ଜାଲ୍ ଜାତି ପ୍ରମାଣପତ୍ର୍ରର ସମସ୍ୟା


ଏବେ କିଛି ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜାତିଗତ ପ୍ରମାଣପତ୍ରକୁ ଜାଲ୍ କରି ବିଭିନ୍ନ ପ୍ରକାରର ଚାକିରିରେ ଯୋଗ ଦେଉଥିବା ଘଟଣା ଅଧିକରୁ ଅଧିକ ଦୃଷ୍ଟିକୁ  ଆସୁଛି । କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଭଳି କେତେକ ଜିଲ୍ଲାରେ ଏ ପ୍ରକାରର ଘଟଣା ଅଧିକ ହୋଇଥିବା ଅଭିଯୋଗ ମଧ୍ୟ ଆସିଛି । ବିଭିନ୍ନ ସମୟରେ ଜାଲ୍ ଜାତିଗତ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା କିଛି ଲୋକଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହେଲେ ଏବେ ବି ଅନେକ ସ୍ଥାନରେ ଜାଲ୍ ଜାତିଗତ ପ୍ରମାଣପତ୍ରରେ କିଛି ଲୋକ ଚାକିରିରେ ଅଛନ୍ତି କିମ୍ବା ସରକାରୀ ସୁବିଧା ଉପଭୋଗ କରୁୁଛନ୍ତି । ଏଇ ଅଳ୍ପଦିନ ତଳେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର୍ଙ୍କ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ଜାଲ୍ ଜାତିଗତ ପ୍ରମାଣପତ୍ର ଯାଞ୍ଚ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୭ଟି ମାମଲାର ଯାଞ୍ଚ୍ କରାଯାଇଥିଲା । ଏଥିରେ ୧୧ଟି ମାମଲାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ୧୬ଟି ମାମଲାର ଶୁଣାଣି ହୋଇଥିଲା । ଏହିସବୁ ମାମଲାଗୁଡ଼ିକ ମୁଖ୍ୟତଃ ଗଜପତି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାର । ଚୂଡ଼ାନ୍ତ ହୋଇଥିବା ୧୧ଟି ମାମଲାରେ ସମସ୍ତ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଏହି ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକ, ଫରେଷ୍ଟ ଗାର୍ଡ୍, ବିଭିିନ୍ନ କାର୍ଯ୍ୟାଳୟରେ କିରାଣୀ, ରାଜସ୍ୱ ନୀରିକ୍ଷକ ଭଳି ଛୋଟ ଛୋଟ ଚାକିରିରେ ଲୋକେ ପ୍ରବେଶ କରିଥିବା ଜଣାପଡ଼ିଛି । ଅଳ୍ପ କେତୋଟି ସ୍ଥାନରେ ଏଭଳି ପ୍ରମାଣପତ୍ରରେ ରାଜନୀତି କରୁଥିବା ମଧ୍ୟ ଜଣାପଡ଼ିଛି । ଆଉ ଅଳ୍ପ କେତୋଟି କ୍ଷେତ୍ରରେ ଓଏଏସ୍, ଓଆର୍ଏସ୍ ଭଳି ଉଚ୍ଚପଦସ୍ତ କର୍ମଚାରୀ ରହିଥିବା ଜଣାପଡ଼ିଛି । ଏଭଳି ଜାଲ୍ ଜାତିଗତ ପ୍ରମାଣପତ୍ରରେ କିଛି ସରକାରୀ କର୍ମଚାରୀ ଏସବୁ ପ୍ରମାଣପତ୍ର ଯୋଗାଡ଼ କରୁଥିବା ସହାୟତା କରୁଥିବା ମଧ୍ୟ ସନେ୍ଦହ ଉପୁଜିଲାଣି । 
