବା ନେଇ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟତମ ଅତିଥିଭାବେ ୟର୍କ ବିଶ୍ୱବିଦ୍ୟାଳୟ, ୟୁକେ ପ୍ରଫେସର ପିଭିସି କିରଣ ତ୍ରେହାନ୍‌, ଏସଟିଏଫସି ଫୁଡ୍‌ ନେଟୱର୍କ୍‌, ୟୁକେର ପରାମର୍ଶଦାତା ଜିଫୋରେ ମ୍ୟାକବ୍ରାଇଡ, ଇନଫୋସିସ ଲିମିଟେଡ୍‌, ୟୁକେ, ଏସ୍‌ଏଫ୍‌ଏନ୍‌ ପରାମର୍ଶଦାତା ରାକେଶ ନାୟକ, ସେଣ୍ଟର ଫର ସଷ୍ଟେନେବଲ୍‌ ଏଗ୍ରିକଲଚରର ନିର୍ଦ୍ଦେଶକ ଡଃ. ରମଣଜନେୟୁଲୁ ସିଭି ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ରାଜ୍ୟ, ଜାତୀୟ ତଥା ବିଶ୍ୱସ୍ତରରେ ଶ୍ରୀ-ଅନ୍ନର ଉତ୍ପାଦନ ବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବକରଣକୁ ନେଇ ଆଲୋଚନା କରାଯାଇଥିଲା । ଏହା ପରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ଶ୍ରୀ-ଅନ୍ନର ପ୍ରୋତ୍ସାହନ ନିମନ୍ତେ ଆଲୋଚନା କରାଯାଇଥିଲା । ତୃତୀୟ ଅଧିବେଶନରେ ଶ୍ରୀ-ଅନ୍ନ ଉତ୍ପାଦନରେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଶୀର୍ଷକ ଆଲୋଚନା ହୋଇଥିଲା । ଶେଷରେ ଅତିଥିମାନେ ଶ୍ରୀ-ଅନ୍ନର ମୂଲ୍ୟଶୃଙ୍ଖଳକୁ ସୁଦୃଢ କରିବା ପାଇଁ ଆବଶ୍ୟକ ନୀତି ଏବଂ ସମର୍ଥନ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । 
ୟର୍କ ବିଶ୍ୱବିଦ୍ୟାଳୟ ପ୍ରଫେସର ସୋନାଲ ଚୌଧାରୀ ଯୋଗଦେଇ କର୍ମଶାଳ ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । କର୍ମଶାଳାରେ ଅନ୍ତର୍ଜାତୀୟସ୍ତରରେ ଓଡିଶାକୁ ଶ୍ରୀ-ଅନ୍ନର ହବ୍‌ କରିବା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତକୁ ନେଇ ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ । ପୁଷ୍ଟିଶସ୍ୟ ଚାଷରେ ନୂତନ ଅତ୍ୟାଧୁନିକ ପଦ୍ଧତି ପ୍ରୟୋଗ ଦ୍ୱାରା ଦେଖାଯାଉଥିବା ସମସ୍ୟା ଏବଂ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ବିହନ ଏବଂ ଅମଳ ପରବର୍ତ୍ତୀ ପରିଚାଳନା, ଜିଆଇଏସ୍‌ - ରିମୋଟ ସେନ୍ସିଂ ମଡେଲିଂ ଏବଂ ଡାଟା ଆନାଲିଟିକ୍ସ ଆଦି ଭଳି ଅତ୍ୟାଧୁନିକ ପଦ୍ଧତି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାବ୍ୟତୀତ ଶ୍ରୀ-ଅନ୍ନ ବା ପୁଷ୍ଟିଶସ୍ୟ ଚାଷରେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଏବଂ ପାରମ୍ପରିକ ପଦ୍ଧତିରେ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ 
କରାଯାଇଥିଲା । ପୁଷ୍ଟିଶସ୍ୟ ଉତ୍ପାଦନ ବୃଦ୍ଧି ଓ ବ୍ୟବସାୟିକରଣକୁ ବ୍ୟାପକ କରିବା ଦିଗରେ ସରକାରଙ୍କ ତରଫରୁ ଦିଆଯାଉଥିବା ପ୍ରୋତ୍ସାହନ ସମ୍ପର୍କରେ ଆଲୋକପାତ କରିଥିଲେ । 
ଏହି କର୍ମଶାଳାରେ ୟୁକେ(ବ୍ରିଟେନ) ଏବଂ ଭାରତର ବିଭିନ୍ନ ଅନୁଷ୍ଠାନ, ସଂଗଠନ ଏବଂ ସରକାରୀ ଯୋଜନାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ୟର୍କ ବିଶ୍ୱବିଦ୍ୟାଳୟ, ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ, ଇନଫୋସିସ୍‌ ୟୁକେ, i୩୬୯ ଇନୋଭେସନ୍‌, ସେଣ୍ଟର୍‌ ଫର ସଷ୍ଟେନେବୁଲ ଅଗ୍ରିକଲଚର୍‌, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟ୍‌ ରିସର୍ଚ୍ଚ, ଇନଷ୍ଟିଚ୍ୟୁଟ୍‌ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଇକ୍ରିସାଟ, ଏମ୍‌. ଏସ୍‌. ସ୍ୱାମୀନାଥନ୍‌ ଗବେଷଣା ପ୍ରତିଷ୍ଠାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଶ୍ରୀ-ଅନ୍ନ ଅଭିଯାନ, ପ୍ରଗତି ଆଦିରୁ ବହୁ ଅଂଶଗ୍ରହଣକାରୀ ଯୋଗଦେଇ ଉଭୟ ଦେଶ ତଥା ବିଶ୍ୱସ୍ତରରେ ଶ୍ରୀ-ଅନ୍ନର ମୂଲ୍ୟଶୃଙ୍ଖଳକୁ ସୁଦୃଢ କରିବା ପାଇଁ ଆବଶ୍ୟକ ରଣନୀତି ଉପରେ ଆଲୋଚନା କରିଥିଲେ ।