ନେପାଳ ସ୍ଥିତି : ଟାର୍ଗେଟ୍ରେ ରାଜନେତା ଓ ମନ୍ତ୍ରୀ

ନେପାଳରେ ଉପୁଜିଛି ବିସ୍ଫୋରକ ସ୍ଥିତି। ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି । ହିଂସା ନ ଥମିବାରୁ ନେପାଳ ସରକାର ଏହି ନିଷେଧାଦେଶ ଉଠାଇଦେଇଥିଲେ ବି ଆନ୍ଦୋଳନକାରୀ ଥଣ୍ଡା ପଡ଼ିନାହାନ୍ତି । ସେମାନେ ମଙ୍ଗଳବାର ବ୍ୟାପକ ହିଂସା ଘଟାଇବା ସହ ପୋଡ଼ାଜଳା କରିଛନ୍ତି । ଆନ୍ଦୋଳନକାରୀ ଆଜି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ସୋସିଆଲ ମିଡିଆରେ ଜାରି ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଥିଲା ଯେ, ଆନ୍ଦୋଳନକାରୀ ରାଷ୍ଟ୍ରପତିଙ୍କ ବାସଭବନରେ ନିଆଁ ଲଗାଇ ଭଙ୍ଗାରୁଜା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରରଣ୍ଡ ଓ ଶେର ବାହାଦୁର ଦେଉବା, ଶକ୍ତି ମନ୍ତ୍ରୀ ଦୀପକ ଖଡକାଙ୍କ ବାସଭବନରେ ମଧ୍ୟ ଆନ୍ଦୋଳନକାରୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆନ୍ଦୋଳନକାରୀମାନେ ନେପାଳ ସଂସଦରେ ପଶି ନିଆଁ ଲଗାଇ ଦେଇଛନ୍ତି । ସୁପ୍ରିମ୍କୋର୍ଟ ସମେତ ଶତାଧିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି । ଏକ ଭାବନୀୟ ଘଟଣାକ୍ରମରେ ଆନ୍ଦୋଳନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖନଲଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ନିଆଁରେ ପୋଡ଼ି ହୋଇ ଖନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକାରଙ୍କ ମୃତ୍ୟୁ ହୋଇଯାଇଛି । ଆନ୍ଦୋଳନକାରୀ ନିଆଁ ଲଗାଇବା ସମୟରେ ସେ ଘରେ ଥିଲେ ଏବଂ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ଆନ୍ଦୋଳନକାରୀ ନଖୁ ଜେଲ୍ରେ ଚଢ଼ଉ କରି ସେଠାରୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ରବି ଲାମିଛେନଙ୍କୁ ମୁକ୍ତ କରିଛନ୍ତି ।
ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ଦେଶରୁ ଖସିଯିବାପାଇଁ ନେତାମାନଙ୍କୁ ହେଲିକପ୍ଟର ଯୋଗାଉଥିବା ସାମରିକ ବିମାନ ସଂସ୍ଥାର କୋଠାରେ ବି ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି । ନେପାଳ ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପୌଡେଲଙ୍କ ସମେତ ପ୍ରାୟ ୪ ଜଣ ମନ୍ତ୍ରୀଙ୍କୁ ଆଜି ଆନ୍ଦୋଳନକାରୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ୬୫ ବର୍ଷୀୟ ପୌଡେଲ ରାସ୍ତାରେ ମାଡ଼ ଖାଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ବାସଭବନ ସମେତ ୪୦ରୁ ଅଧିକ ନେତାଙ୍କ ବାସଭବନ ଉପରେ ଭୟାନକ ଆକ୍ରମଣ ହୋଇଛି ।
ଇତିମଧ୍ୟରେ ନେପାଳ ସେନା ଓ ଅନ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟମାନେ କଥାବର୍ତ୍ତା ମାଧ୍ୟମରେ ସଙ୍କଟର ସମାଧାନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏନେଇ ଏକ ମିଳିତ ବିବୃତି ଜାରି କରିଛନ୍ତି । ଶାନ୍ତି ଓ ଜାତୀୟ ଏକତା ବଜାୟ ରଖିବାରେ ଗଠନମୂଳକ ଭୂମିକା ଗ୍ରହଣ କରିବା ପାଇଁ ନେପାଳ ସେନା ଅନୁରୋଧ କରିଛି । ନେପାଳ ରାଜଧାନୀ କାଠମାଣ୍ଡୁରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିବା ଜେନ୍-ଜେଡ୍ ପକ୍ଷରୁ ଏକ ଅନୁରୋଧପତ୍ର ଜାରି ହୋଇଛି । ଏଥିରେ ଆନ୍ଦୋଳନକାରୀଙ୍କୁ ଶାନ୍ତ ହେବା ପାଇଁ ଅନୁରୋଧ କରାଯାଇଛି । ପ୍ରଶାସନ ଆଣ୍ଠେଇ ପଡ଼ିଛି ଏବଂ ଏହି ଦେଶ ଏବେ ଆମ ନେତୃତ୍ବାଧୀନ ବୋଲି କୁହାଯାଇଛି । ଧୈର୍ଯ୍ୟର ସହ ଆଗକୁ ବଢ଼ିବାପାଇଁ ଜେନ୍-ଜେଡ୍ ପକ୍ଷରୁ କୁହାଯାଇଥିବା ବେଳେ ଅନ୍ତରୀଣ ସରକାର ଗଠନରେ ଏହାର ଭୂମିକା ନିର୍ଣ୍ଣାୟକ ରହିବ ବୋଲି ଜଣାପଡ଼ିଛି ।