‘ଅପରେସନ୍ ସିନ୍ଦୂର’ : କମ୍ପିଲା ସଂସଦ
ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ :
ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ନୁହଁନ୍ତି । ସେ ଭାରତକୁ ବିରୋଧ କରୁଥିବା ନେତା । ଅପରେସନ୍ ସିନ୍ଦୂର ଆଲୋଚନା କାଳରେ ଏଭଳି ଭାବେ ଟାର୍ଗେଟ୍ କରିଛି ବିଜେପି । ଅପରପକ୍ଷରେ ଅପରେସନର ସଫଳତାକୁ ନେଇ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଛି । ଆଜି ଲୋକସଭାରେ ଅପରେସନ ସିନ୍ଦୂରକୁ ନେଇ ସରଗରମ ଆଲୋଚନା ହୋଇଛି । କଡ଼ା ଢଙ୍ଗରେ ବିରୋଧୀଙ୍କ ପ୍ରଶ୍ନବାଣର ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ବିରୋଧୀଙ୍କ ପକ୍ଷରୁ ବିତର୍କର ଆହ୍ୱାନ କରାଯାଇଥିବାବେଳେ କଂଗ୍ରେସର ଅନୁରୋଧ ସତ୍ତ୍ୱେ ବିତର୍କର ଭାଗ ନେବାକୁ ଶଶୀ ଥରୁର ମନା କରିବା ଘଟଣା ବି ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି ।
‘ଅପରେସନ୍ ସିନ୍ଦୂର’ ନେଇ ଆଜି ଲୋକସଭାରେ ଓ ଆସନ୍ତାକାଲି ରାଜ୍ୟସଭାରେ ୧୬ ଘଣ୍ଟା ଲେଖାଏଁ ଆଲୋଚନା ହେବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପକ୍ଷରୁ ରାଜନାଥ ସିଂ ଆଲୋଚନା ଆରମ୍ଭ କରିଥିଲେ । ସେପଟେ ବିରୋଧୀଙ୍କ ପକ୍ଷରୁ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହୁଥିବାବେଳେ ବିରୋଧୀ କୁହାଇ ନଦେବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ଉପରେ ବର୍ଷିଥିଲେ । ଏପରିକି ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
ଆଲୋଚନା ଆରମ୍ଭ କରି ରାଜନାଥ ସିଂ କହିଥିଲେଯେ, ଅପରେସନ୍ ସିନ୍ଦୂର ଏକ ଐତିହାସିକ ମିଶନ୍ ଥିଲା । ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟକୁ ଏହା ଦର୍ଶାଇଛି । ମେ’ ୬ ଓ ୭ରେ ଭାରତ ଅପରେସନ୍ ସିନ୍ଦୂର ଅଭିଯାନ କରିଥିଲା । ଭାରତର ସାର୍ବଭୌମତ୍ୱ ରକ୍ଷା ଓ ଦେଶର ନାଗରିକଙ୍କ ପାଇଁ ଉତ୍ତରଦାୟିତ୍ୱକୁ ଏହା ପ୍ରତିଫଳିତ କରିଛି । ଅପରେସନ୍ ସିନ୍ଦୂର ଆରମ୍ଭ ପୂର୍ବରୁ ଆମ ସେନା ସବୁଦିଗରୁ ଅନୁଧ୍ୟାନ କରିଥିଲେ । ଆମ ପାଖରେ ବହୁ ବିକଳ୍ପ ଥିଲା । ହେଲେ ଆତଙ୍କବାଦୀଙ୍କର ଯେଭଳି ଅଧିକ କ୍ଷତି ଘଟିବ ଆମେ ସେହି ବିକଳ୍ପ ହିଁ ଚୟନ କରିଥିଲୁ । ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଆମେ ଧ୍ୱଂସ କରିବା ସହ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତ ସମର୍ଥ ହୋଇଛି ବୋଲି ରାଜନାଥ କହିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଥିଲେଯେ, ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କର କୌଣସି ଭୂମିକା ନଥିଲା । ପାକିସ୍ତାନ ଏଥିପାଇଁ ଅନୁରୋଧ କରିଥିଲା । ସେହିପରି ଜାତିସଂଘର ୧୯୩ ରାଷ୍ଟ୍ର ମଧ୍ୟରୁ ପାକିସ୍ତାନ ସମେତ ୩ ରାଷ୍ଟ୍ର ହିଁ ଅପରେସନ୍ ସିନ୍ଦୁରକୁ ବିରୋଧ କରିଥିଲେ । କିନ୍ତୁ ଭାରତକୁ ଅନେକ ରାଷ୍ଟ୍ର ସମର୍ଥନ କରିଥିଲେ । ସେ ନିଜେ ୨୭ ଦେଶ ଠାରୁ ସମର୍ଥନ ନେଇ ଫୋନ୍ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ୨୦ ରାଷ୍ଟ୍ର ସମର୍ଥନ କରିଥିଲେ । ଏହାଛଡ଼ା ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ବିଭିନ୍ନ ଦେଶରୁ ୩୫ରୁ ୪୦ ଚିଠି ବି ଆସିଥିଲା । ଭାରତର ଉଦ୍ୟମ ଫଳରେ ଜାତିସଂଘ ସୁରକ୍ଷା ପରିଷଦ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ । ସେହିପରି ମେ’ ୯ ଓ ୧୦ରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ରେ କୌଣସି କଥା ଆଲୋଚନା କରାଯାଇନଥିଲା ବୋଲି ଜୟଶଙ୍କର ସ୍ପଷ୍ଟ କରିଛନ୍ତି ।
ବିରୋଧୀ ଦଳ ଉପନେତା ସୌରଭ ଗୋଗୋଇ କହିଛନ୍ତିଯେ, ସରକାର କହୁଛନ୍ତି ଆମେ ପାକିସ୍ତାନର ଘର ଭିତରେ ପଶି ଆକ୍ରମଣ କଲୁ । ସେପଟେ କହୁଛନ୍ତି ଅପରେସନ୍ ସିନ୍ଦୂର ଅସମ୍ପୂର୍ଣ୍ଣ ଅଛି । ଯଦି ଅସମ୍ପୂର୍ଣ୍ଣ ତେବେ ସଫଳ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ସରକାର କହୁଛନ୍ତି ଆମେ ପାକିସ୍ତାନର ଅଞ୍ଚଳ କବଜା କରିବାକୁ ଚାହୁଁନଥିଲୁ । ଯଦି ଏବେ ପିଓକେ ଆଣିବାନି ତେବେ କେବେ ଆଣିବା ବୋଲି ସେ କହିଥିଲେ । ଲୋକସଭାର ଆଲୋଚନା ତାଲିକାରେ ରାଜନାଥ ସିଂ, ବୈଜୟନ୍ତ ପଣ୍ଡା, ଏସ ଜୟଶଙ୍କର, ତେଜସ୍ୱୀ ଯାଦବ, ସଂଜୟ ଜୟସ୍ୱାଲ, ଅନୁରାଗ ଠାକୁର, କମଲଜିତ୍ ଶେହରାୱତ, ଲବୁ ଶ୍ରୀକୃଷ୍ଣା, ହରିଶ ବାଲୟୋଗୀ, ରାମଶଙ୍କର ରାଜଭର, ଛୋଟେଲାଲ, କଲ୍ୟାଣ ବାନାର୍ଜୀ, ସାୟୋନି ଘୋଷ, କେ. ଫ୍ରାନ୍ସିସ ଜର୍ଜ, ଏ. ରାଜା, କେ. କାନିମୋଝି, ଅମର କାଲେ ଓ ସୁପ୍ରିୟା ସୁଲେ, ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦୀପେନ୍ଦ୍ର ହୁଦା, ପ୍ରଣୀତି ସିନେ୍ଦ, ସପ୍ତଗିରି ଉଲାକା, ବିଜେନ୍ଦ୍ର ଓଲା, ରାହୁଲ ଗାନ୍ଧୀଙ୍କ ନାମ ରହିଛି ।