ଆତଙ୍କବାଦୀକୁ ଆଉ ସହିବୁ ନାହିଁ : ମୋଦି

ଆତଙ୍କବାଦୀକୁ ଆଉ ସହିବୁ ନାହିଁ : ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣକୁ ଦୃଢ ନିନ୍ଦା କରି ଏହାକୁ ଏକ "ଜଘନ୍ୟ ଆତଙ୍କବାଦୀ ଘଟଣା’ ବୋଲି ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଘଟଣାର ଅପରାଧୀ, ସେମାନଙ୍କର ସହଯୋଗୀ ଓ ପ୍ରାୟୋଜକଙ୍କୁ ଉଚିତ ଦଣ୍ଡ ବିଧାନ ପାଇଁ ସଂକଳ୍ପ ନେଇଛନ୍ତି ମୋଦି । ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ଆତଙ୍କବାଦ ଦମନ ପାଇଁ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦିଆଯାଇଥିଲା । ଏହା ଆତଙ୍କୀ କାର୍ଯ୍ୟ କଳାପ ଥିଲା । ଆମେ ଆଉ ଆତଙ୍କବାଦୀକୁ ସହିବୁ ନାହିଁ । ତ୍ୱରିତ ତଦନ୍ତ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଠିକ ଭାବେ କରି ଶୀଘ୍ର ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । 


   ବୈଠକରେ ମୃତାହତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଯାଇଥିଲା । ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା । ଆକ୍ରମଣରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ ପାଇଥିଲା । ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଡାକ୍ତରୀ କର୍ମଚାରୀ ଓ ଜରୁରୀକାଳୀନ ପ୍ରଶମନକାରୀଙ୍କ ପ୍ରୟାସକୁ ମଧ୍ୟ ପ୍ରଶଂସା କରାଯାଇଛି । ବିସ୍ଫୋରଣକୁ "ହୀନ ଏବଂ କାପୁରୁଷ କାର୍ଯ୍ୟ’ ବୋଲି ଅଭିହିତ କରି କ୍ୟାବିନେଟ୍‌ ସମସ୍ତ ପ୍ରକାର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ-ସହିଷ୍ଣୁତା ନୀତିକୁ ପୁନଃସ୍ଥାପନ କରିଛି । ଏହା ବିଶ୍ୱର ବିଭିନ୍ନ ସରକାରଙ୍କଠାରୁ ମିଳିଥିବା ଏକତା ଏବଂ ସମର୍ଥନର ଅଭିବ୍ୟକ୍ତିକୁ ମଧ୍ୟ ସ୍ୱୀକାର କରିଛି । ଆଜିର ଏହି ସୁରକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ  ।