ଧୋଡ୍ରାକୁ ନୂତନ ବ୍ଲକ ମାନ୍ୟତା ଦାବି
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରାକୁ ବ୍ଲକ ମାନ୍ୟତା ପାଇଁ ଦାବି ଜୋର ଧରିଛି । ଏ ନେଇ ୧୪ ଗୋଟି ପଞ୍ଚାୟତର ସରପଞ୍ଚ ସମେତ ତୃଣମୂଳ ପ୍ରତିନିଧି ସମସ୍ତେ ଏକତ୍ରିତ ହୋଇ ଉକ୍ତ ଦାବିକୁ ସରକାରଙ୍କୁ ଜଣାଇବା ପାଇଁ ଧୋଡ୍ରା ଦୁର୍ଗା ମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶିବ ମନ୍ଦିର ଠାରେ ଯାଇଥିଲେ । ସେଠାରେ ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରି ବୈଠକ ଆରମ୍ଭ ହୋଇଥିଲା । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିବା ପାଇଁ ସହସ୍ର ଲୋକ ଏକତ୍ରିତ ହୋଇଥିଲେ । ଅନେକ ପଞ୍ଚାୟତ ୨୫ରୁ ୫୦କିମି ଦୂରରେ ଅବସ୍ଥିତ ଥିବା ହେତୁ ସରକାରଙ୍କ ଯୋଜନା ସମ୍ବନ୍ଧରେ କିଛି ଜାଣି ପାରୁନାହାନ୍ତି ଏବଂ ଅବହେଳିତ ଅବସ୍ଥାରେ ରହି ଆସୁଛନ୍ତି । ବର୍ତ୍ତମାନ ସରକାର କେତେକ ପଞ୍ଚାୟତ ସମିତିକୁ ଦୂରତା ତଥା ଗମନା ଗମନ ଦୃଷ୍ଟିରୁ ପୁନର୍ଗଠନ କରିବାକୁ ଚିନ୍ତା କରିଛନ୍ତି । ତେଣୁ ଧୋଡ୍ରା ଗ୍ରାମ ପଞ୍ଚାୟତ ଗୁଡିକର କେନ୍ଦ୍ରସ୍ଥଳୀ ଏବଂ ଗମନାଗମନ ସୁବିଧା ଦୃଷ୍ଟିରୁ ଧୋଡ୍ରାକୁ ନୂତନ ବ୍ଲକ କରିବାକୁ ଦାବି ହେଉଛି । ଝରିଗାଁ ବ୍ଲକର ଧାମନା ଗୁଡା, ଚାଟିଗୁଡା, ବକଡା ବେଡା, ଡଙ୍ଗରୀଗୁଡା, ଧୋଡ୍ରା, ଭିକ୍ଷା, କାନାକୋଟ ଓ ଉମରକୋଟ ବ୍ଲକର କାରାଗାଁ, ମୁଣ୍ଡିଗୁଡା, ସିଙ୍ଗିସାରୀ, ରାଜପୁର, ଭଣ୍ଡାରୀଗୁଡା, ତୋରେଙ୍ଗା, ଏବଂ ଡାବୁଗାଁ ବ୍ଲକର ନନ୍ଦପୁରା, ଘୋଡାଖୁଣ୍ଟା ପଞ୍ଚାୟତ ପ୍ରମୁଖ ମିଶାଇବାକୁ ଦାବି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସରପଞ୍ଚ ସଂଘ ବିଧାୟକ ନରସିଂ ଭତରାଙ୍କୁ ଦାବିପତ୍ର ପଦାନ କରିଥିବା ବେଳେ ନୂତନ ବ୍ଲକ କ୍ରିୟାନୁଷ୍ଠାନ ସମିତି ସାଂସଦ ପ୍ରତିନିଧିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଦେଇଛନ୍ତି । ଏହି ଅବସରରେ ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଉଲଧର ମାଝୀ, ସମାଜସେବୀ କେଦାରସ୍ୱର ପଟ୍ଟନାୟକ, ବଂଶୀଧର ଭୂଇଁୟା, ମନୋଜ ପାତ୍ର, ମଙ୍ଗଳା ମାଝୀ, ହରି ପୂଜାରୀ, ଭାଗିରଥି ନାୟକ, ଅର୍ଜୁନ ସାମରଥ, ସୁକାଳୁ ଗଣ୍ଡ, ଅରବିନ୍ଦ ଗୁପ୍ତା, ବେଣୁଧର ମାଝୀ ବହୁ ପ୍ରମୁଖ ସମେତ ୧୪ଗୋଟି ପଞ୍ଚାୟତର ତୃଣମୂଳ ସ୍ତରରୁ ବହୁ ଜନତା ଉପସ୍ଥିତ ରହିଥିଲେ ।