ପୋଖରୀ ଖନନରେ ମହାଦୁର୍ନୀତି
କେନ୍ଦୁଝର: ଘଟଗାଁ ବ୍ଲକ ମୁକୁନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଘଟଗାଁ ନିକଟ ତାରିଣୀ ଗଡିଆ ପୋଖରୀ ଖୋଳାରେ ବ୍ୟାପକ ଅନିୟମିତତା ତଦନ୍ତ ପରେ ଧରାପଡିଛି । ଗୋଟିଏ କାମକୁ ୨ଟି ପ୍ରୋଜେକ୍ଟ କରାଯାଇ ଅର୍ଥ ହରିଲୁଟ ହୋଇଛି । ମନରୋଗା ଅର୍ଥରେ ଗୋଟିଏ ପ୍ରୋଜେକ୍ଟର ନାମ ମଡେଲ ଟ୍ୟାଙ୍କ ଆଟ୍ ତାରିଣୀ ଗଡିଆ ଏବଂ ଏସଏଫସି ଅର୍ଥରେ ଆଉ ଗୋଟିଏ ପ୍ରୋଜେକ୍ଟର ଏହାର ନାମ ତାରିଣୀ ଗଡିଆ ପୋଖରୀର ଉନ୍ନତିକରଣ ଦିଆଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ତାରିଣୀ ଗଡିଆ ଗ୍ରାମରେ ମନରେଗା ଏବଂ ଏସ୍ଏଫ୍ସି ଯୋଜନାରେ ପୋଖରୀ ଖୋଳା ଯାଇଥିଲା । ଏହି କାମରେ ମନରେଗା ଯୋଜନାରେ ୧୦ଲକ୍ଷ ଏବଂ ପଞ୍ଚମ ଏସ୍ଏଫସି ଯୋଜନାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଶ୍ରମିକ ବଦଳରେ ମେସିନରେ ମାଟି ଖୋଳିବା କାମ କରାଯାଇଥିଲା । ପୋଖରୀରୁ ଅଳ୍ପ କିଛି ମୋରମ ମେସିନରେ ଖୋଳାଯାଇ ତରବରିଆ ଭାବେ କାମ ବନ୍ଦ କରାଯାଇଥିଲା । ମନରେଗାରେ ଶ୍ରମିକ କାମ କରିନଥିଲେ ମଧ୍ୟ କାମ କରିନଥିବା ବହୁ ଲୋକଙ୍କ ନାମ ମୋଷ୍ଟର ରୋଲ ରେ ପକାଯାଇ ଯୋଜନାବଦ୍ଧ ଭାବେ ଅର୍ଥ ହରିଲୁଟ ହୋଇଥିଲା । ମୃତ ବ୍ୟକ୍ତି ଘଟଗାଁ ଗ୍ରାମର ଖମଣମୁଣ୍ଡା ସାହିର ସ୍ୱପ୍ନା ଦାସ, ଦିବ୍ୟାଙ୍ଗ ସୁଲୋଚନା ସିଂ, ହରିଚନ୍ଦନପୁର ବସଷ୍ଟାଣ୍ଡର ସୁପରଭାଇଜର ସଚ୍ଚିନ ରାଉତ ,ମା’ ତାରିଣୀ ମନ୍ଦିର ପୂଜକ ବଲ୍ଲଭ ଚରଣ ଦେହୁରୀ, ଦୁଆରଶୁଣି ମନ୍ଦିର ପୂଜକ ଦୋଳଗୋବିନ୍ଦ ନାଏକ, ବାବାଜି ନାଏକ, ଭୋଗ ଦୋକାନୀ ଗୌରବ କୁମାର ନାଏକ, ସନ୍ତୋଷ ରାଉତ, ଜିତେନ୍ଦ୍ର ଭୂୟାଁ, ସନ୍ତୋଷ ନାୟକ, ରାଜେନ୍ଦ୍ର ସ୍ୱାଇଁ, ବିଜୟ ସ୍ୱାଇଁ,ସତ୍ୟବ୍ରତ ନାଏକ, ଗୋପବନ୍ଧୁ ନାଏକ, ଆଲୋକ ମିଶ୍ର, ସଂଯୁକ୍ତା ଦାସ, ପ୍ରଶାନ୍ତ ଦେହୁରୀ, ଜ୍ୟୋତିରଞ୍ଜନ ଦେହୁରୀ, ରାକେଶ ନାଏକ, ନିଗମାନନ୍ଦ ନାଏକ, ବ୍ୟବସାୟୀ ବିନୋଦ ସାହୁ, ଡ୍ରେସ ଦୋକାନୀ ଏସ.କେ.ସାଜିକ୍ ଅଲ୍ଲୀ, ନାଏବ ସରପଂଚ ଅମିତ୍ ଦେହୁରୀ, ବସ କନଡକ୍ଟର ରମେଶ ଦାସ, ଭିନ୍ନକ୍ଷମ ଡଲି ସାହୁ, ଟ୍ରକ ଡ୍ରାଇଭର ବଳରାମ ମହାକୁଡ, ଗର୍ଭବତୀ ମହିଳା ନିରୁପମା ଦେହୁରୀ, ଚାଲି ପାରୁନଥିବା ବୟସ୍କା ମହିଳା ପ୍ରତିମା ଦେହୁରୀ, ଛାତ୍ର ରାକେଶ ଦେହୁରୀ ନାମରେ ମିଥ୍ୟା ମଷ୍ଟର ରୋଲ କରି ମଜୁରୀ ବାବଦ ଟଙ୍କା ହଡପ କରାଯାଇଥିବା ନେଇ ଯୁବ ଆଇନଜୀବୀ ଅନିଲ କୁମାର ଦେହୁରୀ ମନରେଗା ଲୋକପାଳ ବୃଷଭ ଚନ୍ଦ୍ର ନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପଲ୍ଲୀସଭା କିମ୍ବା ଗ୍ରାମସଭା ନ ହୋଇ କାମ କରାଯାଇଥିବା ବେଳେ କାମ ହୋଇଥିବା ସ୍ଥାନରେ କୌଣସି ସୂଚନା ଫଳକ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ମନରେଗା ଲୋକପାଳ ବୃଷଭ ଚନ୍ଦ୍ର ନାୟକ ଘରକୁ ଘର ବୁଲି ତଦନ୍ତ କରିଥିଲେ । ତଦନ୍ତ ବେଳେ ଲୋକ କାମ କରିଛନ୍ତି ବୋଲି କୌଣସି ପ୍ରମାଣ ଦେଖାଇ ପାରିଲେ ନାହିଁ । କାମର କୌଣସି ସୂଚନା ଫଳକ ନଥିଲା ଏବଂ ଶ୍ରମିକ ବଦଳରେ ମେସିନ ସାହାଯ୍ୟରେ ମାଟି ଖୋଳା ଯାଇଥିଲା ।
ପୋଖରୀ ଖୋଳାରେ ଅନିୟମିତତା ଏବଂ ଦୁର୍ନୀତି ଧରାପଡିବା ପରେ ମନରେଗା ଲୋକପାଳ ୬ଜଣ ଅଧିକାରଙ୍କ ଠାରୁ ୮ଲକ୍ଷ ୫୧ହଜାର ୮୪୯ ଟଙ୍କା ଅସୁଲ କରିବାକୁ ମନରେଗାର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଦଶକ ଚିଠି କରି ଜଣାଇଛନ୍ତି । ଏହି ଅନିୟମିତତା ପାଇଁ ଶ୍ରମିକ ମଜୁରୀ ଏବଂ ମ୍ୟାଟେରିଆଲ ବିଲ ବାବଦ ଟଙ୍କା ମୋଟ ଜରିମାନା ବାବଦ ଅର୍ଥର ୭୦ପ୍ରତିଶତ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା ତକôାଳୀନ କନିଷ୍ଠ ଯନ୍ତ୍ରୀ ମଦନ ମୋହନ ବେହେରା, ବର୍ତ୍ତମାନ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଜେନା ଠାରୁ ଆଦାୟ କରାଯିବା ପାଇଁ ସୁପାରିଶ କରାଯାଇଛି । ତକôାଳୀନ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦିପାଶ୍ରୀ ସିଂ ଙ୍କ ଠାରୁ ୨୦ ପ୍ରତିଶତ,ତକôାଳୀନ ଘଟଗାଁ ବିଡିଓ ଉମାକାନ୍ତ ପରିଡାଙ୍କ ଠାରୁ ୫ପ୍ରତିଶତ ଏବଂ ତକôାଳୀନ ଘଟଗାଁ ବ୍ଲକ ଫାଇନାନ୍ସ ଅଫିସରଙ୍କ ଠାରୁ ୫ ପ୍ରତିଶତ ଆଦାୟ କରିବା ପାଇଁ ସୁପାରିଶ କରାଯାଇଛି । ଏହି ଅର୍ଥ ଆଦାୟ ସହ ଉପରୋକ୍ତ ଅଧିକାରୀଙ୍କ ଠାରୁ ୧୦୦୦ଟଙ୍କା ଜରିମାନା ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଏତଦ୍ ବ୍ୟତୀତ ପୂର୍ବତନ ଜିଆରଏସ୍ କେଶବାନନ୍ଦ ବାରିକ ଏବଂ ଏପିଓ ଭୈରବେନ୍ଦ୍ର ତ୍ରିପାଠୀଙ୍କ ଠାରୁ ୧୦୦୦ଟଙ୍କା ଲେଖାଁଏ ଜରିମାନା ସହ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଠିକାଦାରମାନେ ସରକାରୀ ଅଧିକାରୀମାନଙ୍କ ସହିତ ସଲାସୁତୁରା କରି ମନରେଗା କାର୍ଯ୍ୟକୁ ମେସିନ ଦ୍ୱାରା କରୁଛନ୍ତି । ଫଳରେ ଜବକାର୍ଡ ଥିବା ଶ୍ରମଜୀବୀ କାମଧନ୍ଦା ନ ପାଇ ଭୋକ ଉପାସରେ ରହୁଛନ୍ତି ।