୩୦ରେ ମା’ ଡୋକରୀ ଦେବୀଙ୍କ ଛତର ଯାତ୍ରା 

 ଭାବନୀପାଟଣା  : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଇଷ୍ଟ ଦେବୀ ମା’ ଡୋକରୀଙ୍କ ଛତର ଯାତ୍ରା ଆସନ୍ତା ୩୦ ତାରିଖ ନବମୀ ତିଥି ଦିନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ସେବକ ସୂଚନା ଦେଇଛନ୍ତି । ମ.ରାମପୁର ରାଜବାଟିରେ ଏକ ସାମ୍ବାଦିକ ସମ୍ମିଳନୀରେ ମା’ ଡୋକରୀ ପରିଚାଳନା କମିଟିର ସଭାପତି ତଥା ମୁଖ୍ୟ ସେବକ ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ସମ୍ପାଦକ ଯଶୋବନ୍ତ ସିଂହ ଦେଓ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୁଖ୍ୟ ସେବକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରାର ଆୟୋଜନ କରାଯାଇଛି । ଜେନା ବୁଢା ମନ୍ଦିରରୁ ସକାଳ ପ୍ରାୟ ୬ଘଣ୍ଟା ସମୟରେ ଏହି ଛତର ଯାତ୍ରା ଆରମ୍ଭ ହୋଇ ବିଭିନ୍ନ ଛକରେ ଶ୍ରଦ୍ଧାଳୁ, ଭକ୍ତଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ସହ ବିଭିନ୍ନ ଲୋକ ନୃତ୍ୟ, ଲୋକ ବାଦ୍ୟର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରା କରି ମା’ଙ୍କ ବିଜୟ ଛତରକୁ ମା’ ଡୋକରୀ ମନ୍ଦିରକୁ ଅଣାଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ସେବକ । ଏହି ଶୋଭାଯାତ୍ରା ସମୟରେ କେହି ଭକ୍ତ ମା’ଙ୍କ ଉଦେ୍ଦଶ୍ୟରେ ରାଜ ରାସ୍ତାରେ ବଳି ନ ଦେବାକୁ ଅନୁରୋଧ କରାଯାଇଛି । ଯଦି କେହି ମା’ ଙ୍କ ଉଦେ୍ଦଶ୍ୟରେ ବଳି ଦେବାକୁ ଚାହାଁନ୍ତି ତେବେ ମୁଖ୍ୟ ମନ୍ଦିର ବାହାରେ ଦେଇପାରିବେ ବୋଲି ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରା ଆରମ୍ଭ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ  ମା’ଙ୍କ ଦର୍ଶନ ସହ ମାଙ୍କ ଆଶୀର୍ବାଦ ଲାଭ କରନ୍ତୁ ବୋଲି ସମ୍ପାଦକ ଶ୍ରୀ ସିଂହ ଦେଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।