ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଓ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର

 ଅନୁଗୁଳୁ : କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଏବଂ ଆଦ୍ରଭୂମି ସହର ମାନ୍ୟତା ସମାରୋହ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡିକୁ ପୁରସ୍କୃତ କରିଛନ୍ତି  । ୩ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଓଡିଶାର ଅନୁଗୁଳ ମଧ୍ୟ ପୁରସ୍କୃତ ହୋଇଛି  । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୧୩୦ଟି ସହରରେ ଏହି ସର୍ବେକ୍ଷଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟ ୨୦୨୦ରେ ଦେଶର ୧୦୦ଟି ସହରକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ  । ଏହାପରେ ମନ୍ତ୍ରଣାଳୟ ପକ୍ଷରୁ  ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ରେ ୧୩ଟି ସହର ଭାଗ ନେଇଥିଲେ । ଅତ୍ୟନ୍ତ କଠୋର ଏବଂ ବହୁସ୍ତରୀୟ ମୂଲ୍ୟାଙ୍କନ ବ୍ୟବସ୍ଥା ପରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡିକୁ ଚୟନ କରାଯାଇଛି  । ମୋଟ୍ ତିନୋଟି ବର୍ଗରେ ସହରଗୁଡିକୁ ଚୟନ କରାଯାଇଛି  । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଇନ୍ଦୋର ୨୦୦ରୁ ସମ୍ପୂର୍ଣ୍ଣ ୨୦୦ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଛି  । ଏହି ବର୍ଗରେ ଜବଲପୁର ଦ୍ୱିତୀୟ ଏବଂ ଆଗ୍ରା ଓ ସୁରତ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି  । ଏହି ସବୁ ସହରକୁ ଯଥାକ୍ରମେ ଦେଢ କୋଟି, ୧କୋଟି ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି  । ୩ରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଅମରାବତୀ ପ୍ରଥମ, ଝାନସୀ ଓ ମୋରାଦାବାଦ ମିଳିତ ଭାବେ ଦ୍ୱିତୀୟ ଏବଂ ଅଲୱର ତୃତୀୟ ସ୍ଥାନ ହାସଲ କରିଛି  । ତୃତୀୟ ଅର୍ଥାତ୍ ୩ ଲକ୍ଷରୁ କମ ଜନସଂଖ୍ୟା ବର୍ଗରେ ଦେବସ, ପରୱାନୁକୁ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଓଡିଶାର ଅନୁଗୁଳ ତୃତୀୟ ସ୍ଥାନ ହାସଲ କରିଛି  । ଅନୁଗୁଳ ମୋଟ୍ ୨୦୦ ଅଙ୍କରୁ ୧୯୧ ଅଙ୍କ ଅର୍ଜନ କରିଛି  । ଏହି ସହରକୁ ୧୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ଯୋଗାଇ ଦିଆଯାଇଛି  । ସଡକ ଭିତ୍ତିଭୂମି ଏବଂ ଜନ ସଚେତନତା କ୍ଷେତ୍ରରେ ଅନୁଗୁଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି  । ସହରଗୁଡିକର ମେୟର, ଜିଲ୍ଲାପାଳ ଏବଂ ମହାନଗର କମିଶନରମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି  । ପୁରସ୍କାର ପାଇଥିବା ସହରଗୁଡିକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ଶୁଭକାମନା ଜଣାଇଛନ୍ତି  ।