ରାଜ୍ୟରେ ଏ ପର୍ଯ୍ୟନ୍ତ ୭୭୧ଟି ମାମଲାର ନିଷ୍ପତ୍ତି ହୋଇସାରିଛି । ୨୦୧୦ ମସିହା ଠାରୁ ଏ ପର୍ଯ୍ୟନ୍ତ ମୋଟ୍ ୧୪୫୯ଟି ଅଭିଯୋଗ ଆସିଥିଲା ଏବଂ ୭୮୮ଟି ମାମଲା ବିଚାର ହେବାକୁ ବାକି ରହିଛି । ଏଭଳି ଘଟଣା ସବୁ ଘଟିବା କ୍ଷେତ୍ରରେ କେବଳ ଜଣେ ବ୍ୟକ୍ତି ଦୋଷୀ ଥିବା ଭଳି ମନେ ହୁଏନାହିଁ । ଏଭଳି କାର୍ଯ୍ୟ ପଛରେ ଏକାଧିକ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ଜଣାପଡ଼େ । ଅଥଚ ଦଣ୍ଡ ପାଇଲା ବେଳକୁ କେବଳ ବ୍ୟକ୍ତିବିଶେଷ ହିଁ ଦଣ୍ଡ ପାଉଛନ୍ତି । ଏଭଳି କାର୍ଯ୍ୟରେ ସହଯୋଗ କରୁଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରି ଦଣ୍ଡ ଦେବାର ଆବଶ୍ୟକତା ରହିଛି । କୌଣସି ଏକ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖା ଦେଲେ ତାହାର ଆମୂଳଚୂଳ ଯାଞ୍ଚ୍ ହେବା ନିହାତି ଆବଶ୍ୟକ । ଅନିୟମିତତା କ୍ଷେତ୍ରରେ କେବଳ ବ୍ୟକ୍ତିବିଶେଷଙ୍କୁ ଧରିଲେ ସମସ୍ୟାର ସମାଧାନ ହେବ ନାହିଁ । କାରଣ ରୋଗୀର ଚିକିତ୍ସା କରିଲେ ରୋଗ ଦୂର ହୁଏ ନାହିଁ । ରୋଗକୁ ସମୂଳେ ବିନାଶ କରିବାର ଆବଶ୍ୟକତା ରହିଛି । ଆମ ବିଚାର ବ୍ୟବସ୍ଥା ଏପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ରହିଛି । କେବଳ ଧରାପଡୁଥିବା ଦୋଷୀଟି ଦଣ୍ଡ ପାଉଛି ସତ; କିନ୍ତୁ ଦୋଷୀକୁ ସହାୟତା କରିଥିବା ଲୋକମାନେ ଆଇନ୍ର ପଛ ପଟେ ଲୁଚି ଯାଉଛନ୍ତି । କୌଣସି ଏକ ଜାଲିଆତିର ଅବ୍ୟବସ୍ଥା ଦୃଷ୍ଟିକୁ ଆସିବା ମାତ୍ରକେ ଏହାର ଆମୂଳଚୂଳ ବ୍ୟବସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏ ପ୍ରକାରର ଅଭିଯୋଗ ଆସିଛି । ଏସବୁର ତଦନ୍ତ ସମୟରେ ମଧ୍ୟ କର୍ତ୍ତୃପକ୍ଷମାନଙ୍କର ତତ୍ପରତା ପ୍ରକାଶ ପାଉନାହିଁ । ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ବିଚାରଧୀନ ଅବସ୍ଥାରେ ରହିଯାଉଛି । ତେଣୁ ଅଭିଯୁକ୍ତମାନେ ଅଯୋଗ୍ୟ ହୋଇଥିଲେ ମଧ୍ୟ ଅଯୋଗ୍ୟ ବୋଲି ପ୍ରମାଣିତ ହେବା ପର୍ଯ୍ୟନ୍ତ ଅନେକ ବର୍ଷ ଲାଗି ଯାଉଛି ଏବଂ ସେମାନେ ଦରମା ମଧ୍ୟ ପାଉଛନ୍ତି । ତେଣୁ ଏ ପ୍ରକାରର ଅଭିଯୋଗ ଆସିଲେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସବୁର ତଦନ୍ତ ଶେଷ କରି ଫଳାଫଳ ଘୋଷଣା କରିବାକୁ ସମୟ ଧାର୍ଯ୍ୟ କରାଯିବା ଆବଶ୍ୟକ ।