ଶୋଚନୀୟ ଆକାରପଲ୍ଲୀ ଗାଁ ମୁଖ୍ୟ ରାସ୍ତା : ନିର୍ମାଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
ାା ପ୍ରଭାନୁ୍ୟଜ ।ା ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ବ୍ଲକର ମାଟାପାକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆକାରପଲ୍ଲୀ ଗାଁର ମୁଖ୍ୟ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଫଳରେ ପ୍ରାୟ ୧୨୦ଟି ପରିବାର ଏବଂ ୫୦୦ ଗ୍ରାମବାସୀ ବିଶେଷତଃ ଛୋଟ ଛୁଆମାନେ ଏହି ରାସ୍ତା ଦେଇ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଟି ଏବେ କାଦୁଅରେ ଭର୍ତ୍ତି ହୋଇଥିବାରୁ ଯାତାୟାତ ସହ ବିଭିନ୍ନ ସେବା ଏବଂ ପିଲାଙ୍କୁ ବିଦ୍ୟାଳୟ ଯିବାରେ ବାଧା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଖବର ପ୍ରଚାର ପ୍ରସାର ହେବା ପରେ ମାଲକାନଗିରିର ବିଧାୟକ ନରସିଂହ ମାଡ଼କାମି ତୁରନ୍ତ ରାସ୍ତା ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପନ କୁମାର ସେନାପତିଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ, ବିଡିଓ ଶ୍ରୀ ସେନାପତି, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁବାଶ କବିରାଜ, ସ୍ଥାନୀୟ ସରପଞ୍ଚ ଏବଂ ମାଲକାନଗିରି ବ୍ଲକ ବିଧାୟକ ପ୍ରତିନିଧି ସତ୍ୟସରନ ପାଲଙ୍କ ସମେତ ଏକ ଦଳ ଆକାରପଲ୍ଲୀ ଗାଁରେ ପହଞ୍ଚି କ୍ଷତିର ମୂଲ୍ୟାଙ୍କନ କରିଛନ୍ତି । ଗ୍ରାମବାସୀଙ୍କୁ ସମ୍ବୋଧିତ କରି ବିଧାୟକ ମାଡ଼କାମି ଆଶ୍ୱାସନା ଦେଇଛନ୍ତି ଯେ, ରାସ୍ତାର ମରାମତି ଓ ପୁନର୍ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କାର ଅର୍ଥ ପ୍ରସ୍ତାବ କରାଯାଇଛି ଏବଂ ଖୁବଶୀଘ୍ର ଏହା ମଞ୍ଜୁର ହେବ ବୋଲି ସେ ପ୍ରକାଶ କରିଛନ୍ତି । ଆକାରପଲ୍ଲୀ ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ଏହି ରାସ୍ତାର ପୁନରୁଦ୍ଧାର ଆମର ପ୍ରାଥମିକତା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।