ଭଦ୍ରକ ରାଜନୀତି ; ‘ଶଙ୍ଖ’ ଫଟାଇଦେଲେ ମନମୋହନ

ଭଦ୍ରକ ରାଜନୀତି ; ‘ଶଙ୍ଖ’ ଫଟାଇଦେଲେ ମନମୋହନ

ଚବିଶରେ ପାଣ୍ଡିଆନ ଗ୍ୟାଙ୍ଗ କରିଥିଲେ ମନମାନି

ଭୁବନେଶ୍ୱର : ଭଦ୍ରକରେ ଦିନକେ ୩ ବ୍ଳକ ଅଧ୍ୟକ୍ଷ ବିଜେଡ଼ିକୁ ବାଏ ବାଏ କରିଦେଲେ । ଆଉ ଶଙ୍ଖ ଫୁଙ୍କିବେନି ବୋଲି ହଲପ୍‌ କଲେ । ଚବିଶ ନିର୍ବାଚନ ବେଳେ ଭିକେ ପାଣ୍ଡିଆନଙ୍କ ଗ୍ୟାଙ୍ଗ ଯେଉଁ ମନମାନି କରିଥିଲେ ତାହାର ପ୍ରତିଫଳନ ଏବେ ଦେଖିବାକୁ ମିଳିଛି । ସେତେବେଳେ ‘ଶଙ୍ଖ’ରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ଏବେ ତାହା ଫାଟିଯିବା ପରିସ୍ଥିତି ସୃଷ୍ଟିକରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୋଟିଚାଳନାରେ ବିଜେଡ଼ି ଏବେ ଭଦ୍ରକରେ ଧରାଶାୟୀ ହେବାକୁ ଯାଉଛି କହିଲେ ଭୁଲ୍‌ ହେବନାହିଁ ।


      ୨୦୧୯ ନିର୍ବାଚନରେ ଭଣ୍ଡାରୀପୋଖରୀରୁ ପ୍ରଫୁଲ୍ଲ ସାମଲ ଓ ଭଦ୍ରକରୁ ସଂଜୀବ ମଲ୍ଲିକ ବାଜିମାତ୍‌ କରିଥିଲେ । ସେବେଠାରୁ ଭଣ୍ଡାରୀପୋଖରୀରୁ ପ୍ରଫୁଲ୍ଲ ନିଜ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଟିକେଟ ଦେବା ପାଇଁ ଲବି କରି ଆସୁଥିଲେ । ପ୍ରଫୁଲ୍ଲ ଅସୁସ୍ଥ ଥିବାରୁ ପ୍ରୟାସକାନ୍ତି ହିଁ ସଂଗଠନ କଥା ବୁଝାବୁଝି କରୁଥିଲେ । ହେଲେ ଦଳ ଚବିଶ ନିର୍ବାଚନରେ ପ୍ରଫୁଲ୍ଲଙ୍କ କଥା ଶୁଣିଲାନି । ସେପଟେ ଭଦ୍ରକରେ ସଂଜୀବ ମଲ୍ଲିକ ଓ ଅସିତ୍‌ ପଟ୍ଟନାୟକଙ୍କ ମଧ୍ୟରେ ଟିକେଟ ଲଢେ଼ଇ ଜୋର୍‌ ଧରିଥିଲା । ୨୦୧୯ରେ ଅସିତ୍‌ଙ୍କୁ ବୁଝାଶୁଝା କରି ଦଳ ନୀରବ କରିଦେଇଥିଲା । ଚବିଶରେ ଟିକେଟ୍‌ ନଦେଲେ ସେ ଦଳ ଛାଡ଼ିବା ନିଶ୍ଚିତ ବୋଲି ଜଣାପଡ଼ିଥିଲା । ଅର୍ଥାତ୍‌ ଅସିତ୍‌ ସମର୍ଥନ କରିନଥିଲେ ଭଦ୍ରକରୁ ଯିଏ ବିଜେଡ଼ିରୁ ଲଢ଼ିଥା’ନ୍ତା ସେ ଟଳି ପଡ଼ିଥା’ନ୍ତା । ସ୍ଥିତି ଟଳମଳ ଜାଣି ପାଣ୍ଡିଆନଙ୍କ କୋଟରୀରେ ଥିବା ସଂଜୀବ ମଲ୍ଲିକ ଭଣ୍ଡାରିପୋଖରୀରୁ ଲଢ଼ିବାକୁ ଯୋଜନା କଲେ । ଯାହାକୁ ନେଇ ପ୍ରଫୁଲ୍ଲ-ପ୍ରୟାସକାନ୍ତି ଅସନ୍ତୁଷ୍ଟ ଥିଲେ । ହେଲେ ବିଜେଡ଼ି ପୁଣି ସରକାରକୁ ଫେରିବ ବୋଲି ଆକଳନ ହେଉଥିବାରୁ ପ୍ରଫୁଲ୍ଲ ବାଧ୍ୟ ହୋଇ କିଛି ପ୍ରତିବାଦ ନକରି ଭଦ୍ରକରୁ ଲଢ଼ିଲେ । ଅବଶ୍ୟ ପ୍ରଫୁଲ୍ଲଙ୍କର ବହୁ ପୂର୍ବରୁ ଭଦ୍ରକ ଉପରେ ଲୋଭ ଥିଲା । ସେ ଭଦ୍ରକ ଟିକେଟ ମାଗିବା ବେଳେ ଦଳ ତାଙ୍କୁ ଅଣଦେଖା କରିଥିଲା । ଯେଉଁ ସମୟରେ ଭଦ୍ରକ ଟିକେଟ୍‌ ଦରକାର ନଥିଲା ବା ସେ ମନା କରୁଥିଲେ ସେହି ସମୟରେ ଦଳ ଜବରଦସ୍ତ ଧରାଇଦେଲା । ଫଳାଫଳ ଯାହାହେବ ବୋଲି ଜଣାଥିଲା, ସେଇଆ ହିଁ ହେଲା । ପ୍ରଫୁଲ୍ଲଙ୍କର ରାଜନୀତି ସରି ଯାଇଥିବାରୁ ପ୍ରୟାସକାନ୍ତି ଏବେ ନିଜର ଗେମ୍‌ ଆରମ୍ଭ କଲେ । ପ୍ରଥମେ ସେ ବିଜେଡ଼ି ଛାଡ଼ିଦେଲେ । ପରେ ମନମୋହନଙ୍କ ସହ ଯୋଗସୂତ୍ର ସ୍ଥାପନ କଲେ । ସେ ଏଯାଏଁ ବିଧିବଦ୍ଧ ଭାବେ ବିଜେପିରେ ମିଶିନଥିଲେବି ଅନେକ ବାର ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ତାଙ୍କୁ ବିଜେପି ଅଫିସରେ ଦେଖିବାକୁ ମିଳୁଥିଲା ।


     ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ଭଲ ସଂଗଠନ କରିଥିଲେ । ଚବିଶ ନିର୍ବାଚନ ବେଳେ ପ୍ରୟାସକାନ୍ତି ମଧ୍ୟ ସଂଜୀବଙ୍କୁ ଜୋରଦାର ବିରୋଧ କରିନଥିଲେ । ଫଳରେ ସଂଜୀବ ବାଜିମାତ୍‌ କରିବାରେ ସଫଳ ହୋଇଥିଲେ । ନିର୍ବାଚନ ପରେ ସେଠାରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଥିଲା । ବ୍ଳକ ଅଧ୍ୟକ୍ଷ, ସମିତିସଭ୍ୟ ଓ ସରପଞ୍ଚମାନେ ପ୍ରୟାସଙ୍କ ସହ ଥିଲେ । ସେମାନଙ୍କୁ ନିଜ ଆଡ଼କୁ ନେବା ପାଇଁ ସଂଜୀବ ମଲ୍ଳିକ ଉଦ୍ୟମ ଆରମ୍ଭ କରିଦେଲେ । ଯାହାକୁ ନେଇ ଶୀତଳଯୁଦ୍ଧ ବି ଆରମ୍ଭ ହୋଇଗଲା । ଶେଷରେ ବନ୍ତ ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡେ଼ଇ, ଭଣ୍ଡାରିପୋଖରୀ ବ୍ଳକ ଅଧ୍ୟକ୍ଷା ସୁମତୀ ସେଠୀ, ଭଦ୍ରକ ବ୍ଳକ ଅଧ୍ୟକ୍ଷା ଉର୍ମିଳା ନାୟକ ବିଜେଡ଼ି ଛାଡ଼ିଛନ୍ତି । ଭଦ୍ରକ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା । ଡିସେମ୍ବର ପ୍ରଥମ ସପ୍ତାହରେ ବ୍ଳକ ଅଧ୍ୟକ୍ଷମାନେ ବିଜେପିରେ ସାମିଲ୍‌ ହେବେ ବୋଲି ଚର୍ଚ୍ଚା ହେଉଛି। ଅର୍ଥାତ୍‌ ମନମୋହନ ଏବେ ବିଜେଡ଼ି ଗଡ଼ରେ ପଦ୍ମ ଫୁଟାଇବାକୁ ଯେଉଁ କସରତ କରିଥିଲେ ସେଥିରେ ସଫଳ ହୋଇଛନ୍ତି ।