ଅଭାବୀ ବିକ୍ରିର ଶିକାର ଆତ୍ ଚାଷୀ: ଲାଭବାନ ହେଉଛନ୍ତି ବ୍ୟବସାୟୀ 

 କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ସୀତାଫଳ । ବ୍ଲକର ପ୍ରତି ବଜାର ଏବଂ ଆମପାଣି କନ୍ଦାଗଡ ଛକ ନିକଟ ରାସ୍ତା କଡ଼ରେ ଆଦିବାସୀ ମହିଳାମାନେ ଆତ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ବାହାରେ ଏହାର ଭଲ ଚାହିଦା ଥିବାରୁ ବ୍ୟବସାୟୀମାନେ କମ୍ ଦାମରେ କିଣି ଲାଭବାନ ହେଉଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି । ବ୍ଲକର ପ୍ରତି ଗାଁର ବାଡ଼ି ବଗିଚାରେ, ଜମିହୁଡ଼ା, ବନ୍ଦହୁଡ଼ା ଜଙ୍ଗଲରେ ସୀତାଫଳ ଗଛ ରହିଛି । ପାଚିବା ଅଳ୍ପ ଦିନ ଆଗରୁ ଚାଷୀ କଞ୍ଚା ସୀତାଫଳ ସଂଗ୍ରହ କରି ନିଅନ୍ତି । ପାଲ ଦେଇ  ମାଠିଆ କିମ୍ବା ଟିଣରେ ରଖିବା ପରେ ଫଳଗୁଡ଼ିକୁ ପାଚିଯାଏ । ପରେ ଏହାକୁ ବଜାର କିମ୍ବା ରାସ୍ତା କଡ଼ରେ ବିକ୍ରି ଲାଗି ନିଅନ୍ତି । ୧୦ ଟଙ୍କାରେ ୩ଟି ସୀତାଫଳ ଆଉ କେଜିକୁ ୩୦ ରୁ ୪୦ ଟଙ୍କାରେ ବିକ୍ରି କରୁଥିବା ମହିଳାମାନେ କହିଛନ୍ତି । ଉପାନ୍ତ ଅଞ୍ଚଳର ଆଦିବାସୀମାନେ ସୀତାଫଳ ବିକ୍ରିବଟା କରି ଦୁଇ ପଇସା ରୋଜଗାର କରୁଛନ୍ତି । ଏହି ଫଳ ପ୍ରତିବର୍ଷ ଶୀତମାସ ଆଗରୁ ହିଁ ଆସିଥାଏ । ଏହି ଫଳ ଯେତେ ସ୍ୱାଦ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ରାଜ୍ୟର ସହରାଞ୍ଚଳ ଶହ ଦେଶର ବଡ ବଡ ସହରରେ ସୀତାଫଳର ଚାହିଦା ଭଲ ରହିଛି । ବାହାର ଅଞ୍ଚଳର ଦଲାଲମାନେ ଆସି ବିନା ଓଜନରେ ଗୋଟିଏ କାର୍ଟୁନ୍ ସୀତାଫଳକୁ ୨୦୦ ଟଙ୍କାର କିଣି ନେଉଛନ୍ତି । ସେଠାରେ ଅଧିକ ଦାମରେ ବିକି ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି । ଏଠାରେ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ କମ୍ ଦାମରେ ବିକିବାକୁ ବାଧ୍ୟ ହେଉଛନ୍ତି ।