ଇତିହାସରେ ହରିଜନ ବନାମ ଦଳିତ
ଡ. ରଜତ କାନ୍ତ ଦାଶ
ଓଡିଶା ସରକାର ନିଜ ଅଧୀନରେ ଥିବା ସମସ୍ତ ବିଭାଗ, ସାଧାରଣ ଓ ଶିକ୍ଷାନୁଷ୍ଠାନର ଆଧିକାରିକ ଯୋଗାଯୋଗରେ ‘ହରିଜନ’ ଶବ୍ଦର ବ୍ୟବହାର ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅଗଷ୍ଟ ୧୨ରେ ସରକାରଙ୍କ ପକ୍ଷରୁ ଜାରି ପତ୍ର ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୩୪୧ ଅନୁଯାୟୀ ହିନ୍ଦୁ ସମାଜର ସର୍ବନିମ୍ନସ୍ତରରେ ଥିବା ଜାତିଙ୍କୁ ଅନୁସୂଚିତ ଜାତି ବୋଲି ସମ୍ବୋଧନ କରାଯିବ । ସେମାନଙ୍କୁ ଇଂରାଜୀରେ ସିଡୁ୍ୟଲ୍ଡ କ୍ୟାଷ୍ଟ, ଓଡିଆରେ ଅନୁସୂଚିତ ଜାତି କିମ୍ବା ଅନ୍ୟ ରାଷ୍ଟ୍ରଭାଷାରେ ଦଳିତ ବୋଲି ସମ୍ବୋଧନ କରାଯାଇ ପାରିବ । ୧୯୮୨ରେ କେନ୍ଦ୍ର ସରକାର ହରିଜନ ଶବ୍ଦର ବ୍ୟବହାର ବନ୍ଦ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପୁନର୍ବାର ୨୦୧୩ରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କେବଳ ଜାତି କ୍ଷେତ୍ରରେ ନୁହେଁ ବରଂ ସମସ୍ତ ପ୍ରକାର ଆଧିକାରିକ ଯୋଗାଯୋଗରେ ହରିଜନ ଶବ୍ଦର ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ର୍ନିେଶ ଦିଆଯାଇଥିଲା । ତେବେ ଏଠି କଥା ଉଠୁଛି ଏହି ହରିଜନ ଶବ୍ଦର ବ୍ୟବହାରକୁ ଏତେ ବିରୋଧ କରାଯାଉଛି କାହିଁକି ? ଏହି ହରିଜନ ଶବ୍ଦର ଉତ୍ପତ୍ତି କେବେ ଓ କେଉଁ ପରିସ୍ଥିତିରେ ହୋଇଥିଲା ? ପୂର୍ବରୁ ଏହାର ବିରୋଧ ହୋଇଥିଲା କି ନାହିଁ?
ଇତିହାସକୁ ଅବଲୋକନ କଲେ ଜଣାପଡେ ଯେ ଦଳିତ ଏବଂ ହରିଜନ ଶବ୍ଦର ବ୍ୟବହାରକୁ ନେଇ ୧୯୩୦ରୁ ବିବାଦ ଜାରି ରହିଛି । ଏହି ଶବ୍ଦର ବ୍ୟବହାର ଏବଂ ଉତ୍ପତ୍ତି ଭାରତର ସାମାଜିକ ବ୍ୟବସ୍ଥା ସହିତ ଜଡିତ । ଜାତି ଭାରତୀୟ ହିନ୍ଦୁ ସମାଜର ମୌଳିକ ଚରିତ୍ର । ଜାତିକୁ ଆଧାର କରି ଉଚ୍ଚÿନୀଚ କ୍ରମରେ ସାମାଜିକ ର୍ବଗୀକରଣ କରାଯାଇଛି । ପରିଣାମତଃ ସୃଷ୍ଟି ହୋଇଛି ଭେଦଭାବ, ବୈଷମ୍ୟ, ଶୋଷଣ ଓ ଅସ୍ପୃଶ୍ୟତା । ବର୍ଗୀକୃତ ସମାଜର ସର୍ବନିମ୍ନ ସ୍ତରରେ ରହିଥିବା ଜାତିମାନଙ୍କୁ ସମୟ କ୍ରମରେ ବିଭିନ୍ନ ନାମରେ ନାମିତ କରାଯାଇଛି, ଯେପରିକି ଶୂଦ୍ର, ଅତିଶୂଦ୍ର, ପଞ୍ଚମ, ଅନ୍ତ୍ୟଜ, ଅସ୍ପୃଶ୍ୟ, ଅଛୁତ, ହରିଜନ, ଡିପ୍ରେସଡ୍ କ୍ଲାସ ବା ଅବଦମିତ ଶ୍ରେଣୀ, ଅନୁସୂଚିତ ଜାତି ଇତ୍ୟାଦି । ତେବେ ଆଧୁନିକ ଭାରତରେ ଇଂରେଜ ଶାସନ କାଳରେ ଏହି ଜାତି ର୍ବଗୀକରଣ ବିରୋଧରେ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ଏହି କାଳରେ ଦଳିତ ଆନେ୍ଦାଳନର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳେ ଯଥା ୧. ସଂସ୍କାରମୂଳକ ଆନେ୍ଦାଳନ, ୨. ଜାତିବିରୋଧୀ ଆନେ୍ଦାଳନ ଓ ୩. ଅସ୍ପୃଶ୍ୟତା ନିବାରଣ ଆନେ୍ଦାଳନ । ଯଦିଓ ଏଭଳି ଆନେ୍ଦାଳନ ପୂର୍ବକାଳରେ ଉନ୍ମେଷ ହୋଇଥିଲା, ତାହାର ବିକାଶ ଓ ଅନୁଷ୍ଠାନିକ ମାନ୍ୟତା ହିଁ ଇଂରେଜମାନଙ୍କ ଶାସନକାଳରେ ଫଳପ୍ରଦ ହୋଇଥିଲା । ଏ ଦିଗରେ ରାଜା ରାମମୋହନ ରାଏଙ୍କ ବ୍ରହ୍ମ ସାମଜ, ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟସମାଜ, ସ୍ୱାମୀ ବିବେକାନନ୍ଦଙ୍କ ରାମକୃଷ୍ଣ ମିସନ, ଶ୍ରୀ ନାରାୟଣ ଗୁରୁ ଓ ଜଷ୍ଟିସ ଏମଜି ରାନାଡେଙ୍କ ପ୍ରାର୍ଥନା ସମାଜ ପ୍ରଭୁତି ସଫଳ ଅନୁଷ୍ଠାନ ବୋଲି କହିବା ସମୀଚୀନ ହେବ । ତେବେ ଏହାକୁ ଜାତି ବରୋଧୀ ଆନେ୍ଦାଳନ ବଦଳରେ ସଂସ୍କାରମୂଳକ ଆନ୍ଦୋଳନର ଆଖ୍ୟା ଦିଆଯାଇପାରେ ।
ହିନ୍ଦୁଙ୍କ ମଧ୍ୟରେ ସବୁ ଜାତିର ଲୋକଙ୍କୁ ନେଇ ବ୍ରିଟିଶ ଶାସନ ବିରୋଧୀ ଜାତୀୟ ଆନେ୍ଦାଳନକୁ ତୀବ୍ରତର କରବା ସହ ସମାଜର ସର୍ବନିମ୍ନ ସ୍ତରରେ ରହିଥିବା ଜାତିମାନଙ୍କୁ ଏକ ଭିନ୍ନ ପରିଚୟ ଦେବା ପାଇଁ ମହାତ୍ମା ଗାନ୍ଧୀ ହରିଜନ ଶବ୍ଦର ବ୍ୟବହାରକୁ ଗୁରୁତ୍ୱ ଦେଇଥିଲେ । ୧୯୩୨ ମସିହାରେ ଗାନ୍ଧୀ ଏହି ଶବ୍ଦର ବ୍ୟବହାର କରିଥିଲେ । ଏପରିକି ୧୯୩୩ରେ ଗାନ୍ଧୀ ଇଂରାଜୀରେ ହରିଜନ, ହିନ୍ଦୀରେ ହରିଜନ ସେବକ ଏବଂ ଗୁଜୁରାଟୀରେ ହରିଜନ ବନ୍ଧୁ ନାମକ ତିନୋଟି ଖବରକାଗଜ ପ୍ରକାଶ କରିଥିଲେ । ଅସ୍ପୃଶ୍ୟତା ନିବାରଣ ପାଇଁ ଗାନ୍ଧୀ ୧୯୩୩ ନଭେମ୍ବରରୁ ୧୯୩୪ ଅଗଷ୍ଟ ମାସ ପର୍ଯ୍ୟନ୍ତ ୧୨,୫୦୦ କିଲୋମିଟର ପଦଯାତ୍ରା