ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଗଣଧାରଣା
ସାଲେପୁର : ଦୀର୍ଘଦିନ ଧରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ପକ୍ଷରୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଦିଆଯାଇଛି ।
ପ୍ରକାଶ ଯେ, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ୩ଗୋଟି ନିର୍ବାଚନ ମଣ୍ଡଳୀର ଲୋକମାନେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସାପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଡାକ୍ତରଖାନ ଓ ଏହାର ଅଧିନରେ ଥିବା ପ୍ରାଥମୀକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କିଛି ଦିନ ହେବ ଡାକ୍ତର ନଥିବାରୁ ଏହି ଅଞ୍ଚଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୨୭ଜଣ ସ୍ଥାୟୀ ଡାକ୍ତର ରହିବାର ବ୍ୟବସ୍ଥା ଥିବା ବେଳେ ମାତ୍ର ୩ଜଣ ଡାକ୍ତର ରୋଗୀ ଚିକିତ୍ସା କରୁଥିବା ବେଳେ ଅବଶିଷ୍ଠ ଡାକ୍ତର ପଦବୀ ଖାଲିପଡିଛି । ଫଳରେ ବିଭିନ୍ନ ସମୟରେ ଚିକିତ୍ସାପାଇଁ ଆସୁଥିବା ରୋଗୀମାନେ ଡାକ୍ତର ଅଭାବରୁ ଚିକିତ୍ସା ହୋଇପାରୁ ନାହାନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଠୀ ଆକର୍ଶଣ କଲେ ମଧ୍ୟ ଡାକ୍ତର ପଦବୀ ପୂରଣ କରାଯାଉ ନାହିଁ । ଏହା ନେଇ ସ୍ଥାନୀୟ ଜନସାଧାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଓ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିପଡିଥିବା ଡାକ୍ତର ପଦବୀଙ୍କୁ ତୁରନ୍ତ ପୂରଣ କରିବା ଦାବି କରି ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ପକ୍ଷରୁ ବିକାଶ ପରିଷଦର ଅଧ୍ୟକ୍ଷ ନନ୍ଦକିଶୋର ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ ଓ ଲୋକପ୍ରତିନିଧିମାନେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣାରେ ବସିଥିଲେ । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏହି ଗଣଧାରଣାକୁ ସମର୍ଥନ କରି ଧାରଣାକାରୀଙ୍କ ସହ ନିଜେ ସାମିଲ ହୋଇ ଧାରଣାରେ ବସିଥିଲେ । ଏ ସମସ୍ୟା ନେଇ ବିଧାୟକ ଶ୍ରୀ ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଟେଲିଫୋନ୍ ଯୋଗେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧାରଣାକାରୀଙ୍କ ନିକଟରେ ପହଞ୍ଚô ପ୍ରଥମ ପର୍ଯ୍ୟାୟରେ ୬ଜଣ ଅସ୍ଥାୟୀ ଡାକ୍ତରଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଦିଆଯିବା ସହ ପର୍ଯ୍ୟାୟ କ୍ରମେ ଅନ୍ୟ ଡାକ୍ତରୀ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଜିର ଏହି ଗଣଧାରଣାରେ ବାଲିସାହି ସରପଞ୍ଚ ପବିତ୍ର ସାମଲ, ସମିତି ସଭ୍ୟ ପ୍ରତିନୀଧି ବିନୋଦ କୁମାର ମଲ୍ଲିକ, ପୂର୍ବତନ ସରପଞ୍ଚ ବିଭୁତିଭୂଷଣ ଦାଶ, ପୂର୍ବତନ ଜିଲ୍ଲାପରିସଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, ବଜାର କମିଟି ସଭାପତି ନବକିଶୋର କର, ସୟଦ ପର୍ବେଶ ଅଲ୍ଲୀ, ବିରଞ୍ଚôନାରାୟଣ କର, ଶିଶୁଆ ସମିତି ସଭ୍ୟ ମାନସ କୁମାର ଦାଶ, ଗୁଲ୍ରେଜ୍ ଅଲ୍ଲୀ, ଯୁବନେତା ରାଜେଶ ମହାନ୍ତି, କିରନ୍ କୁମାର ଭୂୟାଁ, ସୁଧିର କୁମାର ଶତପଥି, ଅଜୟ କୁମାର ସାହୁ, ହେମନ୍ତ ନନ୍ଦ, ଅଭୟ ନାୟକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷମାନେ ଏହି ଗଣଧାରଣାରେ ସାମିଲ ହୋଇଥିଲେ ।