ଦୀର୍ଘ ବର୍ଷ ପରେ ସ୍କୁଲ ପିଲାଙ୍କୁ ମିଳିଲା ମଧ୍ୟାହ୍ନଭୋଜନ

 କାଳିଆପାଣି : ଦେଶର ଆଗାମୀ ପିଢ଼ି କିପରି ସ୍ୱସ୍ଥ, ଶିକ୍ଷିତ, ଆଉ କର୍ମଠ ହୋଇପାରିବ ସେଥିପାଇଁ ସରକାର ଏବଂ ବେସରକାରୀ ସଂସ୍ଥା ଗୁଡିକ ସର୍ବଦା ଚେଷ୍ଠିତ । ଓଡ଼ିଶାର ପ୍ରତ୍ୟେକ ସରକାରୀ ସ୍କୁଲରେ ଏଥିପାଇଁ ପିଲାମାନଙ୍କ ପାଇଁ ଉତ୍ତମ ମାନର ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି । ଏବେ ସରକାରଙ୍କ ବ୍ୟତୀତ ବିଭିନ୍ନ ଘରୋଇ ସଂସ୍ଥା ଗୁଡିକ ମଧ୍ୟ୍ୟ ଏଥିରେ ଭାଗିଦାର ହେବାକୁ ଆଗେଇ ଆସିଛନ୍ତି । ଏହି କ୍ରମରେ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ଫେକର ବେଦାନ୍ତ କମ୍ପାନୀ ପକ୍ଷରୁ ନିକଟରେ ଥିବା ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ ବେଦାନ୍ତ କମ୍ପାନୀ ପରିଷର ମାଧ୍ୟରେ ଥିବା ଶ୍ରୀରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କମ୍ପାନୀ ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । କମ୍ପାନୀର ଖଣି ମୁଖ୍ୟ ଅଜୟ କୁମାର ପାତ୍ରଙ୍କ ଉପସ୍ଥିତିରେ ଗତକାଲି କମ୍ପାନୀ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ରନ୍ଧା ଖାଦ୍ୟ ପରିବର୍ତ୍ତେ ପୁଷ୍ଟିକର ଶୁଖିଲା ଖାଦ୍ୟ ବଂଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରକାଶ ଥାଉକି ଗୁରୁଜଙ୍ଗ ଠାରେ ଥିବା ଉକ୍ତ ସ୍କୁଲ ପିଲାମାନଙ୍କ ପାଇଁ ଅନେକ ବର୍ଷରୁ ଗୁରୁଜଙ୍ଗ ଗ୍ରାମବାସୀ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ଦାବି କରିଆସୁଥିଲେ । 
ଶେଷରେ କମ୍ପାନୀ ନିଜସ୍ୱ ଖର୍ଚରେ ଉକ୍ତ ସ୍କୁଲ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଆରମ୍ଭ କରିଛି । ସ୍ଥାନୀୟ ସରପଞ୍ଚ ବିକାଶ କୁମାର ପାତ୍ର ଏବଂ ଯୁବ ସଂଗଠକ ଆଶିଷ କୁମାର ଜେନା ତଥା ଗ୍ରାମବାସୀଙ୍କ ବହୁଦିନର ପ୍ରଚେଷ୍ଠା ଫଳରେ କମ୍ପାନୀ ପକ୍ଷରୁ ଏହି ସୁବିଧା ଦେବାକୁ ଆରମ୍ଭ କରିଛି । ସ୍ମରଣ ଥାଉକି ଉକ୍ତ ସ୍କୁଲଟି ସରକାରୀ ସ୍କୁଲ ହୋଇନଥିବାରୁ ଏଠାରେ ମଧ୍ୟାହ୍ନ ଭୋଜନର ସୁବିଧା ନଥିଲା । ସ୍କୁଲଟି ସମ୍ପୂର୍ଣ ଭାବେ ଫେକର କମ୍ପାନୀର ଅନୁଦାନରେ ଅଦ୍ୟାବଧି ଚାଲିଅଛି ଯେଉଁଠାରେ ଗତକାଲି ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୌଣସି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ନଥିଲା । ତେବେ ଏହାର ପରିସମାପ୍ତି ଘଟିଥିଲା ଏବଂ ଫେକର କମ୍ପାନୀ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରିଛି ।