ଚାନ୍ଦା ମାଗିବାକୁ ନେଇ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ରଞ୍ଜନ ନାଏକ ଗାଡିକୁ ଅଟକାଇ ଚାନ୍ଦା ମାଗିବା ସହ ମାଡ ମାରିବାକୁ ନେଇ ତାଙ୍କ ପତ୍ନୀ ରଶ୍ମୀ ନାଏକ ଓ ସାହିର ଲୋକମାନେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଏସ୍ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଓ କ୍ଷତିପୂରଣ ପାଇଁ ଅନୁରୋଧ କରିଥିଲେ । ମିଳିଥିବା ଅଭିଯୋଗ ଅନୁଯାୟୀ, ବଳରାମପୁରର ରବି ନାଏକଙ୍କ ପୁତ୍ର ରଞ୍ଜନ ନାଏକ ଗତ ୪ ତାରିଖ ରାତି ୧୧ଟା ବେଳେ ଟ୍ରକରେ ପାଣି ଟ୍ୟାପ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବଳରାମପୁର ଗ୍ରାମକୁ ଫେରୁଥିବା ବେଳେ ପରିଡ଼ା ସାହିର କିଛିବ୍ୟକ୍ତି ଟ୍ରକ୍ ଅଟକାଇ ଚାନ୍ଦା ମାଗିଲେ । ଚାନ୍ଦା ନ ଦେବାରୁ ମାଡ଼ ମାରିଥିଲେ । ଏହାପରେ ଟ୍ରକ୍ ନେଇ ମେଡିକାଲ ଆଡ଼କୁ ଗଲାବେଳେ ଅଭିଯୁକ୍ତମାନେ ପୁଣି ରଞ୍ଜନକୁ ଗାଡ଼ିରୁ ଘୋଷାଡି ନିସ୍ତୁକ ମାଡ ଦେବା ସହିତ ୩୦ ହଜାର ଟଙ୍କା, ମୋବାଇଲ, ଲାଇସେନ୍ସ, ଗାଡ଼ି କାଗଜପତ୍ର, ମନି ପର୍ସ ଆଦି ଛଡ଼େଇ ନେଇଛନ୍ତି । ବିରୋଧ କରିବାରୁ ସେମାନେ ମେଡିକାଲ ପଛପଟକୁ ଘୋଷାଡି ନେଇ ଅଶ୍ଲିଳ ଭାଷାରେ ଗାଳିଗୁଲଜ ସହିତ ମାଡ଼ ମାରିଥିଲେ । ଏ ଘଟଣାରେ ରଞ୍ଜନକୁ ଉଦ୍ଧାର କରିବା ପାଇଁ ସାଥୀ ଡ୍ରାଇଭର ୧୦୮ ଆମ୍ବୁଲାନ୍ସ ଡାକି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଲେ, ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଲେ । ସଦର ପୋଲିସ ଏତଲାର ରୁଜୁ କରି ବସିପଡିଥିବା ଯୋଗୁଁ ଅଭିଯୁକ୍ତମାନେ ପୀଡ଼ିତ ପରିବାରକୁ କେସ୍ ଉଠାଇବାକୁ ଧମକ ଦେଉଛନ୍ତି । ଅତିରିକ୍ତ ଏସ୍ପିଙ୍କୁ ଅଭିଯୋଗ ପରେ ପୀଡିତଙ୍କୁ ପୁଣି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୀଡ଼ିତ ରଞ୍ଜନ ଚାଲି ବୁଲି କରିପାରୁନାହାଁନ୍ତି କି କଥାବାର୍ତ୍ତା କରିପାରୁନାହିଁ ଅଭିଯୋଗ ହୋଇଛି । ଅସହାୟ ଅନୁସୂଚିତ ଜାତି ପରିବାରକୁ ନ୍ୟାୟ ଦେବାପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।