ଅନୁପସ୍ଥିତ ରହିବାକୁ ସଭାପତିଙ୍କ ନିଷ୍ପତ୍ତି : ସସ୍ମିତ; ବିଜେଡି ସମଦୂରତା ବଜାୟ ରଖିବ : ସଞ୍ଜୟ
ଭୁବନେଶ୍ୱର: ଆସନ୍ତାକାଲି ଅନୁଷ୍ଠିିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ଦାନରୁ ବିଜୁ ଜନତା ଦଳ ବିରତ ରହିବ ବୋଲି ନିଷ୍ପତ୍ତି ନେଇଛି । ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଦଳର ପିଏସି ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ରାଜ୍ୟସଭା ସାଂସଦମାନଙ୍କ ସହ ନବୀନ ଆଲୋଚନା କରିଥିଲେ । ଏହାପରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର କହିଥିଲେଯେ, ବିଜେଡ଼ି ଉଭୟ ଏନଡ଼ିଏ ଓ ଇଣ୍ଡିଆ ମେଣ୍ଟ ଠାରୁ ଦୂରତା ବଜାୟ ରଖିବ । ଦଳ ସମଦୂରତା ନୀତି ଅବଲମ୍ବନ କରୁଛି । ଦଳର ସଭାପତି ବରିଷ୍ଠ ନେତା ଓ ପିଏସି ସଦସ୍ୟଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ଦଳର ବରିଷ୍ଠ ନେତା, ପିଏସି ସଦସ୍ୟ ଓ ସାଂସଦମାନଙ୍କ ସହିତ ଆଲୋଚନା ପରେ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦାନରୁ ବିରତ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି । ବିଜେଡି ସବୁବେଳେ ସମଦୂରତା ନୀତିକୁ ଅବଲମ୍ବନ କରିଆସିଛି । ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ ବିଜେଡି । ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ ବିଜୁ ଜନତା ଦଳ କେବେ ହେଲେ ସାଲିସ କରିବନାହିଁ । ଭାରତବର୍ଷରେ ଓଡିଶାକୁ ଏକ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସର୍ବଦା କାମ କରି ଆସିଛି । ରାଜ୍ୟର ସାଢେ ୪ କୋଟି ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଓଡିଶାର ବିକାଶ ଓ ପ୍ରଗତି ପାଇଁ ବିଜେଡି ନିଜ କାର୍ଯ୍ୟଧାରା ବଜାୟ ରଖିôଛି ।
ସେହିପରି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଥିଲେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦାନରୁ ବିରତ ରହିବା ନିଷ୍ପତ୍ତି ଜଣାଇବା ପରେ ଦୁଇଟି ଜାତୀୟ ରାଜନୈତିକ ଦଳ ଦୋହଲି ଯାଇଛନ୍ତି । ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ୍ଷ ଓ ପରୋକ୍ଷରେ ତାଙ୍କୁ ସମର୍ଥନ କଥା କହୁଥିଲା ବେଳେ କଂଗ୍ରେସର ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।