ଭୁଶୁଡି ପଡିଲା ବାଲକୋନି : ଶିଶୁ ସମେତ ୩ ମୃତ

ଭୁଶୁଡି ପଡିଲା ବାଲକୋନି : ଶିଶୁ ସମେତ ୩ ମୃତ
  • ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
  • ମିଳିବ ୪ ଲକ୍ଷ ଲେଖାଏଁ ସହାୟତା

କଟକ : କଟକରେ ପୁଣି ଘଟିଛି ଅଘଟଣ । ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ି ପଡିବାରୁ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ମଣିସାହୁ ଛକ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ି ନିକଟରେ ଥିବା ଏକ ଆଜବେଷ୍ଟ ଘର ଉପରେ ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଜଣେ ମହିଳା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଆହତମାନଙ୍କ ମଧ୍ୟରୁ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଅବଦୁଲ ଜଲିଳ, ଅବଦୁଲ ଜାହିଦ ଓ ୫ ବର୍ଷର ଶିଶୁ ଅବଦୁଲ ମୁଜାହିଦ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ଓ ପୁଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ଘୋଣା କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

      ସୂଚନା ମୁତାବକ, ଶନିବାର ଅପରାହ୍ଣ ୫ ଟା ସମୟରେ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ହଠାତ ଭୁଶୁୁଡ଼ି ପଡ଼ି ନିକଟରେ ଥିବା ଏକ ଆଜବେଷ୍ଟସ ଛାତ କୋଠରି ଉପରେ ପଡ଼ିଥିଲା । ଫଳରେ କୋଠରୀ ଭିତରେ ଥିବା ୬ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠାଇଥିଲେ । କଟକ ବଡ଼ ମେଡ଼ିକାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୩ ଜଣଙ୍କର କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହି ଆପାର୍ଟମେଣ୍ଟଟି ବହୁ ଦିନରୁ ବିପଦ ସଂକୁଳ ଅବସ୍ଥାରେ ଥିଲା । ଏ ବିଷୟରେ ସ୍ଥାନୀୟ ବାସିନ୍ଦାମାନେ ସିଡ଼ିଏ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପୁରୁଣା କୋଠାଟି ଭାଙ୍ଗିବା ପାଇଁ କୌଣସି ପଦକ୍ଷେପ ନନେବାରୁ ଆଜି ଏ ଅଘଟଣ ଘଟିଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ସିଡ଼ିଏ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । କଟକରେ ବିପଦସଂକୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣା ପୁଣି ସହରରେ ପୁରୁଣା ଓ ଖରାପ ହେଉଥିବା କୋଠାଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।