୬ରେ ବିଧାୟକଙ୍କ ସ୍ୱତନ୍ତ୍ର ଜନ ଶୁଣାଣି
ବଡ଼ସାହି : ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ବ୍ଲକ ବଡ଼ସାହି ୩୦ ପଞ୍ଚାୟତକୁ ନେଇ ଗଠିତ ହୋଇଥିଲେ ହେଁ ପ୍ରତ୍ୟେକ କ୍ଷେତ୍ରରେ ସବୁ ସମୟରେ ଅବହେଳିତ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ମାତ୍ର ବ୍ଲକବାସୀଙ୍କ ଗୁହାରି ପ୍ରତି କେହି କେବେ କର୍ଣ୍ଣପାତ କରିବା ଦେଖାଯାଇନାହିଁ । ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇ ଆସିଥିବା ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ସ୍ୱପ୍ରଚେଷ୍ଟା କ୍ରମେ ବ୍ଲକବାସୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ସାଙ୍ଗରେ ନେଇ ପ୍ରଥମ କରି ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖ ଶନିବାର ଦିନ ବ୍ଲକ ପରିସରରେ କରିବାର ଜଣାଯାଇଛି । ଏହିଭଳି ସୁଯୋଗକୁ ହାତଛଡ଼ା ନ କରି ସାଧାରଣ ଜନତା ନିଜ ନିଜର ଅଭିଯୋଗ ନେଇ ଶିବିରରେ ଉପସ୍ଥିତ ରହିବା ପୂର୍ବକ ନ୍ୟାୟ ପାଇବା ପାଇଁ ବିଧାୟକ ନିବେଦନ କରିଛନ୍ତି । ଶିବିରରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପ୍ରତ୍ୟେକ ବିଭାଗୀୟ ଅଧିକାରୀ ସମେତ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଅଭିଯୋଗ ଶୁଣି ତାର ସମାଧାନର ବ୍ୟବସ୍ଥା କରିବେ ବୋଲି ସୂଚନା ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର କାର୍ଯ୍ୟକାରିତା ନେଇ ବିଧାୟକ ଏ ସମ୍ପର୍କରେ ରିଭୁ୍ୟ କରିବେ ବୋଲି ଜଣାଇଛନ୍ତି ।