ଅସରାଏ ବର୍ଷାରେ ରାସ୍ତା ପାଲଟୁଛି କୃତ୍ରିମ ପୋଖରୀ
ଖୋର୍ଦ୍ଧା : ଖୋର୍ଦ୍ଧା ପୌରପରିଷଦ ହେଉ କିମ୍ବା ଜିଲ୍ଲାପ୍ରଶାସନ କାହାରି ଆନ୍ତରିକତା ନାହିଁ ଖୋର୍ଦ୍ଧା ସହରକୁ ସରସ ସୁନ୍ଦର କରିବାକୁ । ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ସହରକୁ ସରସ ସୁନ୍ଦର କରିବା ନିମନ୍ତେ ଗୋଟିଏ ରାସ୍ତାକୁ ବାରମ୍ବାର ନିର୍ମାଣ କରି ରାଜକୋଷରୁ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ସହରକୁ ସୁନ୍ଦର କରିବା ନିମନ୍ତେ ରାସ୍ତା ସମ୍ପ୍ରସାରଣ ପକ୍ରିୟାରେ ଅନିୟମିତ୍ତ ହେଉ କିମ୍ବା ଅବହେଳା ନଚେତ ଦୂରଦୃଶୀ ଅଭାବରୁ ରାସ୍ତାକାମ ଅଧାପନ୍ତରିଆ ହୋଇଥିବା ବେଳେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତା କଡରେ ଡ୍ରେନ ନିର୍ମାଣ କରିବା ଅଳରେ କୋଟି କୋଟି ଟଙ୍କା ବ୍ୟୟରେ ନାଳ ନିର୍ମାଣ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ ନକରି ଅଧାପନ୍ତରିଆ ଭାବରେ ଛାଡି ଦେଇଥିବା ଏବଂ ଯେଉଁ ନାଳ ଗୁଡିକ ନିର୍ମାଣ ହୋଇଛି ତାହାକୁ ସମାନ ଭାବରେ ସଫା ନକରି ଫଳରେ ଅସରାଏ ବର୍ଷ ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚରେ ପାଣି ଜମିବା ସହିତ ନାଳ ନର୍ଦ୍ଧମାରେ ଆବର୍ଜନା ପାଣି ରାସ୍ତା ଉପରେ ଗଦା ହେଉଛି । ଖାଲି ସେତିକି ନୁଁହ ଏହି ରାସ୍ତା ଦେଇ ଯାନବାହାନ ଯାଏ ତେବେ ରାସ୍ତା ଉପରେ ଜମା ହୋଇଥିବା ନର୍ଦ୍ଧମା ପାଣି ଛିଟି ରାସ୍ତାକଡରେ ଥିବା ଲୋକଙ୍କ ଉପରେ ପଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଠତା ପ୍ରକାଶ ପାଉଛି । ଯାହାକୁ ନେଇ ସାଧାରଣରେ ଅଭିଯୋଗ ହେଉଛି । ପୌରପରିଷଦ କେବଳ ଭେଣ୍ଡିଙ୍ଗ ଜୋନ ନିର୍ମାଣ କରିଦେଲେ ସହର ସୁନ୍ଦର ହୋଇଯିବ ତାହା ନୁଁହ ସହରର ବାହ୍ୟ ପରିବେଶ ସଫା ରଖିବା ସହ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ ଭାବରେ କରାଯିବ ଏବଂ ଏହାର ସଠିକ ଭାବରେ ତଦାରଖ କରାଯିବ ଓ ସଫେଇ କାର୍ଯ୍ୟ ଉପରେ ପୌରପରିଷଦ ସଠିକ ନଜର ରଖିବା ତେବେ ଯାଇ ସହର ସରସ ସୁନ୍ଦର ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।