ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ବୟାନ

 ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲିଛନ୍ତି। ଏନେଇ ଖବର ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଛି। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍‌ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ’ ବୋଲି ସେ କହିଛନ୍ତି।