ମାଳମାଳ ସମସ୍ୟାରେ ଛନ୍ଦି ହେଉଛନ୍ତି ତାଳଚେରବାସୀ
ତାଳଚେର: ତାଳଚେର ସହର ଓ ଗ୍ରାମାଞ୍ଚଳ ଗୁଡ଼ିକରେ ମାଳମାଳ ସମସ୍ୟା ଲାଗି ରହିଥିବାବେଳେ ସରକାରଙ୍କ ଉଦାସୀନତା ମନୋଭାବ ପୋଷଣ ଯୋଗୁଁ ଯେଉଁ ହାରରେ ଏଠାରେ ବିକାଶ ହେବା କଥା ତାହା ହେଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଆଲୋକୀକରଣ, ପାନୀୟଜଳ, ପରିମଳ ବ୍ୟବସ୍ଥା ସମସ୍ୟା ଦୈନ୍ଦିନ ଲାଗିବା ସହ ଅଞ୍ଚଳବାସୀ ଧୂଳିଧୂଅାଁରେ ନିଷ୍ପେସିତ ହୋଇ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଥାଏ । ନିର୍ବାଚନ ଆସିଲେ ଏଠିକାର ନେତାମାନେ ହାତୀ ଦେବୁ ଘୋଡ଼ା ଦେବୁ କମଳ ବଚରନ କହି ଲୋକଙ୍କୁ ଭୂଅାଁ ବୁଲାଇ ଭୋଟ ହାତେଇ ଗାଦିରେ ବସିଲା ପରେ ସେମାନଙ୍କ ଅସଲ ମୁଖ ଦେଖୁଥିଲେ ମଧ୍ୟ ସ୍ଥାନୀୟ ବିକଳ୍ପ ବ୍ୟବସ୍ଥା ନ ପାଇ ବାରମ୍ବାର ସେହିମାନଙ୍କୁ ମତଦାନ କରି ଆସିଥାନ୍ତି । ଏଠିକାର ନେତାମାନେ କେବଳ ନିଜସ୍ୱ ବେପାର ବଣିଜରେ ଲାଗି ରହୁଥିବା ହେତୁ ତାଳଚେର ଅଞ୍ଚଳରେ ରହିଥିବା ୧୬ଟି କାର୍ଯ୍ୟାଳୟ ଏବେ ଜିଲ୍ଲାକୁ ଚାଲିଯାଇଛି । ତେବେ ଏଠାରେ ଲୋକ କିପରି ନ୍ୟାୟ ପାଉଥିବେ ଏଥିରୁ ସ୍ପଷ୍ଟ ଅନୁମେୟ । ତାଳଚେର ଅଞ୍ଚଳରେ ରାଷ୍ଟ୍ରାୟତ କମ୍ପାନୀ ସହିତ ଖଣି ଖାଦାନାରେ ଭରପୁର ରହିଥିବାବେଳେ ଏଠାରେ ଗାଁ, ଗଣ୍ଡା ଠାରୁ ଆରମ୍ଭ କରି ସହରାଞ୍ଚଳରେ ଏବେ ବି ଯୁବକମାନେ ନିଯୁକ୍ତି ନ ପାଇ ଘରେ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି । ସେହିପରି ସହରରେ ବିଦୁ୍ୟତ୍ ସମସ୍ୟା ଲାଗି ରହିଛି । ଏପରିକି ବର୍ଷାଦିନରେ ମଧ୍ୟ ଲୋଭେଲଟେଜ୍ ସମସ୍ୟା ସହିତ ବାରମ୍ବାର ବିଦୁ୍ୟତକାଟ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିଛି ସ୍ୱଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥାନୀୟ ପ୍ରଶାସନକୁ ଦାବିପତ୍ର ମାଧ୍ୟମରେ ଅବଗତ କରାଉଥିଲେ ହେଁ ପ୍ରଶାସନ ବି ନୀରବଦ୍ରଷ୍ଟା ସାଜିଥିବା କୁହାଯାଉଛି । କେହି ନା କେହି