ନିରବତାରେ ବହ୍ମଙ୍କ ସତ୍ତା
କିଶୋର କୁମାର ଜେନା : ଇଂଲିସ୍ କବି ଡ୍ରାଇଡେନ଼ କହିଥିଲେ, ଅଧିକ ଗପୁଥିବା ଲୋକେ କମ୍ ଚିନ୍ତା କରନ୍ତି । ଭଗବାନ ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟ ସମ୍ଭାଷଣରେ ଆମ୍ଭ ମାନଙ୍କୁ ମାର୍ଗଦର୍ଶନ କରି କହିଛନ୍ତି, "ଭଗବାନ ଦୁଇଟି କାନ ଓ ଗୋଟିଏ ଜିଭ ଦେଇଛନ୍ତି । ତେଣୁ ଯେତିକି ଶୁଣିବା ତାହାର ଅଧା କହିବା' । ପ୍ରସିଦ୍ଧ ରସିଆନ୍ ଔପନ୍ୟାସିକ ମିଖାଇଲ ସୋଲ୍କୋଭଙ୍କ ଏକ ଗଳ୍ପର ମୁଖ୍ୟ ଗୋଟିଏ ଚରିତ୍ର ଗପୁଡ଼ି ସ୍ୱଭାବର । ସୁଯୋଗ ମିଳିବା ମାତ୍ରକେ ଭାଷଣ ଦେବାରେ ଲାଗେ । ପ୍ରତ୍ୟେକ ଥର ଭାଷଣ ଆରମ୍ଭ କରିବା ପୂର୍ବରୁ ଭୂମିକାରେ ସେ କହେ ଭଲ କଥାଟିଏ ଖଣ୍ଡେ ରୂପା ଭଳି ମୂଲ୍ୟବାନ । ତାଙ୍କ ଭାଷଣ ଶୁଣୁଥିବା ଜଣେ ଶ୍ରୋତା ଦିନେ ହଠାତ୍ ଉଠି କହିଲେ, କିନ୍ତୁ ନିରବତା ସୁନା ଭଳି ମୂଲ୍ୟବାନ ତୁମେ ତୁମର ରୂପାକୁ ସୁନାରେ ପରିଣତ କରୁନାହଁ କାହିଁକି ? ଅର୍ଥାତ୍ ନିରର୍ଥକ କଥା ତୁଳନାରେ ନିରବତା ଶ୍ରେୟସ୍କର । ପ୍ରାଚୀନ ଭାରତୀୟମାନେ ମଧ୍ୟ ବାକ୍ସଂଯମ ଉପରେ ଗୁରୁତ୍ୱ ଦେଉଥିଲେ । ବୌଦ୍ଧ ଜାତକର ସୁପ୍ରସିଦ୍ଧ କାହାଣୀଟିଏ ଏହିପରି ବୌଧିସତ୍ତ୍ୱ ଏକଦା ରାଜକୁମାର ରୂପେ ଜନ୍ମ ହୋଇ ସର୍ବଦା ନିରବ ରହୁଥିଲେ । ତାଙ୍କ ଅଭୂତପୂର୍ବ ନିରବତା, ତାଙ୍କ ପିତା-ମାତାଙ୍କୁ ଚିନ୍ତିତ କରି ରଖିଥିଲେ । ଦିନେ ରାଜକୁମାର ରାଜ ଉଦ୍ୟାନରେ ଧ୍ୟାନରତ ଥିଲେ । ତାଙ୍କୁ ଜଗିଥିଲା, ଜଣେ ଦେହରକ୍ଷୀ । ପକ୍ଷୀଟିଏ ଗଛ ଡାଳରେ ଉଚ୍ଚ ସ୍ୱରରେ ରାବିବାକୁ ଲାଗିଲା । ରାଜକୁମାରଙ୍କର ଧ୍ୟାନଭଙ୍ଗ ହେଲାନାହିଁ । ତେବେ ବିରକ୍ତ ହୋଇ ଦେହରକ୍ଷୀ ତୀର ମାରିଲା । ତାର ଲକ୍ଷ୍ୟ ଥିଲା ଅବ୍ୟର୍ଥ । ପକ୍ଷୀଟି ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିଲେ ରାଜକୁମାର । ନିକଟକୁ ଦଉଡିଯାଇ, ଆଉଁସି ପକାଇ କହିଲେ, ହାୟ, କଥା କହିବାରୁ ସିନା ତୁ ଏଭଳି ଦୁରାବସ୍ଥା ଭୋଗିଲୁ । ଦେହରକ୍ଷୀ ଦଉଡିଯାଇ ରାଜାଙ୍କୁ ସୁ-ଖବର ଶୁଣାଇଲା । ରାଜା ଉଦ୍ୟାନକୁ ଝପଟିଆସି ନିରବରେ ବସିଥିବା ରାଜକୁମାରଙ୍କୁ ଦେଖିଲେ । ହେଲେ ରାଜାଙ୍କ ସମ୍ମୁଖରେ ସେ ମୁହଁ ଖୋଲିଲେ ନାହିଁ । ରାଜା ରାଗିଗଲେ । ରକ୍ଷୀକୁ ମିଥ୍ୟାବାଦୀ ମନେକରି ପ୍ରାଣଦଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ । ରକ୍ଷୀଟିକୁ ବଞ୍ଚାଇବାକୁ ଯାଇ ଦ୍ୱିତୀୟ ଥର ପାଇଁ ମୁହଁ ଖୋଲିଲେ ବୋଧିସତ୍ତ୍ୱ - "କଥା କହିବାରୁ ସିନା ତୋର ଏ ଦଶା ହେଲା ।'
ମୌନତା ହିଁ ପରମାତ୍ମା ଓ ଏହି ଦେହ, ମନ, ପ୍ରାଣ ଓ ଇନ୍ଦ୍ରିୟମାନଙ୍କର ଆଧାର । ମୌନତା ହେଉଛି ଏହି ଜ୍ଞାନମୟ ବିଶ୍ୱର ପୃଷ୍ଠଭୂମି । ମୌନତା ହିଁ ଶକ୍ତି । ମୌନତା ଏକ ଜୀବନ୍ତ ଶକ୍ତି । ମୌନତା ହିଁ ଏକମାତ୍ର ବାସ୍ତବ ସତ୍ତା । ସକଳ ବୋଧଜ୍ଞାନର ଊଦ୍ଧ୍ୱର୍ରେ ଯେଉଁ ଶାନ୍ତି ଅବସ୍ଥିତ, ତାହା ମୌନତା । ଜୀବନର ଅନ୍ତିମ ଲକ୍ଷ୍ୟସ୍ଥଳ ହେଉଛି ମୌନତା । ମୌନତାରେ ନିମଜ୍ଜିତ ହେବାର ଅର୍ଥ ପରଂବ୍ରହ୍ମରେ ଲୀନ ହୋଇଯିବା । ତୁଷାରାଚ୍ଛନ୍ନ ଗଙ୍ଗୋତ୍ରୀରେ ବା କୈଳାସରେ ଯେଉଁ ସମ୍ପୂର୍ଣ୍ଣ ଉଲଗ୍ନ ଅବଧୂତ ବାସ କରନ୍ତି, ମୌନତା ହେଉଛି ତାଙ୍କର ବାଣୀ । ପ୍ରଭୁ ଦକ୍ଷିଣାମୂର୍ତ୍ତି ତାଙ୍କର ଚାରି ଶିଷ୍ୟ ସନକ, ସନାତନ, ସନନ୍ଦନ ଓ ସନତକୁମାରଙ୍କୁ ଯେଉଁ ବାଣୀ ପ୍ରଦାନ କରିଥିଲେ, ତାହା ମୌନ ବା ତୁଷ୍ଣୀଭାବ ଭିନ୍ନ ଅନ୍ୟ କିଛି ନୁହେଁ । ହୃଦୟ ଯେତେବେଳେ ପୂର୍ଣ୍ଣ ହୋଇଯାଏ, ଆପଣ ଯେତେବେଳେ ଆନନ୍ଦରେ ଉତପ୍ଲାବିତ ହୋଇଯାଆନ୍ତି, ସେତେବେଳେ ଆଉ ବାକସ୍ଫୁରଣ ହୁଏନାହିଁ । ସେତେବେଳେ ଆପଣ ମୌନପ୍ରଶାନ୍ତ ହୋଇଯାଆନ୍ତି । ମୌନତାର ସେ ଯେଉଁ ମହିମା, ତାହା ବର୍ଣ୍ଣନା କରିବାକୁ କାହାର ସାଧ୍ୟ ଅଛି । ନୈରାଶ୍ୟ, ବିଫଳତା, ପରାଭବ ଓ କ୍ଷୟକ୍ଷତିର ଆଘାତରେ ହୃଦୟ ଯେଉଁମାନଙ୍କର ବିକ୍ଷତବିଦୀର୍ଣ୍ଣ, ସେମାନଙ୍କ ପକ୍ଷରେ ମୌନତାସମାନ ଶତୀଳସଞ୍ଜୀବନୀ ପ୍ରଲେପ ଦ୍ୱିୀତୟ ଆଉ ନାହିଁ । ଭଗବାନ ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟସମ୍ଭାଷଣରେ ଆମ ମାନଙ୍କୁ ମୌନତାର ମୂଳ ଭାବାର୍ଥ ଓ ଜୀବନ କ୍ଷେତ୍ରର ତତ୍ତ୍ୱ ନିମିତ୍ତ ମାର୍ଗଦର୍ଶନ କରି କହିଛନ୍ତି "ଜୀବନର ଝଡ଼ଝଞ୍ଜା, ଦ୍ୱନ୍ଦ୍ୱ, କଳହ ଓ ଗୃହବିବାଦର ଅହରହ ଘାତପ୍ରତିଘାତ ଫଳରେ ସ୍ନାୟୁମଣ୍ଡଳ ଯେଉଁମାନଙ୍କର କ୍ଷତିବିକ୍ଷତ, ସେମାନଙ୍କର ପକ୍ଷରେ ପ୍ରଶାନ୍ତି ବା ନିରବତା ସମାନ ବେଦନାନିଗ୍ରହ ମହୌଷଧି ଦ୍ୱିତୀୟ ଆଉ ନାହିଁ ।' ଆପଣ ଗଭୀର ନିଦ୍ରାରେ ଶୋଇଥିବାବେଳେ ଏହି ମହାନ ମୌନତା ସହିତ ଆପଣଙ୍କର ନିବିଡ଼ି ସମ୍ପର୍କ ପ୍ରତିଷ୍ଠିତ ହୋଇଥାଏ କିନ୍ତୁ ସେତେବେଳେ ଆପଣଙ୍କ ଉପରେ ପଡ଼ିଯାଇଥାଏ ଅବିଦ୍ୟାର ଆଚରଣ, ଅଜ୍ଞାନର ଆଚ୍ଛାଦନ । ତଥାପି ଘୋର ନିଦ୍ରାରେ ଆପଣ ସେ ଯେଉଁ ପ୍ରଶାନ୍ତି ଉପଭୋଗ କରନ୍ତି, ନିସ୍ତବ୍ଧ ମଧ୍ୟରାତ୍ରରେ ଆପଣ ସେ ଯେଉଁ ନିରବତା ଉପଲବ୍ଧି କରନ୍ତି, ତାହା ସେହି ମୌନ ମହାସାଗର ବ୍ରହ୍ମଙ୍କର ସତ୍ତାର ହିଁ ପରିଚୟ ଦିଏ ।
ମୋ: ୭୩୨୫୯୦୪୯୨୭