ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ ତଦନ୍ତକାରୀ ସଂସ୍ଥା : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା

ରାଜ୍ୟକୁ ହଲାଇ ଦେଇଥିବା OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା । ଦୀର୍ଘଦିନର  ଖୋଳତାଡ଼ ପରେ ଶେଷରେ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ଜଣେ ଏତେ ବଡ଼ ପଦାଧିକାରୀଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ ପୂରା ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁଯାୟୀ, ଏହି କେଳେଙ୍କାରୀର ଅନ୍ୟତମ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ନିହାର ମହାନ୍ତିଙ୍କର ଗଭୀର ସମ୍ପର୍କ ଥିଲା । ତଦନ୍ତରୁ ଜଣାପଡିଛି ଯେ ନିହାର ମହାନ୍ତି ଅଫିସ୍ ସମୟ ବାହାରେ ଜିତନଙ୍କୁ ୧୦୦ ଥରରୁ ଅଧିକ ଫୋନରେ ଯୋଗାଯୋଗ କରିଥିଲେ । ଏହି କଲ୍‌ଗୁଡ଼ିକର ତଥ୍ୟ ହିଁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା ଏବଂ ତାଙ୍କ ବିରୋଧରେ ଏହା ଏକ ବଡ଼ ପ୍ରମାଣ ସାଜିଛି । କେବଳ ଚାକିରି ସମୟରେ ନୁହେଁ, ବରଂ ଅଫିସ୍ ବାହାରେ ଏତେ ଥର କଥାବାର୍ତ୍ତା ହେବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।

କ୍ରାଇମବ୍ରାଞ୍ଚ ନିହାର ମହାନ୍ତିଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ଆଣିବାକୁ ଆବେଦନ କରିବ । ରିମାଣ୍ଡ ଅବଧିରେ ପ୍ରଶ୍ନପତ୍ର କିପରି ଲିକ୍ ହେଲା, ଏହା ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ କେତେ ଟଙ୍କାର କାରବାର ହୋଇଛି, ସେନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ । ଜିତନ ମହାରଣାଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି । ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ଏହି ଘଟଣା ରାଜ୍ୟର ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଥିଲା । ନିହାର ମହାନ୍ତିଙ୍କ ଗିରଫଦାରୀ ପରେ ଏହି ମହାକେଳେଙ୍କାରୀର ପୂରା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।