ନାବାଳିକା କୁକର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ 

ନାବାଳିକା କୁକର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ 

ଯାଜପୁର : ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ପରେ କୁକର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଆଡହକ ଅତିରିକ୍ତ ସ୍ପେଶାଲ ଜଜ । ସୂଚନା ଅନୁଯାୟୀ ଗତ ୨୦୨୨ମସିହା ଜୁନ ମାସ ୨୦ତାରିଖ ଦିନ ରାତିରେ ଜନୈକା ୧୪ବର୍ଷୀୟା ନବମ ଶ୍ରେଣୀ ଛାତ୍ରୀ ଘରେ ଶୋଇଥିଲେ । ମାତ୍ର ରାତି ପ୍ରାୟ ୨ଘଟିକା୩୦ ମି.ରେ ନାବାଳିକାର ବାପା, ମା’ଦେଖିବାକୁ ପାଇଲେ ଝିଅଟି ଘରେ ନାହିଁ । ସାରା ରାତି ଖୋଜାଖୋଜି କରିବା ପରେ ସକାଳୁ ମଧ୍ୟ ଖୋଜାଖୋଜି କରି ଝିଅଟିର ଖୋଜ୍‌ ଖବର ନ ପାଇବାରୁ ନାବାଳିକାର ବାପା ଜାଣିବାକୁ ପାଇଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମର ସୁଶାନ୍ତ ପ୍ରଧାନ(୨୫) ଝିଅଟିକୁ ଅପହରଣ କରି ପ୍ରଥମେ ତାର ମୋଟର ସାଇକେଲ ଯୋଗେ ଭଦ୍ରକ ନେଇ ଯାଇଥିଲା । ସେଠାରୁ ସେ ନାବାଳିକାକୁ ଟ୍ରେନ ଯୋଗେ ତେଲେଙ୍ଗାନା ନେଇ ଯାଇଛି ବୋଲି ନାବାଳିକାର ବାପା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

      ଏହି ଲିଖିତ ଅଭିଯୋଗକୁ ଭିତି କରି ପୁଲିସ ଥାନା କେସ୍‌ ନଂ୨୩୧/୨୦୨୨ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ପରେ ତେଲେଙ୍ଗାନା ଯାଇ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁଶାନ୍ତ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ ଥିଲେ । ନାବାଳିକାର ଡାକ୍ତରୀ ମାଇନା କରିବା ପରେ ତାର ବୟାନ ରେକଡର଼୍ କରିଥିଲେ । ମାମଲାର ଚୂଡ଼ାନ୍ତ ଶୁଣାଣି କରି ଶୁକ୍ରବାର ଦିନ ଯାଜପୁର ଆଡହକ ଅତିରିକ୍ତ ସ୍ପେଶାଲ ଜଜ୍‌ ଶରତ କୁମାର ଦେହୁରୀ ୧୭ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତି କରି ଅଭିଯୁକ୍ତ ସୁଶାନ୍ତ ପ୍ରଧାନକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ, ୧୦ହଜାର ଟଙ୍କା ଜରିମାନା ଅନାଦେୟରେ ଅଧିକ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାକୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ ।