ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଳ୍ପର ସମୀକ୍ଷା

 କଟକ : ଏକାଦଶତମ କଟକ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଶମ ଜିଲ୍ଲା ପରିଷଦ ବୈଠକର କାର୍ଯ୍ୟସୂଚୀ ଟିପ୍ପଣୀ ଅନୁଯାୟୀ ଅନୁମୋଦିତ ହୋଇଥିବା କାର୍ଯ୍ୟ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ, ଗ୍ରାମ୍ୟ ନିର୍ମାଣ ବିଭାଜନ ଆଜି ବିଭାଗ ଅଧୀନସ୍ଥ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । 
ଏଥିସହିତ ଜଳ ନିଷ୍କାସନ ନିମନ୍ତେ ପ୍ରସ୍ତାବିତ ଡ୍ରେନେଜ ନବୀକରଣ, ସର୍ଭେ ତଥା ନୂତନ ନଳକୂପ ଖନନ ଓ ସ୍ଥାନାନ୍ତର ସହ ବଡ଼ମ୍ବା, ନରସିଂହପୁର ଆଠଗଡ଼ ଅଂଚଳରେ ପାନୀୟଜଳ ଯୋଗାଣକୁ ସୁଦୃଢ଼ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଖଣି ଖାଦାନରୁ ନିର୍ଦ୍ଦିଷ୍ଟ ଟିକସ ବ୍ୟବସ୍ଥା, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସହ ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବୀ ଡାକ୍ତର ଓ ଚିକିସôା ଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ ଉପସ୍ଥିତ ବିଧାୟକ ଓ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ସମୀକ୍ଷା କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଠକରେ ମତ ରଖିଥିଲେ । 
ବୈଠକରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଏଥିସହିତ ସମଗ୍ର ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଯୋଜନା ଅନ୍ତର୍ଗତ ନିଜ ନିଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନ କଲ୍ୟାଣମୂଳକ ଯୋଜନାକୁ ମଧ୍ୟ ସମୀକ୍ଷା କରିଥିଲେ । ବୈଠକରେ ମିଶନଶକ୍ତି ଅନ୍ତର୍ଗତ ଆଇସିଡିଏସ ପ୍ରକଳ୍ପ, ଋଣ ପ୍ରଦାନ ବ୍ୟବସ୍ଥାରେ ସୁଧାର, ଲକ୍ଷପତି ଦିଦି, ସୁଭଦ୍ରା ଯୋଜନା, ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ହିତାଧିକାରୀ ଓ ଋଣ ପ୍ରଦାନ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ଥିବାବେଳେ କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ନାୟକ ବୈଠକରେ ସହ ସଂଯୋଜନା କରିଥିଲେ । ଆଠଗଡ଼ ଉପଜିଲ୍ଲାପାଳ ପ୍ରହ୍ଳାଦ ନାରାୟଣ ଶର୍ମା, ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ପଂଚାୟତସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟତମ ଜନ ପ୍ରତିନିଧି ରାମ ନାରାୟଣ ମହାନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ ସାହୁ ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ଉପସଭାପତି ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।