ସାଧାରଣ ବଣ୍ଟନରେ ରିହାତି ପାଇଁ ୧୩୨୫ କୋଟି

ସାଧାରଣ ବଣ୍ଟନରେ ରିହାତି ପାଇଁ ୧୩୨୫ କୋଟି
  • ଧାନ କିଣା ପାଇଁ ୩ ହଜାର କୋଟିର ରିଭଲଭିଂ ପାଣ୍ଠି
  • ଜିଲ୍ଳା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି
  • ଚାଷୀଙ୍କୁ ଇନପୁଟ ସହାୟତା ପାଇଁ ୮୫୦ କୋଟି
  • ଚାଷୀଙ୍କୁ ସୁଧ ଛାଡ଼ ପାଇଁ ୩ ଶହ କୋଟି
  • ‘ସୁଭଦ୍ରା’ ନିମନ୍ତେ ୨୯୫ କୋଟି
  • ଶକ୍ତିଶ୍ରୀ ସକାଶେ ୧୫ କୋଟି

   ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟର କଳେବର ୧୭୪୪୦ କୋଟି ଟଙ୍କା ରହିଛି । ମୂଳ ବଜେଟ୍‌ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବ୍ୟୟବରାଦକୁ ମିଶାଇଲେ ତାହା ୩ ଲକ୍ଷ ୭୪୪୦ କୋଟି ଟଙ୍କାରେ ପହଁଚିଛି । ବଜେଟରେ ପ୍ରଶାସନିକ ବ୍ୟୟ ବାବଦରେ ୩୩୮୯ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧୩୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ସକାଶେ ୧୭୧ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 


     ପ୍ରଶାସନିକ ବ୍ୟୟ ପାଇଁ ୩୩୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ୧୪୦୬ କୋଟି ଟଙ୍କା ସୁଧ ବାବଦରେ ଓ ୧୩୩ କୋଟି ଟଙ୍କା ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ପାଇଁ ଉଦ୍ଦିଷ୍ଟ । ସରକାରୀ ଆବାସିକ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୦୫ କୋଟି ଏବଂ ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ନିମନ୍ତେ ୩୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ନିମନ୍ତେ ୩ ହଜାର କୋଟି ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ନିମନ୍ତେ ୧୩୨୫ କୋଟିର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କୁ ଇନ୍‌ପୁଟ ସହାୟତା ପାଇଁ ୮୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । କୁକୁଡ଼ା ପାଳନ ପାଇଁ ୧୩୭ କୋଟି, ଗୋପାଳନ ପାଇଁ ୯୧ କୋଟି, ମତ୍ସ୍ୟଜୀବୀ କଲ୍ୟାଣ ପାଇଁ ୧୧୭ କୋଟି, ଚାଷୀଙ୍କୁ ସୁଧ ଛାଡ଼ ପାଇଁ ୩ ଶହ କୋଟିର ବ୍ୟୟବରାଦ ହୋଇଛି  ।

ଗୃହରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

  • ସୁଧ ପାଇଁ                        ୧୪୦୬ କୋଟି
  • ଖାଦ୍ୟଯୋଗାଣ ବିଭାଗ      ୪୩୨୯ କୋଟି
  • ଗଣଶିକ୍ଷା ବିଭାଗ               ୨ ହଜାର କୋଟି
  • ସ୍ୱାସ୍ଥ୍ୟ ବିଭାଗ                   ୧୧୫୯ କୋଟି
  • ମହିଳା ଓ ଶିଶୁ ବିଭାଗ        ୭୫୧ କୋଟି
  • ମିଶନ ଶକ୍ତି                       ୮୦୭ କୋଟି


     ସେହିପରି ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବାକୁ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ମମତା ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି, ପିଏମ-ପୋଷଣ ପାଇଁ ୩୯୨ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨- କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ନବମ ଓ ଦଶମ ପିଲାଙ୍କୁ ବହି ଯୋଗାଇବା ପାଇଁ ୫୧ କୋଟି, ପଞ୍ଚସଖା ଶିକ୍ଷା ସେତୁ ପାଇଁ ୫୧ କୋଟି, ପିଏମ-ଜନମନ ପାଇଁ ୧୮୮ କୋଟି ଟଙ୍କା ଆବଣ୍ଟିତ ହୋଇଛି ।

  • ପ୍ରଶାସନିକ ବ୍ୟୟ               ୩୩୮୯ କୋଟି
  • କାର୍ଯ୍ୟକ୍ରମ ବ୍ୟୟ                ୧୩୭୧୬ କୋଟି
  • ବିପର୍ଯ୍ୟୟ ପ୍ରଶମନ ପାଣ୍ଠି        ୧୭୧ କୋଟି
  • ବଜେଟରୁ ସ୍ଥାନାନ୍ତର            ୧୬୪ କୋଟି


    ନୂଆ ଯୋଜନା ଶକ୍ତିଶ୍ରୀ ନିମନ୍ତେ ୧୫ କୋଟି, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୨୧୬ କୋଟି, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପାଇଁ ୧୪୭ କୋଟି, ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ୨୪୨ କୋଟି, ସେତୁବନ୍ଧନ ଯୋଜନା ନିମନ୍ତେ ୧୨୦ କୋଟିର ବ୍ୟୟବରାଦ କରାଯାଇଛି । ଯେତେବେଳେକି ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୫୭ କୋଟି, ଅମୃତ ପ୍ରକଳ୍ପ ୨.୦ ପାଇଁ ୬୪ କୋଟି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୦୦ କୋଟି, ଏସଆଇଡ଼ିବିଆଇ କ୍ଳଷ୍ଟର ଡେଭଲପମେଣ୍ଟ ଫଣ୍ଡ ପାଇଁ ୨୭୬ କୋଟିର ବ୍ୟୟ ଅଟକଳ କରାଯାଇଛି ।