ଗଛ ଚଢ଼ିଲେ ମିଳୁଛି ନେଟୱର୍କ

 ନୂଆପଡା : ଆତ୍ମ ନିର୍ଭରଶୀଳ ହେଉଛି ଭାରତ । ସାରା ଭାରତରେ ଚାଲିଛି ଡିଜିଟାଲ ବିପ୍ଳବ । ଚାରିଆଡେ ଚାଲିଛି ଅନଲାଇନ କାମ । ଭାରତ ବିକାଶ କ୍ଷେତ୍ରରେ ଏତେ ଉନ୍ନତି କଲାପରେ ମଧ୍ୟ ସମସ୍ତଙ୍କୁ ନେଟୱର୍କ ସୁବିଧା ମିଳୁନାହିଁ କାହିଁକି ? ଏଭଳି ପ୍ରଶ୍ନ କରୁଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜଙ୍ଗଲ ପାହାଡ ଭରା ଦୁର୍ଗମ ଅଞ୍ଚଳ ନଙ୍ଗଳବୋଡ ଗ୍ରାମ ପଞ୍ଚାୟତର ଜନସାଧାରଣ । ସେମାନଙ୍କ କହିବା ଅନୁସାରେ ନଙ୍ଗଳବୋଡ ଅଞ୍ଚଳରେ ତିନିବର୍ଷ ହେଲା ଭାରତର ସବୁଠୁ ଭରସା ଯୋଗ୍ୟ ନେଟୱର୍କ ସଂସ୍ଥା ବିଏସ୍ଏନ୍ଏଲ୍ ଟାୱାର୍ ରହିଛି । ହେଲେ ପାଉନି ନେଟୱର୍କ । ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ନେଟୱର୍କ ପାଇବାକୁ ହେଲେ କିଏ ଗଛ ଉପରକୁ ଚଢୁଛି ତ କିଏ ଘରଛାତ ଉପରକୁ ଚଢି ଖୋଜୁଛି ନେଟୱର୍କ । ଯାହାକୁ ନେଇ ନଙ୍ଗଳବୋଡ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ନେଟୱର୍କ ଅଭାବରୁ ଅନଲାଇନ ପାଠପଢା ଓ ଉନ୍ନୟମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଜରୁରୀକାଳୀନ ପରିସ୍ଥିତିରେ କାମ କରୁନି ଫୋନ । ଭଗବାନ ଭରସାରେ କର୍ମକୁ ଆଦରି ପଡିରହିଛନ୍ତି ନଙ୍ଗଳବୋଡ ଅଞ୍ଚଳବାସୀ । ତେଣୁ ଯଥାଶୀଘ୍ର ନେଟୱର୍କ ସୁବିଧା କରିବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି ନଙ୍ଗଳବୋଡ ଅଞ୍ଚଳ ବାସୀ ।