ରୋଗୀ କଲ୍ୟାଣ ସମିତିର ସ୍ୱତନ୍ତ୍ର ବୈଠକ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିସିସି ବ୍ୟାଙ୍କ ସଭାପତି ଗିରିଶ ବେହେରା, ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅରବିନ୍ଦ ଦାସ ଓ ଆଜାଦ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ଡାକ୍ତରଖାନାକୁ ଆସିଥିବା ବିଭିନ୍ନ ପ୍ରକାର ଖର୍ଚ୍ଚ ବିଷୟରେ ଆସିଥିବା ଅନୁଦାନର ଅଟକଳ ପରିମାଣର ହିସାବ ହୋଇଥିଲା । ଶେଷରେ ଡାକ୍ତରଖାନା ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ମନ୍ଦିରକୁ ନିରୀକ୍ଷଣ କରିଥିଲେ ବିଧାୟକ । ଡାକ୍ତରଖାନାର ଅନ୍ୟାନ୍ୟ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ସହିତ ଏକ ଶବବ୍ୟବଚ୍ଛେଦ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ବିଧାୟକ ଶ୍ରୀ ମିଶ୍ର ବିଗତ ଦିନରେ ଏହି ଡାକ୍ତରଖାନାକୁ ୫ କୋଟି ଟଙ୍କା ସରକାରୀ ସହାୟତା ପ୍ରଦାନ କରାଯାଇ ନୂତନ କୋଠା ଓ ଲ୍ୟାବ୍ରୋଟରୀ କରାଯାଇଥିବା କହିଥିବାବେଳେ ଏହି ଦାବି ଗୁଡ଼ିକୁ ସରକାରଙ୍କ ଠାରେ ଉପସ୍ଥାପନ କରିବି ବୋଲି କହିଥିଲେ ।