କରିଥିଲେ । ଫଳରେ ହରିଜନ ଶବ୍ଦ ବହୁ ଲୋକପ୍ରିୟତା ହାସଲ କରିଥିଲା ଓ ହିନ୍ଦୁ ସମାଜର ସର୍ବନିମ୍ନ ସ୍ତରରେ ଥିବା ଜାତିମାନଙ୍କୁ ହରିଜନ ବୋଲି ସମ୍ବୋଧନ କରାଗଲା । କୁହାଯାଏ ଏହି ଶବ୍ଦଟି ପ୍ରଥମେ ଗୁଜୁରାଟର କବି ନରିସିଂହ ମେହେଟାଙ୍କ ଦ୍ୱାରା ରଚିତ ‘ବୈଷ୍ଣବ ଜନ ତୋ’ ଭଜନରେ ପ୍ରକାଶିତ ହୋଇଥିଲା । ଗାନ୍ଧୀ ନରସିଂହଙ୍କଠାରୁ ଅନୁପ୍ରାଣିତ ହୋଇ ଏହି ଶବ୍ଦର ବ୍ୟବହାର କରିଥିଲେ । ଗାନ୍ଧୀ ଏହି ଶବ୍ଦର ବ୍ୟବହାରକୁ ନେଇ ତୁଳସୀ ଦାସଙ୍କ ରଚିତ ରାମାୟଣକୁ ଉଦ୍ଧୃତ କରିଛନ୍ତି । ଏଥିରେ ପରଶୁରାମଙ୍କୁ କ୍ଷତ୍ରିୟର ଗୁଣଗୁଡିକୁ ବର୍ଣ୍ଣନା କରି ଲକ୍ଷ୍ମଣ କହିଛନ୍ତି ‘ଆମ ବଂଶର ଗୁଣ ହେଉଛି କେବେବି ଦେବତା, ବ୍ରାହ୍ମଣ, ହରିଜନ କିମ୍ବା ଗାଈ ପ୍ରତି ବଳ ପ୍ରୟୋଗ କରିବା ନାହିଁ’ । ଅବଦମିତ ବର୍ଗ ବା ଦଳିତ ଶବ୍ଦଟି ଲୋକମାନଙ୍କୁ ଦାସତ୍ୱର କଥା ମନେପକାଉଛି ଓ ସେମାନଙ୍କ ପାଇଁ ଏହା ଅପମାନଜନକ । ତେଣୁ ସେ ଅଧିକ ଭଦ୍ର ଶଦ୍ଦ ହରିଜନ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ତେବେ ଦଳିତ ବଦଳରେ ହରିଜନ ଶବ୍ଦର ବ୍ୟବହାରକୁ ସେ ସମୟର ଜାତିବାଦୀ ଆନେ୍ଦାଳନର ପୁରୋଧା ବି.ଆର ଆମ୍ବେଦକର ତୀବ୍ର ବିରୋଧ କରିଥିଲେ । ଆମ୍ବେଦକର ୧୯୩୮ ଜାନୁଆରୀ ୨୨ରେ ହରିଜନ ଶବ୍ଦର ବ୍ୟବହାରର ପ୍ରତିବାଦରେ ବମ୍ବେ ବିଧାନସଭା ଗୃହ ତ୍ୟାଗ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ ଏବେ ହରିଜନ ଶବ୍ଦଟି ଅସ୍ପୃଶ୍ୟ ଶବ୍ଦର ବାସ୍ତବିକ ସମକକ୍ଷ ହୋଇଯାଇଛି । ତେଣୁ ଏହି ଶବ୍ଦକୁ ପ୍ରତ୍ୟହାର କରାଯାଉ ଏହାର ବିକଳ୍ପ ଶବ୍ଦ ଖୋଜିବା ପାଇଁ ଆଲୋଚନା କରାଯାଉ । ଆମ୍ବେଦକର କହିଥିଲେ ଯେ ଅନୁସୂଚିତ ଜାତି ମଧ୍ୟରେ ଅନେକ ଲୋକ ଏହି ଶବ୍ଦର ବ୍ୟବହାରକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପରିଚୟ ପାଇଁ ଏହି ଶବ୍ଦ ଅନୁପଯୁକ୍ତ । ଏହି ଶବ୍ଦ ସେମାନଙ୍କ ସଂଘର୍ଷ ଏବଂ ମର୍ଯ୍ୟାଦାକୁ ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ଭୁକ୍ତ କରେନାହିଁ । ଯେଉଁ ପିଲାର ବାପା କିଏ ଜଣା ନାହିଁ ବା ଅଜ୍ଞାତ ତାଙ୍କ ପାଇଁ ହିନ୍ଦୀରେ ଭଗବାନଙ୍କ ସନ୍ତାନ ବା ହରିଜନ ଶବ୍ଦର ବ୍ୟବହାର କରାଯାଏ । ହିନ୍ଦୁ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳିତ ଥିଲାବେଳେ ସେମାନେ ପୂଜା ସମାରୋହରେ ଅଂଶ ଗ୍ରହଣ କରିବା ସହ ପୂଜାରୀଙ୍କ ସେବା କରନ୍ତି । ଦେବଦାସୀ ଯେଉଁ ସନ୍ତାନ ଜନ୍ମ ଦିଅନ୍ତି ତାଙ୍କୁ ହରିଜନ ବୋଲି ସମ୍ବୋଧନ କରାଯାଏ । ତେଣୁ ଗାନ୍ଧୀଙ୍କ ଦ୍ୱାରା ପ୍ରଚଳିତ ହରିଜନ ଏକ ଖରାପ ଶବ୍ଦ । ୧୯୩୨ ସେପ୍ଟେମ୍ବର ୨୦ରେ ପୁନା ଚୁକ୍ତି ପରଠାରୁ ଗାନ୍ଧୀ ଏବଂ ଆମ୍ବେଦକରଙ୍କ ମଧ୍ୟରେ ବିବାଦ ବୃଦ୍ଧି ସହ ହରିଜନ ବନାମ ଦଳିତ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଲୋକଲୋଚନକୁ ଆସିଥିଲା । ଆମ୍ବେଦକରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦଳିତ ଆନେ୍ଦାଳନକୁ ଦୁଇ ଭାଗରେ ବିଭକ୍ତ କରି ବିଚାର କରାଯାଇପାରେ । ପ୍ରଥମତଃ ସାମାଜିକ ସଂସ୍କାରମୂଳକ ଆନେ୍ଦାଳନ ଓ ଅନ୍ୟଟି ସାମାଜିକ ନ୍ୟାୟ ଓ ମାନବୀୟ ଅଧିକାର ପ୍ରତିଷ୍ଠାମୂଳକ ଆନେ୍ଦାଳନ । ପ୍ରଥମ ଦିଗଟିରେ ଆମ୍ବେଦକର ଦଳିତମାନଙ୍କ ଅସ୍ମିତା, ସାମାଜିକ ସମାନତା, ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ପ୍ରତିଷ୍ଠା ପାଇଁ ଦାବି, ଇଂରାଜୀ ଶିକ୍ଷା ପ୍ରଭୁତି ଦିଗକୁ ଗୁରୁତ୍ୱ ଦେଇଥିଲେ । ବହିଷ୍କ୍ରିତ ହିତକାରିଣୀ ସଭା (୧୯୨୭), ସମାଜ ସମତା ସଂଘ (୧୯୨୭), ମାହାଡ ସତ୍ୟାଗ୍ରହ (୧୯୨୭) କାଲାରାମ ମନ୍ଦିର ସତ୍ୟାଗ୍ରହ (୧୯୩୦), ଶ୍ରମିକ ଦଳ (୧୯୩୦) ଓ ଅନୁସୂଚିତ ଜାତି ସଂଘ (୧୯୫୬) ମାଧ୍ୟମରେ ଦଳିତମାନଙ୍କର ଅଧିକାର, ଶିକ୍ଷା ଓ ସମସ୍ୟା ବିଷୟରେ ସ୍ୱର ଉତ୍ତୋଳନ କରିଥିଲେ । ଦଳିତମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷାର ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ସ୍ୱତନ୍ତ୍ର ଛାତ୍ରାବାସ, ପାଠାଗାର, ଅଧ୍ୟୟନ କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ଖୋଲିବା