ଦୈନିକ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ କରିଥାନ୍ତି । ମାତ୍ର ଏଥିରୁ କେତେ ସୁଫଳ ମିଳେ ତାହା ଭୁକ୍ତଭୋଗି ହିଁ ଅନୁଭବ କରିପାରିବ । ତାଳଚେର ଅଞ୍ଚଳରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି, ସେହି ହାରରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେହିଭଳି କୌଣସି ସରକାର ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ତାଳଚେରରେ ଏକମାତ୍ର ସରକାରୀ ଡ଼ାକ୍ତରଖାନା ମଣ୍ଡାପାଳ ଡ଼ାକ୍ତରଖାନାରେ ପୂର୍ବରୁ ତାଳଚେର ସମେତ ଏହାର ଆଖାପାଖ ଅଞ୍ଚଳର ରୋଗୀ ଏହା ଉପରେ ଭରସା କରୁଥିଲେ । ବର୍ତ୍ତମାନ ଯେଉଁ ଡ଼ାକ୍ତର ଓ କର୍ମଚାରୀମାନେ କାର୍ଯ୍ୟ ଏଠାରେ ତୁଲାଉଛନ୍ତି ରୋଗୀସେବା କରିବାରେ ଚରମ ଅବହେଳା କରୁଛନ୍ତି ବୋଲି ପ୍ରାୟ ସମୟରେ ଶୁଣିବାକୁ ମିଳୁଥିବା ବେଳେ ଭିତ୍ତିଭୂମିର ବିକାଶ ହୋଇପାରୁ ନାହିଁ । ସେହିଭଳି ଜନସଂଖ୍ୟା ଓ ଯାନବାହାନ ବଢ଼ି ଚାଲିଥିଲେ ମଧ୍ୟ ସ୍ୱାଧୀନତାର ୭୯ବର୍ଷ ପୂର୍ତ୍ତି ପାଳନ ହେଉଥିବାବେଳେ ଏ ପର୍ଯ୍ୟନ୍ତ ଅଞ୍ଚଳବାସୀ ଭଲ ରାସ୍ତା ଖଣ୍ଡେ ପାଇପାରିଲା ନାହିଁ । ବର୍ତ୍ତମାନ ଏହି ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଏଥିପ୍ରତି ନେତାମାନଙ୍କ ପ୍ରତିଶ୍ରୁତିକୁ ଅନୁସରଣ କରି ଦିନପରେ ଦିନ ଗଡ଼ି ଚାଲିଥିôଲେ ମଧ୍ୟ ଅଞ୍ଚଳବାସୀ ଚାତକ ଭଳି ଚାହିଁ ରହିଥାନ୍ତି ଓ ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଥାଏ । ସେହିପରି ନଦୀନାଳ ଠାରୁ ଧରି କୂଅ ପାଣି ଧୂଳିଧୂଅାଁ ଓ କାଳକାରଖାନାର ବିଭିନ୍ନ ବର୍ଜ୍ୟବସ୍ତୁ ଯୋଗୁଁ ପାଣି ଦୂଷିତ ହେଉଥିଲେ ମଧ୍ୟ ଅଞ୍ଚଳବାସୀ ସେହି ଜଳ ଉପରେ ନିର୍ଭର କରୁଛନ୍ତି ଓ ବର୍ଷା ଦିନରେ ମଧ୍ୟ ପାନୀୟଜଳ ପାଇଁ ହାହାକାର ସୃଷ୍ଟି କରିଥାଏ । ତେଣୁ ଡ଼ବଲ ଇଞ୍ଜିନ ସରକାର ବିକାଶର ନାରା ଦେଉଥିବା ବେଳେ ତାଳଚେର ଭଳି ଏକ ଗୁରୁତ୍ୱବହନ କରୁଥିବା ଅଞ୍ଚଳ ପ୍ରତି ସରକାର କେବେ ଦୃଷ୍ଟି ଦେଉଛନ୍ତି, ତାହା କେବଳ ଦେଖିବାକୁ ବାକି ରହିଲା ।