‘ରାଜ୍ୟରେ ଲାଗିଯିବ ଚାଷୀ ନିଆଁ’ : ସରକାରଙ୍କ ଉପରେ ବର୍ଷିଲେ ପ୍ରସନ୍ନ

ଭୁବନେଶ୍ୱର : ଧାନ ଅମଳ ସରିଗଲାଣି । ଚାଷୀ ଧାନ ବିକି ପାରୁନି । ଅଭାବୀ ବିକ୍ରି ବି ଆରମ୍ଭ ହୋଇଗଲାଣି । ସରକାର ତୁରନ୍ତ ମଣ୍ଡି ଖୋଲନ୍ତୁ । ନହେଲେ ସାରା ରାଜ୍ୟରେ ଚାଷୀ ନିଆଁ ଲାଗିବ । ଏମିତି ଚେତାବନୀ ଦେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।


     ଶୂନ୍ୟକାଳରେ ପ୍ରସନ୍ନ କହିଲେଯେ, ଧାନ ଅମଳ ସରିଯାଇଥିଲେବି ମଣ୍ଡି ଖୋଲୁନଥିବାରୁ ଚାଷୀ ଧାନ ବିକ୍ରି କରିପାରୁନାହିଁ । ବରଗଡ଼ ଓ ସମ୍ବଲପୁରରେ ଆଜିଠାରୁ ମଣ୍ଡିଖୋଲିବ ବୋଲି କୁହାଯାଇଥିଲେବି ବସ୍ତାଏ ଧାନ କିଣା ହୋଇନି । ଚାଷୀ ମୁଣ୍ଡରେ ହାତ ଦେଇବସିଛି । ହଜାର ହଜାର ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି । ବରଗଡ଼ରେ ୫ ହଜାର ଚାଷୀ ପଞ୍ଜୀକରଣ କରିନାହାନ୍ତି । ପଞ୍ଜୀକରଣ ନହୋଇଥିଲେ ଚାଷୀ ଧାନ ବିକ୍ରି କରିପାରିବ ନାହିଁ । ଧାନକିଣା ପାଇଁ ମିଲରଙ୍କୁ ବି ପ୍ରସ୍ତୁତ କରାଯାଇନାହିଁ । କେଉଁ ମିଲର କେଉଁଠାରୁ ଧାନ କିଣିବେ ତାହା ସ୍ଥିର କରାଯାଇନାହିଁ । ଚାଷୀମାନେ ଏବେ ସାଂଘାତିକ ଅବସ୍ଥାରେ ଅଛନ୍ତି । ଧାନ ରଖିବା ପାଇଁ ଚାଷୀ, ମିଲର କି ସରକାରଙ୍କ ପାଖରେ ଗୋଦାମ ନାହିଁ । ଏଫସିଆଇ ବି ଚାଉଳ ଉଠାଇନି । ବରଗଡ଼ ଓ ସମ୍ବଲପୁରରେ ଚାଷୀ ଧାରଣା ଦେଲେଣି । ମିଲରମାନେ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ହେଲେ ସରକାର ନୀରବଦ୍ରଷ୍ଟା । ଚାଷୀର ଭବିଷ୍ୟତ ସହ ଖେଳିଲେ ସାରା ରାଜ୍ୟରେ ନିଆଁ ଲାଗିଯିବ । ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଥିବାବେଳେ ଦଲାଲଙ୍କ ଜରିଆରେ କିଛି ମିଲର ଧାନ କିଣୁଥିବା ଜାଣିବାକୁ ମିଳିଛି । ସରକାର ମିଲରଙ୍କ ଷ୍ଟକ ଯାଞ୍ଚ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।