ଏସ୍ଏମ୍ଏସ୍ ପଠାଇବା କ୍ଷେତ୍ରରେ ଓଡ଼ିଶା ଚତୁର୍ଥ
ଓଡ଼ିଶାର ମୋବାଇଲ ଫୋନ ବ୍ୟବହାରକାରୀମାନେ ମାସକୁ ପ୍ରାୟ ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି । ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି । ୨୦୨୫ ମାର୍ଚ୍ଚ ଶେଷରେ ପ୍ରକାଶ ପାଇଥିବା ଟ୍ରାଇର ତ୍ରୟମାସିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମୋବାଇଲ ବ୍ୟବହାରକାରୀଙ୍କ ମାସିକ ଏସ୍ଏମ୍ଏସ୍ ପଠାଇବା ସଂଖ୍ୟା ୧୬ ରହିଛି ସାରା ଦେଶରେ ଟେଲିକମ୍ ସର୍କଲଗୁଡ଼ିକ ମଧ୍ୟରେ ଏସ୍ଏମ୍ଏସ୍ ପଠାଇବା କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଦେଶରେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ କ୍ଷେତ୍ରରେ ସର୍ବାଧିକ ଏସ୍ଏମ୍ଏସ୍ ଆସାମର ଲୋକମାନେ ପଠାଉଛନ୍ତି । ସେଠାରେ ଏହି ସଂଖ୍ୟା ୨୩ ରହିଛି । ଏହା ପଛକୁ ଉତ୍ତର ପୂର୍ବ ସର୍କଲରେ ଏସ୍ଏମ୍ଏସ୍ ପଠାଇବା ସଂଖ୍ୟା ୨୨ ରହିଛି । ତୃତୀୟ ସ୍ଥାନରେ ଜମ୍ମୁ କାଶ୍ମୀର ଅଛି । ଜମ୍ମୁ କାଶ୍ମୀରରେ ମୋବାଇଲ ଫୋନ ବ୍ୟବହାରକାରୀମାନେ ମାସକୁ ୨୦ଟି ଏସ୍ଏମ୍ଏସ୍ ପଠାଉଛନ୍ତି । ଏହା ପଛକୁ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିବା ଟ୍ରାଇ ତଥ୍ୟରେ କୁହାଯାଇଛି । ଓଡ଼ିଶାରେ ମାର୍ଚ୍ଚ ମାସରେ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ସାଢ଼େ ୩ କୋଟି ରହିଥିଲା । ରାଜ୍ୟରେ ଜଣପିଛା ଏସ୍ଏମ୍ଏସ୍ ପ୍ରେରଣ ୧୬ ରହିଥିବାରୁ ମୋବାଇଲ ଗ୍ରାହକଙ୍କ ସଂଖ୍ୟାଦୃଷ୍ଟିରୁ ରାଜ୍ୟବାସୀ ମାସିକ ମୋଟ ପାଖାପାଖି ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି । ଅନ୍ୟପକ୍ଷରେ ଦେଶରେ ସବୁଠୁ କମ୍ ଏସ୍ଏମ୍ଏସ୍ କେରଳର ମୋବାଇଲ ଫୋନ ବ୍ୟବହାରକାରୀ ପଠାଉଛନ୍ତି । ସେଠାରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ପ୍ରେରଣ ୫ ରହିଛି ।
ଏହା ଉପରେ ତାମିଲନାଡ଼ୁ, ହରିୟାଣା, ପଞ୍ଜାବ ଓ ମୁମ୍ବାଇ ରହିଛନ୍ତି। ଏସବୁ ସର୍କଲରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ପ୍ରେରଣ ୭ ରହିଛି । ଏମାନଙ୍କ ଉପରେ ହିମାଚଳପ୍ରଦେଶ, କୋଲକାତା, ଦିଲ୍ଲୀ ଆଦି ସର୍କଲ ରହିଛନ୍ତି । ଏସବୁ ସ୍ଥାନରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ପ୍ରେରଣ ୮ରେ ରହିଛି । ଜାତୀୟସ୍ତରରେ ମାସିକ ମୁଣ୍ଡପିଛା ଏସ୍ଏମ୍ଏସ୍ ୧୦ ରହିଥିବାବେଳେ ଓଡ଼ିଶା ଭଳି ରାଜ୍ୟରେ ଏହି ସଂଖ୍ୟା ଅଧିକ ରହିଛି । ଅନ୍ୟାନ୍ୟ ସର୍କଲ ତୁଳନାରେ ଓଡ଼ିଶା ଭଳି ରାଜ୍ୟରେ ୨ଜି ଗ୍ରାହକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏସ୍ଏମ୍ଏସ୍ ପ୍ରେରଣ ସଂଖ୍ୟା ଅଧିକ ରହୁଛି । ୪ଜି ଏବଂ ୫ଜିରେ ଗ୍ରାହକମାନେ କମ୍ବୋ ଅଫରରେ ଏସ୍ଏମ୍ଏସ୍ ସେବା ପାଉଛନ୍ତି। କିନ୍ତୁ ୨ଜି ଗ୍ରାହକଙ୍କୁ ପୃଥକ୍ ଭାବେ ଅର୍ଥ ଦେବାକୁ ପଡ଼ୁଛି।