ଶରୀର ପାଇଁ ଉପାଦେୟ ପେଯ

କୋରୀୟ ଚର୍ମଚିକିତ୍ସାର ଲୋକପ୍ରିୟତା ବଢ଼ିବା ସାଙ୍ଗକୁ ରନ୍ଧା ଭାତର ଜଳୀୟ ଅଂଶ ବା ‘ପେଯ’ ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଛି। ଶରୀରର ଅନିଚ୍ଛାକୃତ ଦାଗଗୁଡ଼ିକୁ ଫିକା କରିବା ବା ସଂପୂର୍ଣ୍ଣ ଲିଭାଇଦେବାକୁ ଏହା ସକ୍ଷମ ଥିବାରୁ କୋରୀୟ ସୌନ୍ଦର୍ଯ୍ୟ ଉପଚାରରେ ପେଯ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ।
ମୁହଁରେ ଉଠିଥିବା ବ୍ରଣରେ ପେଯ ପ୍ରୟୋଗ କଲେ ତାହା ଦୂର ହୋଇଥାଏ। ତେବେ ସୌନ୍ଦର୍ଯ୍ୟ ପାଇଁ ଏହାର ପ୍ରୟୋଗ ଛଡ଼ା ଏହାକୁ ସେବନ କଲେ ମଧ୍ୟ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଲାଭ ମିଳିପାରିବ। ଏହା ଆମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଖାଦ୍ୟସାର, ଖଣିଜସାର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଆୟୁର୍ବେଦ ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ରତ୍ୟହ ପେଯ ପିଇଲେ ଶରୀରର ଆର୍ଦ୍ରତା ସ୍ତର ବଜାୟ ରହି ‘ଡିହାଇଡ୍ରେସନ’ ସମସ୍ୟା ଦୂରେଇ ରହେ। ବିଶେଷ କରି ଗ୍ରୀଷ୍ମଦିନମାନଙ୍କରେ ଆବଶ୍ୟକ ପରିମାଣର ପାଣି ନପିଇବା ଯୋଗୁଁ ଏ ସ୍ଥିତି ଭୋଗିବାକୁ ପଡ଼ିଥାଏ। ତେବେ ପେଯ ପିଇଲେ ସେ ସମସ୍ୟା ଦୂର ହୋଇପାରିବ। ପେଯ ଶରୀରରୁ ବର୍ଜ୍ୟ ନିଷ୍କାସନରେ ସାହାଯ୍ୟ କରିଥାଏ ବୋଲି ବିଶ୍ବାସ କରାଯାଏ।
ଏଥିରେ ଥିବା ଷ୍ଟାର୍ଚ୍ଚ ଆମର ହଜମ କ୍ରିୟାକୁ ସୁଗମ କରିଥାଏ। ଯଦି କେହି ପେଟଫୁଲା, ବଦହଜମିରେ ଆକ୍ରାନ୍ତ ହୋଇଥା’ନ୍ତି, ପ୍ରତ୍ୟହ ଗିଲାସେ ପେଯ ପିଇବା ଦ୍ବାରା ସେଥିରୁ ଉପଶମ ମିଳିପାରିବ। ପେଯକୁ ମଧ୍ୟ ଦୁଇ-ତିନି ଦିନ ସାଇତି ରଖି ସେଥିରୁ କାଞ୍ଜି ପ୍ରସ୍ତୁତ କରିହେବ, ଯହିଁରେ ଉପକାରୀ କବକ ସୃଷ୍ଟି ହୋଇଥା’ନ୍ତି। ଏହି ପ୍ରୋବାୟୋଟିକ ସଂପନ୍ନ ପାନୀୟରେ ବିଟ୍ ଲୁଣ ମିଶାଇ ସକାଳେ ପିଇଲେ ପାକସ୍ଥଳୀ ସ୍ବାସ୍ଥ୍ୟ ଠିକ୍ ରହିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିପାରିବ। ଏଥି ସହିତ ପେଯ ଶରୀରକୁ ଥଣ୍ଡା କରିଥାଏ। ଯେଉଁମାନେ ହାତ କିମ୍ବା ପାଦରେ ଜଳାପୋଡ଼ା ଅନୁଭବ କରନ୍ତି, ତାହା ପ୍ରାୟତଃ ମଧୁମେହ କିମ୍ବା ଋତୁସ୍ରାବ ପୂର୍ବରୁ ହରମୋନ୍ ପରିବର୍ତ୍ତନ ଯୋଗୁଁ ହୋଇଥାଏ। ସେମାନଙ୍କ ପାଇଁ ଏହି ପେଯ ବରଦାନ ସଦୃଶ। ଅପରିଷ୍କାର ଶୌଚାଳୟ ବ୍ୟବହାର କି ପରିସ୍ରାକୁ ଚାପି ରଖିବା ଦ୍ବାରା ପରିସ୍ରା ସଂକ୍ରମଣର ଆଶଙ୍କା ରହିଥାଏ, ଯାହା ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ କରାଏ। ନିୟମିତ ପେଯ ପିଇଲେ ତାହା ଦୂର ହୋଇଥାଏ। ଅନେକ ମହିଳା ମାସିକ ଋତୁସ୍ରାବ ବେଳେ ଭୀଷଣ କ୍ଳାନ୍ତି, ତଳିପେଟ ଯନ୍ତ୍ରଣା କିମ୍ବା ପ୍ରବଳ ରକ୍ତସ୍ରାବ ଅନୁଭବ କରନ୍ତି। ତେବେ ପେଯ ପିଇବା ଦ୍ବାରା ସେସବୁ ଲକ୍ଷଣ କମିଥାଏ।