ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ହଡପ
ବ୍ରହ୍ମବରଦା : ମନରେଗାରେ ମନମାନି କରାଯାଇ ଲକ୍ଷଲକ୍ଷ ଟଙ୍କା ହଡପ୍ କରାଯାଇଛି । ବିଶେଷ କରି ବୃକ୍ଷରୋପଣ ନାମରେ ସରକାର ଅର୍ଥକୁ ମିିଳିମିଶି ହଡପ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ କାକୁଡିକୁଦ ଓ ନିଳକଣ୍ଠପୁର ଗ୍ରାମରେ ମନରେଗା ଯୋଜନାରେ ଆଖିବୁଜା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କୋଉଠି ଗଛ ନ ଲଗାଇ ଜାଲିଆତି କରି ସରକାରୀ ଅର୍ଥକୁ ହଡପ କରାଯାଇଛି ତ ଆଉ କୋଉଠି ଜମିଜମା ବିବାଦ ଥାଇ ମଧ୍ୟ ଭୁଲ ଲ୍ୟାଣ୍ଡକୁ ଠିକ ଦର୍ଶାଯାଇ ଟଙ୍କା ହଡପ କରାଯାଇଛି । ପୁଣି ଅନ୍ୟ କୋଉଠି ଗୋଟିଏ ପ୍ରକଳ୍ପକୁ ଏକାଧିକ ଥର ଦର୍ଶାଯାଇ ସରକାରୀ ଅର୍ଥ ଚଳୁ କରାଯାଇଛି । ଦୁର୍ନୀତିରେ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଠୁ ଠିକାଦାର ସାମିଲଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମନରେଗା ଯୋଜନାରେ ୨୦୨୪ ମସିହା ଜୁଲାଇ ମାସରେ ଏହି ପଂଚାୟତର କାକୁଡିକୁଦ ବାଲିଘାଟ ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ବୃକ୍ଷରୋପଣ ବାବଦରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଯାହାର ମଂଜୁର ନମ୍ବର ୨୪୨୦୦୦୭/୨୦୨୪-୨୫/୩୨୮୮୯/ଏଏସ ଅଟେ ।
ଏନେଇ ଠିକାଦାର ନଦୀ ବାଲିରେ ଗଛ କେତୋଟି ଲଗାଇ ଦେଇ ଚତୁରତାର ସହିତ ଲକ୍ଷାଧିକ ଟଙ୍କା ହାତେଇ ନେଇଥିଲେ । ସୁରକ୍ଷା ବାଡା ତଥା ପାଣିର ଅଭାବ ଦୃଷ୍ଟିରୁ ଦିନ କେଇଟା ଭିତରେ ବୃକ୍ଷ ଗୁଡିକ ମରି ଝାଉଁଳି ପଡିଥିବା ବେଳେ ଠିକାଦର ବିଭାଗୀୟ ଅଧିକାରୀଙ୍କୁ ହାତ କରି ୮୧ ଜଣ ଶ୍ରମିକ ୫୧୪ଦିନର ଶ୍ରମିକ ପାଉଣା ବାବଦରେ ୧ଲକ୍ଷ ୩୦ ହଜାର ୫୫୬ ଟଙ୍କା ଉଠାଇ ନେଇଥିଲେ । ଏଭଳି ଘଟଣାକୁ ନେଇ ଗ୍ରାମବାସୀ ବିରୋଧ କରିବାରୁ ଠିକାଦାର ଚଳିତବର୍ଷ ଉକ୍ତ ସ୍ଥାନରେ ପୁନର୍ବାର ଆଉ କିଛି ଅଧିକ ବୃକ୍ଷ ଲଗାଇ ଦେଇ ଖଣ୍ଡିଆକୁଦ ପଡିଆରେ ବୃକ୍ଷରୋପଣ ନାମରେ ଅନ୍ୟ ଏକ ନୂତନ ପ୍ରକଳ୍ପ ବାବଦରେ ୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ୨୦୨୪ ମସିହା ଜୁଲାଇ ମାସରେ କାକୁଡିକୁଦ ଗ୍ରାମ ନିଳକଣ୍ଠପୁର ଦାଣ୍ଡି ପଡିଆ ଠାରେ ବୃକ୍ଷ ରୋପଣ ବାବଦରେ ୫ ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଏଠିମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏହି ରାସ୍ତା ପାଶ୍ୱର୍ରେ ଗୋଟିଏ ହେଲେ ବୃକ୍ଷ ନ ଥିବା ବେଳେ ଠିକାଦାର ୧ଲକ୍ଷ ୫୮ହଜାର ୨ଶହ ୪୨ଟଙ୍କା ବିଲ ଉଠାଇ ନେଇଛନ୍ତି । ହେଲେ ଚଳିତବର୍ଷ ପୁଣି ସେହି ଠାରେ ବାଲିଘାଟ ଠାରୁ ଦାଣ୍ଡି ପଡିଆ ନାମରେ ବୃକ୍ଷରୋପଣ ବାବଦରେ ୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ସବୁଠୁ ବଡ କଥା ଗତବର୍ଷ ଏହି ଦୁଇଟି ପ୍ରକଳ୍ପ ବବାଦରେ ଠିକାଦାର ଜଣକ ୨ଲକ୍ଷ ୯୦ହଜାର ଟଙ୍କା ଉଠାଇ ନେଇଥିବା ବେଳେ ସେଠାରେ ଗୋଟିଏ ହେଲେ ବୃକ୍ଷ ନ ଥିବା ଦେଖିବାକୁ ମିଳିଛି । ପୁଣି ଚଳିତ ବର୍ଷ ସେହି ସ୍ଥାନରେ ନୂତନ ପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ମଞ୍ଜୁର ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।