ମାଳ ମାଳ ସମସ୍ୟାରେ ଉବୁଟୁବୁ ଖୋର୍ଦ୍ଧା ଜିଲ୍ଲା
ଖୋର୍ଦ୍ଧା : ସମସ୍ୟାରେ ଉବୁଟୁବୁ ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଯେଉଁଭଳି ଗୁରୁତର ହୋଇଛି, ସେହିଭଳି ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଗୁରତର ଅବସ୍ଥାରେ ଗତି କରୁଛି । ଖାଲି ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନୁଁହ ବରଂ କୃଷି କ୍ଷେତ୍ରରେ ହେଉ କିମ୍ବା ବ୍ୟବସାୟ, ଟ୍ରାଫିକ, ରାସ୍ତାଘାଟ, ଡ୍ରେନେଜ୍ ଏପରିକି ସରକାରୀ ମୌଳିକ ସୁବିଧାରୁ ମଧ୍ୟ ଜିଲ୍ଲାବାସୀ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି । ତେବେ ଏହିପରି ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲାର ଜନସାଧାରଣ ସମସ୍ୟା ମଧ୍ୟରେ ଗତି କରୁଥିବାବେଳେ ଏଠାକାର ରାଜନେତାମାନେ ନିଜକୁ ପାଇକଙ୍କ ଦାୟାଦ କହି ନିଜକୁ ଗର୍ବିତମାନେ କରୁଥିବାବେଳେ କିନ୍ତୁ ଜିଲ୍ଲାର ଉନ୍ନତି କରିବାରେ କାଣିଚାଏ ମଧ୍ୟ ଆନ୍ତରିକତା ନଥିବା ଭଳି ମନେ ହେଉଛି । ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଶିକ୍ଷାରେ ପୂର୍ଣ୍ଣଛେଦ ପଡିଥିବା ଦେଖିବାକୁ ମିଳୁଥିବା ବେଳେ ସେହିଭଳି ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ସମାନ ରୂପକ ସମସ୍ୟା ଅନୁଭବ ହେଉଛି । ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀ ଅଭାବରୁ ବନ୍ଦ କରିଦିଆଗଲା, କିନ୍ତୁ ଏହାର କାରଣ ଖୋଜିବା ପାଇଁ ପ୍ରୟାସ କରାଗଲାନାହିଁ । ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟକୁ ଯିବାକୁ କାହିଁକି ନା ପସନ୍ଦ କରୁଛନ୍ତି କିମ୍ବା ଅଭିଭାବକମାନେ ତାଙ୍କ ପିଲାଙ୍କୁ କାହିଁକି ସରକାରୀ ବିଦ୍ୟାଳୟକୁ ଛାଡିବା ପାଇଁ ଆନ୍ତରିକତା ରଖୁନାହାନ୍ତି, ଏହା ଉପରେ କେବେ ମଧ୍ୟ ନା ସରକାର ନା ଜିଲ୍ଲା ପ୍ରଶାସନ ଚିନ୍ତା କଲେ କି ଅଂଚଳର ନେତାମାନେ ଏହା ଉପରେ କେବେ ନିଜର ମତପ୍ରକାଶ କଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ କଥା ନ କହିଲେ ଭଲ । ଖୋର୍ଦ୍ଧା ମୁଖ୍ୟ ଚିକିସôାଳୟକୁ କେବଳ ଅଗଷ୍ଟ ପନ୍ଦର କିମ୍ବା ଜାନୁଆରୀ ୨୬ ହେଲେ ନେତା ଓ ପ୍ରଶାସନ ଅଧିକାରୀମାନେ ଯାଇଥାନ୍ତି । ଏବଂ ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରୋଗୀ ମନକୁ ଭିକ ଦେବା ଭଳି ଫଳ ବଣ୍ଟନ କରି ନିଜର କାର୍ଯ୍ୟ ସାରି ଦେଇଥାନ୍ତି । କିନ୍ତୁ ବାସ୍ତବରେ ଏହା ଏକ ରାଜନୈତିକ କୂଟନୀତି ବ୍ୟତୀତ ଅନ୍ୟ କିଛି ନୁଁହେ । ଖୋର୍ଦ୍ଧା ରାଜ୍ୟ ରାଜଧାନୀର ପ୍ରମୁଖ ସହର ହୋଇଥିବାବେଳେ ରାଜ୍ୟର ରାଜଧାନୀ ରହିଥିବା ଜିଲ୍ଲା ହେଉଛି ଖୋର୍ଦ୍ଧା ଜିଲ୍ଲା । ତେବେ ଖୋର୍ଦ୍ଧା ଜିଲ୍ଲାରେ ରହିଥିବା ମୁଖ୍ୟ ଚିକିତ୍ସାଳୟ ଅବସ୍ଥା ଯାହା ଦେଖିଲେ ସହଜରେ ବାରି ହେଉଛି ଯେ, ଏହି ଜିଲ୍ଲାରେ ବୀର ପାଇକଙ୍କ ଦାୟାଦ ଭାବରେ ରହିଥିବା ନେତାମାନଙ୍କର ଜିଲ୍ଲା ପ୍ରତି କେତେ ଦରଦ ରହିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଅଭାବ ଦୀର୍ଘ ବର୍ଷର ଦାବି ଜିଲ୍ଲାବାସୀଙ୍କ ରହିଥିବାବେଳେ ଏଠାରେ ଯେଉଁ ଡାକ୍ତରମାନଙ୍କୁ ପୋଷ୍ଟିଙ୍ଗ କରାଯାଇଛି, ସେମାନଙ୍କ ଅଭିଜ୍ଞ ନ ଥିବା ଭଳି ମନେ ହେଉଛି । ସେହିପରି ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନିର୍ମାଣ ହୋଇ ମଧ୍ୟ ଏହାକୁ ଚାଳୁ କାରିବାରେ ପ୍ରଶାସନ ବିଫଳ ହୋଇଥିବାବେଳେ ନେତାଙ୍କ ବାଣୀରୁ ସ୍ପଷ୍ଟ ପ୍ରକାଶ ହେଉଛି ଯେ, ଖୋର୍ଦ୍ଧା ବିକାଶ ହେବ ସତ କିନ୍ତୁ ଖୋର୍ଦ୍ଧାରେ ରହୁଥିବା ଜନସାଧାରଣ ଓ ଖୋର୍ଦ୍ଧା ଉପରେ ନିର୍ଭର କରୁଥିବା ଜନସାଧାରଣ କେବେବି ବିକାଶର ମଙ୍ଗ ଦେଖିପାରିବେ ନାହିଁ କି ଅନୁଭବ କରିପାରିବେ ନାହିଁ । କେବଳ ସରକାରୀ କାର୍ଯ୍ୟାଳୟ ନୂତନୀକରଣ ଦେଖୁଥିବେ କିନ୍ତୁ ସରକାରୀ କାର୍ଯ୍ୟାଳୟରେ ସବୁ ସମୟରେ କର୍ମଚାରୀ ମରୁଡି ରହିବ । ଏହା ହେଉଛି ଜିଲ୍ଲାରେ ଦାୟିତ୍ୱରେ ରହିଥିବା ପାଇକ ଦାୟାଦ ନେତାଙ୍କ ସ୍ୱପ୍ନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।