ଯବାନଙ୍କ ଗୁଳିରେ ମାଓବାଦୀ ନିହତ: ବହୁ ଅସ୍ତ୍ର ଶସ୍ତ୍ର ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଓ ନାରାୟଣପୁର ଜିଲ୍ଲା ମଧ୍ୟରେ ଥିବା ଆବୁଝମାଡର ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଯବାନଙ୍କ ଗୁଳିରେ ଜଣେ ୮ଲକ୍ଷ ଇନାମି ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଓ ସମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ ମାଓ ଦମନ ନିମନ୍ତେ ଛତିଶଗଡରେ ଅପରେସନ ମନସୁନ ଆରମ୍ଭ ହୋଇଥିବା ବେଳେ ଏହି ଅଭିଯାନରେ ଜିଲ୍ଲାର ଡିଆରଜି ଏବଂ ଏସଟିଏଫ ଯବାନଙ୍କ ମିଳିତ ଦଳ ଅବୁଝମାଡ ଅଞ୍ଚଳର ବୋଣ୍ଡୋସ, ନେନ୍ଦୁର, ଗାୱାଡି ଏବଂ ଆଖପାଖ ଜଙ୍ଗଲରେ ତଲାସି ଅଭିଯାନ ଆରମ୍ଭ କରିଥିଲା । ତେବେ ଏହି ସମୟରେ ନେନ୍ଦୁର ଓ ଗାୱାଡିର ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳିଚାଳନା ଆରମ୍ଭ ହୋଇଥିଲା । ଯବାନଙ୍କ ସାମ୍ନା କରିନପାରି ମାଓବାଦୀ ମାନେ ଘଟଣାସ୍ଥଳରୁ ଛତ୍ର ଭଙ୍ଗ ଦେଇଥିବା ବେଳେ ଅଞ୍ଚଳରୁ ଯବାନ ମାନେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ । ଯାହାଙ୍କ ନାମ ସୋଡି ବିମଳା ହୋଇଥିବା ବେଳେ ସେ ମାଓ ସଙ୍ଗଠନର ପ୍ଲାଟୁନ ନଂ ୧୬ର କମାଣ୍ଡର ଥିବା ଜଣା ପଡିଥିଲା । ତାଙ୍କ ନାମରେ ୮ ଲକ୍ଷର ଇନାମ ରହିଥିବା ବେଳେ ସେ ଅନେକ ହିଂସାକାଣ୍ଡରେ ଜଡିତ ନେତୃତ୍ୱ ନେଇଥିବା ଜଣା ପଡିଥିଲା । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିଲା । ଯେଉଁଥିରେ ୩୦୩ ରାଇଫଲ୍, ୩୧୫ ବୋର୍ ରାଇଫଲ୍, ବିଜିଏଲ ଲଞ୍ଚର୍, ୧୯ କିଲୋଗ୍ରାମ ତରଳ ବିସ୍ଫୋରକ, ଜିଲାଟିନ୍ ଷ୍ଟିକ୍ ସହ ଅନ୍ୟାନ୍ୟ ମାଓ ଏବଂ ୈନନ୍ଦିନ ବ୍ୟବହାର ସାମଗ୍ରୀ ଉଦ୍ଧାର କରାଯାଇଥିବା ନେଇ ନାରାୟଣପୁର ଏସ୍ପି ରବିନସନ ଗୁଡିଆ ସୂଚନା ଦେଇଛନ୍ତି ।