ଏନ୍ଓବିଏମ୍ଏମ୍ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର
ଖୋର୍ଦ୍ଧା : ନିଖିଳ ଓଡିଶା ବିଦୁ୍ୟତ ମହାସଂଘର ଦାବି ଉପରେ ସରକାର କର୍ଣପାତ ନକରିଥିବା ଫଳରେ ସଂଘ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସର୍ବଭାରତୀୟ ଓ ରାଜ୍ୟ ସ୍ତରୀୟ ୧୦ ଦଫା ଦାବୀ ନେଇ ଜିଲ୍ଳାପାଳଙ୍କ ଜରିଆରେ କେନ୍ଦ୍ରୀୟ ଶକ୍ତିମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କୁ ମଧ୍ୟ ୪ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳମାନଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଙ୍ଘ, ସମ୍ପାଦକ ସତ୍ୟବ୍ରତ ପରିଡା, ନିଖିଳ ଓଡିଶା ବିଦୁ୍ୟତ ମଜଦୁର ମହାସଂଘ ସାଧାରଣ ସମ୍ପାଦକଙ୍କ ପୌରାହିତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀ ପତ୍ରରେ ଏନପିଏସ, ୟୁପିଏସ ବଦଳରେ ପୁରୁଣା ପେନସନ ପୁନଃ ଲାଗୁ କରିବା,ଏକ ଦେଶ,ଏକ ଗ୍ରୀଡ଼, ଏକକ ଚାକିରୀ ସର୍ଭାବଳୀ ଲାଗୁକରିବା, ତ୍ରୟୀ-ପାକ୍ଷିକ ଶିଳ୍ପ ସମିତି ବିଦୁ୍ୟତ ଉତ୍ପାଦନ, ପରିବହନ ଓ ବିତ୍ତରଣ କ୍ଷେତ୍ରରେ ସୃଷ୍ଟି କରିବା, ବିଦୁ୍ୟତ କ୍ଷେତ୍ରରେ ଘରୋଇକରଣକୁ ବନ୍ଦ କରିବା, ବିଦୁ୍ୟତ କ୍ଷେତ୍ରରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରି ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ସହିତ ସମାନ କାର୍ଯ୍ୟ ପାଇଁ ସମାନ ଦରମା ଲାଗୁକରିବା,ବିଦୁ୍ୟତ ନିୟମ ୨୦୦୩ ଓ ବିଦୁ୍ୟତ ବିଲ ୨୦୨୩ କୁ ସମୀକ୍ଷା କରି ଘରୋଇକରଣ ବଦଳରେ ସରକାରୀ ବିଦୁ୍ୟତ ସଂସ୍ଥା ମାଧ୍ୟମରେ ବିଦୁ୍ୟତ ଉତ୍ପାଦନ, ପରିବହନ ଓ ବିତରଣ ପାଇଁ ବ୍ୟବସ୍ଥା କରିବା,ଓଡିଶାରେ କେନ୍ଦ୍ରୀୟ ଦରମା ସଂହିତା -୨୦୧୯ ଲାଗୁକରିବା ଆଦି ପୂରଣ କରିବାକୁ ଦାବି କରାଯାଇଛି ।