‘ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ’
ଢେଙ୍କାନାଳ: ଢେଙ୍କାନାଳ ସହରର ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ରେ ଗୁରୁଦିବସ ଅବସରରେ ଗୁରୁପୂଜନ ତଥା ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରେସିଡେଣ୍ଟ ପ୍ରିୟତମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସମାଜସେବୀ, ଶିକ୍ଷାବିତ୍ ମାୟାଧର ନାୟକ, ପ୍ରମିଳା ବିଶ୍ୱାଳ, ସଞ୍ଜୁବାଳା ମିଶ୍ର, ବିଦୁ୍ୟତ୍ଲତା ନାୟକ, ପ୍ରଣତୀ ମହାପାତ୍ର, ଅସିତ୍ ମିଶ୍ର ଓ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଶିକ୍ଷାକୁ ଜୀବନର ବୃତ୍ତି ଭାବେ ଗ୍ରହଣ ନ କରି ଜୀବନର ବ୍ରତ ଭାବେ ଗ୍ରହଣ କଲେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜକୁ ଗଢି ତୋଳିପାରିବ ବୋଲି ମଞ୍ଚାସୀନ ଅତିଥିମାନେ ପ୍ରକାଶ କରିଥିଲେ । ଏହି ଅବସରରେ ୭ ଜଣ ବର୍ଷୀୟାନ୍ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ଜୀବନବ୍ୟାପୀ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସେକ୍ରେଟାରୀ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଦସ୍ୟା, ପ୍ରାକ୍ତନ ଉପସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠା ଶିକ୍ଷୟିତ୍ରୀ କୃଷିଦା ବେଗମ୍ ଅତିଥି ପରିଚୟ ତଥା ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କର ଶିକ୍ଷକତା ସମୟର ସମସ୍ତ ପ୍ରଶଂସନୀୟ କାର୍ଯ୍ୟକୁ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ବେହରା, ରଂଜିତା ବିଶ୍ୱାଳ, ଇନ୍ଦିରା ଦେବତା, ସୁନିତା ସାହୁ, ମମତା ମିଶ୍ର, ତିଲୋତ୍ତମା ଚୌଧୁରୀ, ଅଳକାବତୀ ସାମଲ, ପୁଷ୍ପରାଣୀ ମିଶ୍ର, ସ୍ୱପ୍ନା ଆଚାର୍ଯ୍ୟ, ବିଶ୍ୱଭାରତୀ ରଥ, ସ୍ମିତା ପ୍ରିୟଦର୍ଶିନୀ, ପ୍ରଣତି ପଣ୍ଡା, ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର, ଗୌତମୀ ନାୟକ ଓ ଶେଖ୍ ଅବଦୁଲ୍ ସଫିକ୍ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ତଥା ସମାଜସେବା ବିଦୁ୍ୟତ୍ଲତା ନାୟକ ଇନର୍ ହୁଇଲ କ୍ଲବ କପିଳାସ, ଢେଙ୍କାନାଳ ଅନୁଷ୍ଠାନକୁ ସମାଜସେବା କାର୍ଯ୍ୟରେ ବିନିଯୋଗ କରିବା ପାଇଁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା କୃଷିଦା ବେଗମ୍ ଧନ୍ୟବାଦ ଦେଇଥିଲେ ।