ବୃଦ୍ଧି ପାଉଛି ଇଲେକ୍ଟ୍ରୋନିକ୍ସ ରପ୍ତାନୀ

ଗୋଟିଏ ସମୟ ଥିଲା ଯେତେବେଳେ କି ଜାପାନ୍ ଏବଂ ଚୀନ୍ରୁ ସମସ୍ତ ପ୍ରକାରର ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଭାରତ ଆମଦାନୀ କରୁଥିଲା । ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ କ୍ଷେତ୍ରରେ ଜାପାନ୍ ଏବଂ ଚୀନ୍ ଭାରତର ବଜାରକୁ କବଜ୍ା କରି ନଇଥିଲେ । ଇଲେକ୍ଟ୍ରୋନିକ୍ସ ଖେଳଣା କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ରୂପେ ଚୀନ୍ କବଜ୍ା କରି ନେଇଥିଲା । ଖେଳଣା ବଜାରରେ ବ୍ୟାଟେରୀ ଚାଳିତ ଖେଳଣାର ସର୍ବାଧିକ ଆଦର ଥିଲା ଏବଂ ଏ ସମସ୍ତ ଚୀନ୍ରୁ ହିଁ ଆସୁଥିଲା । ହେଲେ ସମୟ କ୍ରମେ ଭାରତର ସ୍ୱଦେଶୀ ଆନେ୍ଦାଳନ ଫଳରେ ଭାରତରେ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କରାଗଲାା ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଦେଶରେ ପରିଗଣିତ ହେଲାଣି । ଚଳିତ ଆର୍ଥôକ ବର୍ଷର ପ୍ରଥମ ୩ ମାସ ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନୀ ୪୭ ଶତାଂଶ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ୧୨୪୧ କୋଟି ଡ଼ଲାର୍ର ସାମଗ୍ରୀ ରପ୍ତାନୀ କରାଯାଇଛି । ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ପ୍ରକାଶ ପାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଏକଦା ଚୀନ୍ରୁ ଭାରତକୁ ଆସୁଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ପରିସ୍ଥିତି ଓଲଟି ଯାଇ ଭାରତରୁ ଚୀନ୍କୁ ଏହା ରପ୍ତାନୀ ହେଉଛି । ବର୍ତ୍ତମାନ ଭାରତୀୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସର୍ବାଧିକ ରପ୍ତାନୀ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଆମେରିକା, ୟୁଏଇ ଏବଂ ଚୀନ୍ ସର୍ବାଗ୍ରେ ରହିଛି । ଏହାର ତଳକୁ ରହିଛି ନେଦର୍ଲାଣ୍ଡ୍ ଏବଂ ଜର୍ମାନୀ । ଭାରତର ସର୍ବବୃହତ୍ ରପ୍ତାନୀ ସ୍ଥଳ ହେଉଛି ଆମେରିକା । ଦେଶର ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଆମେରିକାର ଅଂଶ ହେଉଛି ୬୦.୧୭ ଶତାଂଶ । ଦ୍ୱିତୀୟ ସ୍ଥାନରେ ରହିଛି ୟୁଏଇ । ତୃତୀୟରେ ରହିଛି ଚୀନ୍ । ସେହିପରି ରେଡ଼ିମେଡ୍ ପୋଷାକ ରପ୍ତାନୀରେ ଆମେରିକା ହେଉଛି ପ୍ରମୁଖ ଦେଶ । ଦେଶର ମୋଟ୍ ରେଡ଼ିମେଡ୍ ରପ୍ତାନୀର ୩୪.୧୧ ଶତାଂଶ ଆମେରିକାକୁ ଯାଉଛି । ବି୍ରଟେନ୍, ଜର୍ମାନ୍, ସ୍ପେନ୍କୁ ମଧ୍ୟ ରେଡ଼ିମେଡ୍ ଗାର୍ମେଣ୍ଟ୍ର ରପ୍ତାନୀ ଅଧିକ ଭାବରେ ହେଉଛି । ଭାରତରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଦିନକୁ ଦିନ ବଢୁଛି । ବିଶେଷ କରି ସୌରଶକ୍ତିଚାଳିତ ବୈଦୁ୍ୟତିକ ସାରଞ୍ଜାମ ଏବଂ ବିଭିନ୍ନ ଉପକରଣ ପ୍ରସ୍ତୁତିରେ ଭାରତ ବର୍ତ୍ତମାନ ଯଥେଷ୍ଟ ଅଗ୍ରଗତି କରିସାରିଲାଣି । ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ଭାରତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିଯିବା ସ୍ପଷ୍ଟ ଦେଖାଗଲାଣି । ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ ଫଳରେ ଏ କ୍ଷେତ୍ରରେ ଦେଶ ଆମଦାନୀ କରୁଥିବା ପରିମାଣ କମି ସେ ଦୃଷ୍ଟିରୁ ବୈଦେଶିକ ମୁଦ୍ରା ସଞ୍ଚୟ ହେଉଛି ଏବଂ ରପ୍ତାନୀ ବୃଦ୍ଧି ଯୋଗୁଁ ବୈଦେଶିକ ମୁଦ୍ରା ଅର୍ଜନ ମଧ୍ୟ ହେଉଛି । ଇଲେକ୍ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଭାରତର ବୈଜ୍ଞାନିକମାନେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ଚାଲିଛନ୍ତି । ପ୍ରତିରକ୍ଷା ବିଭାଗ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତ ବର୍ତ୍ତମାନ ସ୍ୱାବଲମ୍ବୀ ହୋଇ ସାରିଲାଣି । ଏ କ୍ଷେତ୍ରରେ ଏକ ଉଲ୍ଲେଖନୀୟ କଥା ହେଉଛି ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ଏତେଦୂର ଆଗେଇ ଗଲାଣି ଯେ ଅନ୍ୟଦେଶର ଉପଗ୍ରହ ସବୁକୁ କକ୍ଷପଥରେ ପହଞ୍ଚାଇବା ପାଇଁ ଭାରତୀୟ ରକେଟ୍ର ଉପଯୋଗ ହେଉଛି । ମହାକାଶ ଗବେଷଣା କ୍ଷେତ୍ରରେ ଆବଶ୍ୟକ ହେଉଥିବା ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ବର୍ତ୍ତମାନ ସ୍ୱେଦେଶୀ ଏବଂ ଉଚ୍ଚ ଗୁଣବତ୍ତାସମ୍ପନ୍ନ ମଧ୍ୟ । ଏ ଦୃଷ୍ଟିରୁ ଭାରତର ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟର ରପ୍ତାନୀ ଆସନ୍ତା ଦିନମାନଙ୍କରେ ଆହୁରି ଅଧିକ ବଢ଼ିବ ଏବଂ ପ୍ରତିରକ୍ଷା, ଗଣଯୋଗଯୋଗ, ମହାକାଶ ଗବେଷଣା ଆଦି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରଗୁଡ଼ିକୁ ବଜାରରେ ପରିଣତ କରିପାରିବ । ବର୍ତ୍ତମାନ ଅନେକ ଭାରତୀୟ କମ୍ପାନୀ ମୋବାଇଲ୍ ଫୋନ୍ର ଉତ୍ପାଦନ କରିଲେଣି । ମୋବାଇଲ୍ ଫୋନ୍ର ଚାହିଦା ବର୍ତ୍ତମାନ ଭାରତୀୟ କମ୍ପାନୀମାନେ ଭାରତ ପାଇଁ ପରିପୂରଣ କରିପାରୁଛନ୍ତି । ଦେଶ ପାଇଁ ଏହା ଏକ ଖୁସିର ଖବର ଏବଂ ଗୌରବ ମଧ୍ୟ ।