ସହ ଦଳିତ ସାହିତ୍ୟ ରଚନା ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ ୧୯୩୧ରେ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଇଂରେଜ ସରକାରଙ୍କ ନିକଟରେ ଦାବି ରଖିଥିଲେ । ଆମ୍ବେଦକରଙ୍କ ଦାବିକୁ ଗ୍ରହଣ କରି ଇଂରେଜ ସରକାର ୧୯୩୨ରେ ମ୍ୟାକଡୋଲାଣ୍ଡ ପୁରସ୍କାର ବା ସାମ୍ପ୍ରଦାୟିକ ପୁରସ୍କାର ଘୋଷଣା କରିଥିଲେ । ଏଥିରେ ଦଳିତ ବା ଅସ୍ପୃଶ୍ୟଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ସୃଷ୍ଟ ପାଇଁ ଘୋଷଣା କରାଯାଇଥିଲା । ଏଭଳି ଜାତିଭିତ୍ତିକ ବିଭାଜନକୁ ଗାନ୍ଧୀ ଆଦୌ ଗ୍ରହଣ କଲେ ନାହିଁ । ଆଇନ ଅମାନ୍ୟ ବା ଲବଣ ସତ୍ୟାଗ୍ରହ ଯୋଗୁଁ ପୁନା ଏରୱାଡା କାରାଗାରରେ ବନ୍ଦୀ ଥିବା ଗାନ୍ଧୀ ସେ ସମୟରେ ଆମରଣ ଅନଶନ କରିଥିଲେ । ଯାହା ଫଳରେ ଗାନ୍ଧୀ ଓ ଆମ୍ବେଦରଙ୍କ ମଧ୍ୟରେ ମତାନ୍ତର ହୋଇ ୧୯୩୨ରେ ପୁନା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପୁନା ଚୁକ୍ତି ପରେ ଗାନ୍ଧୀ ହରିଜନ ପତ୍ରିକା ପ୍ରକାଶନ ଆରମ୍ଭ କରିବା ସହ ଅସ୍ପୃଶ୍ୟତା ନିବାରଣ ପାଇ ହରିଜନ ପଦଯାତ୍ରା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୧୯୪୭ ମସିହା ଅଗଷ୍ଟ ୨୯ ତାରିଖରେ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ନୂତନ ସମ୍ବିଧାନ ପ୍ରସ୍ତୁତ ମଣ୍ଡଳୀ ପ୍ରତିଷ୍ଠା କରାଯାଇଥିଲା । ଦଳିତମାନଙ୍କର ସାମାଜିକ ସମାନତା ଓ ସୁରକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଆମ୍ବେଦକର ସମ୍ବିଧାନ ପ୍ରସ୍ତୁତ ମଣ୍ଡଳୀ ଗୃହରେ ଏକ ପ୍ରସ୍ତାବ ଯେତେବେଳେ ଆଗତ କଲେ, ଏହାର ପ୍ରତିବାଦ କରାଯାଇଥିଲା । ଫଳରେ ଆମ୍ବେଦର ୩ରୁ ୪ ଦିନ ପର୍ଯ୍ୟନ୍ତ ସଭାଗୃହକୁ ପ୍ରବେଶ କରିନଥିଲେ । ତେଣୁ କଂଗ୍ରେସ ନେତାମାନେ ଆମ୍ବେଦକରଙ୍କ ଦୃଢ ପ୍ରତିବାଦକୁ ସମ୍ମାନ ଦେଇ ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ଫଳରେ ଭାରତୀୟ ସମ୍ବିଧାନରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଚ୍ଛେଦରେ ସ୍ୱତନ୍ତ୍ର ବିଷୟମାନ ଉଲ୍ଲେଖ କରାଗଲା ଯଥା, ୧. ବ୍ୟବସ୍ଥାପିକା ସଭାରେ ପ୍ରତିନିଧିତ୍ୱ, (ଧାରା ୩୩୦) । ୨. ଚାକିରିରେ ପ୍ରତିନିଧିତ୍ୱ, (ଧାରା ୩୩୬) । ୩. ଅନୁସୂଚିତ ଜାତି ଶିକ୍ଷାର ବିକାଶ ପାଇଁ ଅନୁଦାନ (ଧାରା ୩୩୭) । ଏହାସହ ମୌଳିକ ଅଧିକାରଗୁଡିକରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଗଲା । ଏହାବ୍ୟତୀତ ଭାରତୀୟ ସମ୍ବିଧାନର ଧାରା ୧୨, ୧୩, ୧୪, ୧୫, ୧୬, ୧୭, ୨୩, ୨୫, ୨୯, ୩୫, ୩୮, ୪୧, ୧୨୪, ୧୬୪, ୨୪୪ (ଏ), ୨୭୫, ୩୨୦, ୩୩୨, ୩୩୩, ୩୩୪, ୩୩୫, ୩୩୮, ୩୩୯, ୩୪୦, ୩୪୧, ୩୪୨, ୩୭୧, ୩୭୧ (ଏ), ୩୭୧ (ବି) ଓ (ସି) ଗୁଡିକରେ ଦଳିତମାନଙ୍କ ସୁରକ୍ଷା ଓ ସାମାଜିକ ସମାନତା ପାଇଁ ବିଭିନ୍ନ ଦିଗରେ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ଆମ୍ବେଦକର ଉଭୟ ସମାଜ ସଂସ୍କାର ଓ ସମ୍ବିଧାନ ପ୍ରଣୟନ ଦିଗରେ ଯେଉଁ ଶୀତଳ ଯୁଦ୍ଧ କରିଥିଲେ ତାହା ନିଶ୍ଚିତ ଭାବେ ସଫଳ ହୋଇଛି । ଯଦିଓ ଜ୍ୟୋତିବା ଫୁଲେ ପ୍ରଥମେ ଦଳିତ ଶବ୍ଦର ବ୍ୟବହାର କରିଥିଲେ ମାତ୍ର ମହରାଷ୍ଟ୍ରର ଦଳିତ ପାନ୍ଥର ଆନେ୍ଦାଳନରୁ ହିଁ ଏହି ଶବ୍ଦର ବହୁଳ ଭାବରେ ପ୍ରୟୋଗ ଓ ପ୍ରସାର ହୋଇଛି । ସ୍ୱାଧୀନ ଭାରତରେ ଜାତିବିରୋଧୀ ଆନେ୍ଦାଳନର ତୀବ୍ରତାରୁ ଏହି ଗୋଷ୍ଠୀ ସମସ୍ତ ନାମକୁ ଅସ୍ୱୀକାର କରି ନିଜ ପାଇଁ ଯେଉଁ ନୂତନ ନାମ ନିର୍ଦ୍ଧାରଣ କରିଛନ୍ତି, ତାହା ଦଳିତ । ଦଳିତ ଶବ୍ଦକୁ ତର୍ଜମା କରି କୁହାଯାଏ, ଯାହାକୁ ଦଳନ, ଦମନ ବା ଦବାଇ ଦିଆଯାଇଛି ସେମାନେ ହିଁ ଦଳିତ । ନିର୍ଯାତିତ, ଉତ୍ପୀଡିତ, ଶୋଷିତ, ନିଷ୍ପେସିତ, ଉପେକ୍ଷିତ, ଘୃଣିତ ତଥା ହତୋସôାହିତ ଜନଗୋଷ୍ଠୀ ଦଳିତ ଶ୍ରେଣୀର ଅନ୍ତର୍ଭୁକ୍ତ । ତେଣୁ ଦଳିତ କହିଲେ କେବଳ ଜାତିଗତ ଦୃଷ୍ଟିରେ ବିଚାର କରାନଯାଇ ଅର୍ଥନୀତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ବିଚାର କରାଯାଏ ।
ଇତିହାସ ଅଧ୍ୟାପକ,ଯାଜପୁର
ମୋ: ୯୪୩୯୮୧୮୬୧୯