ତହସିଲଦାରଙ୍କ କ୍ଷମତା ବଢ଼ାଇଲେ ମୋହନ

ତହସିଲଦାରଙ୍କ କ୍ଷମତା ବଢ଼ାଇଲେ ମୋହନ
  • ସହଜ ହେବ ପଟ୍ଟା ସଂଶୋଧନ
  • ରୁଲ୍‌ ସଂଶୋଧନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
     

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ କିଣିଥିବା ଜମିର ଜମିପଟ୍ଟା ବନ୍ଦୋବସ୍ତ ଅଧିକାରୀ କ୍ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ ପ୍ରକ୍ରିୟାରେ ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ୍‌ କରିଥାନ୍ତି । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲ୍‌ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡ଼ି ରହିଥାଏ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ଉପରୋକ୍ତ ରୁଲ୍‌ ସଂଶୋଧନ ଦ୍ୱାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ । ଏହାଦ୍ୱାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ ।