ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ଡିଜିଟାଲ୍ ପ୍ରମାଣପତ୍ର
ଭୁବନେଶ୍ୱର : ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରାଇବା କ୍ଷେତ୍ରରେ ସହଜ ସେବା ଉପଲବ୍ଧ କରାଇବା ପାଇଁ ରେଳ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୪.୦ ନଭେମ୍ବର ମାସ ପହିଲା ଠାରୁ ୩୦ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି ଅନୁଯାୟୀ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିବାରେ ଅସୁବିଧାମୁକ୍ତ କରିବା ପାଇଁ ପ୍ରମୁଖ ଷ୍ଟେସନ ଏବଂ ସ୍ଥାନଗୁଡ଼ିକରେ ମେଗା ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଶିବିର ଆୟୋଜନ କରୁଛି ।
ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୁନିଶ୍ଚିତ କରିବା ପାଇଁ, ରେଳମଣ୍ଡଳ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନଗୁଡ଼ିକରେ ବ୍ୟାନର ଏବଂ ସୂଚନା ପ୍ରଦର୍ଶନ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ ଗ୍ରହଣ କରିଥିଲାବେଳେ ସେମାନଙ୍କ ସୂଚନା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିଥିଲା । ପଲାସା, ବ୍ରହ୍ମପୁର, ବାଲୁଗାଁ ଏବଂ ପୁରୀରେ ଚାରିଟି ଡିଏଲସି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇସାରିଛି । ସମସ୍ତ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସୁଗମ ଭାବରେ ଦାଖଲ କରିବା ପାଇଁ ନିକଟତମ ଶିବିରରେ ଯୋଗଦେବାକୁ ଅନୁରୋଧ କରାଯାଇଛି ଏବଂ ସେମାନଙ୍କୁ ସେମାନଙ୍କର ଆଧାର କାର୍ଡ, ପେନସନ ପେ ଅର୍ଡର (ପିପିଓ) ନମ୍ବର, ପେନସନ ଆକାଉଣ୍ଟ ନମ୍ବର ଏବଂ ଆଧାର ସହିତ ଲିଙ୍କ୍ ଥିବା ପଞ୍ଜିକୃତ ମୋବାଇଲ୍ ନମ୍ବର/ଫୋନ ଆଣିବାକୁ ପରାମର୍ଶ ଦିଆଯାଇଛି ।