ଛାତ୍ରଙ୍କୁ ଅସଦାଚରଣ, କାର୍ଯ୍ୟାନୁଷ୍ଠାନ ଦାବି 

 ମାଲକାନଗିରି : ଶିକ୍ଷା ବିଭାଗରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାଡ ମାରିବା ଉପରେ ସରକାର ରୋକ ଲଗାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଜଣେ ଶିକ୍ଷକ ଛାତ୍ରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୯ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମନ୍ତରା କ୍ରମାଗତ ଭାବେ ଅନେକ ସମୟରେ ନିଜ କାର୍ଯ୍ୟରେ ଅବହେଳା କରୁଥିବା ବେଳେ ପିଲାଙ୍କ ସହ ଅଶ୍ଳିଳ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ତେବେ ବିଗତ କିଛିଦିନ ପୂର୍ବେ ଏହି ଶିକ୍ଷକ ଜଣଙ୍କ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ସହ ଅସଦାଚରଣ କରି ଛାତ୍ରଙ୍କ ଗୁପ୍ତାଙ୍ଗକୁ ଆଘାତ ଦେଇଥିଲେ । ଫଳରେ ଛାତ୍ର ଜଣଙ୍କ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲା । ଯାହାକୁ ନେଇ ଗ୍ରାମବାସୀ ଜାଣିବା ପରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ଏହା ସତ୍ବେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ ଶିକ୍ଷକ ଜଣଙ୍କ ମଧ୍ୟାହ୍ନ ଭୋଜନର ଅର୍ଥ, ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଯୋଜନାର ଅର୍ଥରେ ମଧ୍ୟ ବ୍ୟାପକ ହେରଫେର କରିଥିବା ଅଭିଯୋଗ ହୋଇଛି । ଏହି ଶିକ୍ଷକ ଜଣଙ୍କ ପୂର୍ବରୁ ମଧ୍ୟ ଏପରି ଅନେକ ଅବହେଳା କରିଥିବାରୁ ଅନେକ ସମୟରେ ତାଙ୍କ ବିରୋଧରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ତାଙ୍କର ଦରମା ବନ୍ଦ ଓ ନିଲମ୍ବିତ ହୋଇଥିଲେ ହେଁ ନିଜ ତୃଟିକୁ ସଜାଦୂ ନଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ଶିକ୍ଷକ ଶ୍ରୀ ସାମନ୍ତରାଙ୍କୁ ଯୋଗଯୋଗ କରିବାରୁ ଏହି ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ଘଟଣାକୁ ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶ୍ୱିନି ମାଝିଙ୍କୁ ପଚାରିବାରୁ ଘଟଣାକୁ ନେଇ ତଦନ୍ତ ଚାଲିଛି, ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।