ଡିଜିଏମ୍ଓ ଓ ତିନି ସେନାଙ୍କ ସାମ୍ବାଦିକ ସମ୍ମିଳନୀ
ନୂଆଦିଲ୍ଲୀ : ସଫଳ ହୋଇଛି ଅପରେସନ୍ ସିନ୍ଦୁର । ପାକ୍ ବିରୋଧରେ ଭାରତ ବିଜୟ ହାସଲ କରିଛି । ସାମରିକ, ରାଜନୀତିକ ଓ ମାନସିକ ଜିତ୍ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଅନୁଯାୟୀ, ଭାରତୀୟ ସେନା ଘରେ ପଶି ମାରିବା ସହ ଆତଙ୍କୀଙ୍କ ଆଡ୍ଡାକୁ ମାଟିରେ ମିଶାଇ ଦେଇଛନ୍ତି । ଶତାଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ବଡ଼ ଆତଙ୍କୀଙ୍କ ମୁଣ୍ଡ ବି ଗଡ଼ିଛି । ପାକର ସବୁ ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରିଦେଇଛି । ଡ୍ରୋନ ସବୁ ଉଡ଼ାଇ ଦିଆଯାଇଛି । ଫଳରେ ସାଧାରଣ ଜୀବନ ହାନି ଘଟିନାହିଁ । ତେବେ ଅପରେସନ୍ ସିନ୍ଦୁରରେ ଭାରତର ୫ ଯବାନ ସହିଦ୍ ହୋଇଛନ୍ତି ।
ଡିଜିଏମଓ ଲେଫ୍ଟେନାଣ୍ଟ ଜେନେରାଲ ରାଜୀବ ଘାଇ, ଏୟାର ମାର୍ଶାଲ ଏକେ ଭାରତୀ, ଭାଇସ ଆଡ଼ମିରାଲ ଏଏନ ପ୍ରମୋଦ ଓ ମେଜର ଜେନେରାଲ ଏସଏସ ଶାରଦା ମିଳିତ ପ୍ରେସ ବିବୃତ୍ତିରେ ଅପରେସନ ସିନ୍ଦୁରର ସଫଳତା କହିବା ସହ ପାକିସ୍ତାନକୁ ଚେତାବନୀ ମଧ୍ୟ ଦେଇଛନ୍ତି ।
ଡିଜିଏମଓ କହିଥିଲେଯେ, ଅପରେସନ ସିନ୍ଦୁରର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ପୂରଣ ହୋଇଛି । ୧୯୯୯ ବିମାନ ଅପହରଣ ଘଟଣା, ୨୦୧୯ ପୁଲୱାମା ଆକ୍ରମଣ ଘଟଣାରେ ସଂପୃକ୍ତ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ୱଂସ କରିଦିଆଯାଇଛି । ପାକ ଓ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଏଥିରେ ୧୦୦ରୁ ଉଦ୍ଧ୍ୱର୍ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେହିପରି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ୟୁସୁଫ ଆଝାର, ଅବଦୁଲ ମଲ୍ଲିକ ରୌଫ ଓ ମୁଦାସିର ଅହମ୍ମଦକୁ ମାରି ଦିଆଯାଇଛି । ୟୁସୁଫ ହେଉଛି ଜୈସ ମୁଖ୍ୟ ମୌଲାନା ମାସୁଦ ଆଝାରର ଭାଇ । ସେହିପରି ଲସ୍କରର ଉଚ୍ଚ ପଦସ୍ଥ କମାଣ୍ଡର ଥିଲା ଅବଦୁଲ । ଲସ୍କରର ମାର୍କଜ ତାଇବା ଦାୟିତ୍ୱରେ ମୁଦାସିର ରହିଥିଲା ।
ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ଥିଲା ‘ଅପରେସନ ସିନ୍ଦୁର’ର ଲକ୍ଷ୍ୟ ଓ ଉଦେ୍ଦଶ୍ୟ । ଆତଙ୍କବାଦୀଙ୍କ ଭିତ୍ତିଭୂମି ଉଜାଡ଼ିବା ସହ ପାକକୁ କଡ଼ା ଚେତାବନୀ ଥିଲା ଉଦେ୍ଦଶ୍ୟ । ଏଥିରେ ଭାରତ ସଫଳ ହୋଇଛି । ବାହାୱାଲପୁର ଓ ମୁରିଡ଼କେ ପାକିସ୍ତାନ ଭିତରେ ଥିବାବେଳେ ତାହା ବି ଧ୍ୱଂସ କରାଯାଇଛି । ଭାରତ-ପାକ ଲଢ଼େଇରେ ଭାରତ ପାକିସ୍ତାନର ସବୁ ଜେଟକୁ ଖସାଇଦେବାରେ ସଫଳ ହୋଇଥିଲା । ଯାହାଫଳରେ ଆମ ସୀମାରେ ପାକ୍ ବିମାନ ଆସିପାରିନଥିଲା । ପାକିସ୍ତାନର ଜେଏଫ-୧୬ ଓ ଜେଏଫ-୧୭ ଫାଇଟର ଜେଟ୍ ଧ୍ୱସ୍ତ ହୋଇଥିବା ନେଇ ପୂର୍ବରୁ ବି ରିପୋର୍ଟ ପ୍ରକାଶ ପାଇଥିଲା । ସେହିପରି ପାକିସ୍ତାନ ମିଲଟାରୀର ଅନେକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ସେମାନଙ୍କ ଏୟାର ବେସ୍, କମାଣ୍ଡ ସେଣ୍ଟର, ପ୍ରତିରକ୍ଷା ଭିତ୍ତିଭୂମି ଓ ଏୟାର ଡିଫେନ୍ସ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ଚକାଲାଲା, ରଫିକିକୁ ଟାର୍ଗେଟ୍ କରାଯାଇଥିଲା । ଚକଲାଲା ଇସଲାମାବାଦରେ ହିଁ ରହିଛି । ପାକର ସମସ୍ତ ଏୟାର ବେସ୍କୁ ଭାରତ ଟାର୍ଗେଟ୍ କରିବାକୁ ସକ୍ଷମ ବୋଲି ବାର୍ତ୍ତା ଦିଆଯାଇଛି । ଅପରପକ୍ଷରେ କରାଚୀ ଉପରେ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଭାଇସ ଆଡ଼ମିରାଲ ଏଏନ ପ୍ରମୋଦ କହିଛନ୍ତି । ଭାରତୀୟ ନୌସେନା ଆରବ ସାଗରରେ ପଇଁତରା ମାରୁଛି । ଯଦି ପାକ୍ ଯୁଦ୍ଧବିରତି ଉଲ୍ଳଂଘନ କରେ ତେବେ କରାଚୀ ସମେତ ଅନ୍ୟ ସହର ଉପରେ ଆକ୍ରମଣ କରାଯିବ । ରବିବାର ସେ ଏଭଳି ଚେତାବନୀ ଦେଇଛନ୍ତି । ସେହିପରି ଯୁଦ୍ଧବିରତି ପାଇଁ ଘୋଷଣାର ମାତ୍ର ୩ ଘଣ୍ଟା ପରେ ପାକ୍ ସେନା ଏହାକୁ ଉଲ୍ଳଂଘନ କରିଥିଲା । ଏନେଇ ଆଜି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପଶ୍ଚିମ ସୀମାର ସେନା କମାଣ୍ଡରମାନଙ୍କ ସହିତ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି । ଯଦି ପାକ୍ ଯୁଦ୍ଧବିରତି ଉଲ୍ଳଂଘନ କରେ ତେବେ ପ୍ରତିଶୋଧ ନେବା ପାଇଁ ସେନା ମୁଖ୍ୟ ସେନା କମାଣ୍ଡରମାନଙ୍କୁ ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି ।